ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ଘନ ଘନ ବିଜୁଳି କାଟକୁ ନେଇ ନୟାନ୍ତ ହେଲେଣି ଉପଭୋକ୍ତା। ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଲିମିଟେଡ (ଟିପିସିଓଡିଏଲ) ର ଅନିୟମିତ ବିଜୁଳି ଯୋଗାଣ ଏବେ ଜନଆନ୍ଦୋଳନ ରୂପ ନେବାକୁ ଯାଉଛି।

ଉପଭୋକ୍ତାଙ୍କ ସ୍ଵାର୍ଥ ପ୍ରତି ଦୃଷ୍ଟି ନଦେଇ ବେପରୁଆ ଭାବେ ଟିପିସିଓଏଲ ବିଦ୍ୟୁତ୍ ଯୋଗାଣ କରୁଥିବା ଅଭିଯୋଗ ହେଉଛି। ଟାଟା ପାୱାର ହାତକୁ ଓଡ଼ିଶା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଇ ହସ୍ତାନ୍ତର କରାଯିବା ପରେ ବିଜୁଳି ସରବରାହ ବ୍ୟବସ୍ଥାରେ ଉନ୍ନତିକରଣ, ଭିତ୍ତିଭୂମୀର ଆଧୁନୀକିକରଣ ଏବଂ ଦକ୍ଷ କର୍ମଚାରୀଙ୍କୁ ନିଯୁକ୍ତ ନକରି କେବଳ ଗ୍ରାହକ ଶୋଷଣ ନୀତି ଚାଲିଛି। ଏହା ବିରୋଧରେ ବିଭିନ୍ନ ସ୍ଥାନରେ ଜନଆନ୍ଦୋଳନ ମୁଣ୍ଡ ଟେକିଥିବା କହିଛନ୍ତି ନୟାଗଡ଼ ସହରର ବିଦ୍ୟୁତ୍ ଉପଭୋକ୍ତ ତଥା ସିପିଆଇଏମ୍ ନେତା ବିଶ୍ୱନାଥ ମହାପାତ୍ର।

ଜିଲ୍ଲାବ୍ୟାପୀ ବିଜୁଳି ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ଲାଗି ରହିଛି। କିଛି ଦିନ ପୂର୍ବେ ଦଶପଲ୍ଲା ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଉପଭୋକ୍ତା ବିଜୁଳି କାଟ ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟରେ ତାଲା ପକାଇ ଜାତୀୟ ରାଜପଥ ଅବରୋଧ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଟାୟାର ଜାଳି ବିଦ୍ୟୁତ୍ ଅନିୟମିତତାର ପ୍ରତିବାଦ କରିବାରୁ କିଛି ଘଣ୍ଟା ଧରି ୫୭ ନମ୍ବର ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଥିଲା। ବିଜୁଳି ବିଭ୍ରାଟ ହେବ ନାହିଁ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଜିଲ୍ଲା ସଦରମହକୁମାରେ କ୍ରମାଗତ ବିଜୁଳି ବିଭ୍ରାଟ, ଲୋଭୋଲଟେଜ୍, ମନଇଚ୍ଛା ବିଲ ଆଦାୟ ସହ ବିଭିନ୍ନ ଆଳ ଦେଖାଇ ହଜାର ହଜାର ଟଙ୍କା କମ୍ପାନି ଶୋଷଣ କରୁଥିବା ପ୍ରତିବାଦରେ ଜିଲ୍ଲା କଂଗ୍ରେସ ଗତ ସପ୍ତାହରେ ନୟାଗଡ଼ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିଥିଲା। ସମାନ ଅଭିଯୋଗରେ ସିପିଆଇଏମ୍ ପକ୍ଷରୁ ଶରଣକୁଳ ସେକ୍ସନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ନିରବଛିନ୍ନ ବିଜୁଳି ଯୋଗାଣ, ପ୍ରିପେଡ୍ ମିଟର ସ୍ଥାପନ ନିଷ୍ପତ୍ତି ପ୍ରତ୍ୟାହାର, ଫାଇନ ନାଁରେ ଗ୍ରାହକ ଶୋଷଣ ବନ୍ଦ କରିବା, ସର୍ବନିମ୍ନ ଦରରେ ବିଜୁଳି ଦେୟ ସଂଗ୍ରହ, ବିଜୁଳି ସରବରାହ ବ୍ୟବସ୍ଥାରେ ଉନ୍ନତି ଏବଂ ମାନବ ସମ୍ବଳ ବୃଦ୍ଧି ଆଦି ଦାବି ନେଇ ସିପିଆଇଏମ୍ ପକ୍ଷରୁ ସ୍ଥାନୀୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ଓଭରଲୋଡ ଓ ଝଡ଼ତୋଫାନ ଯୋଗୁଁ ବିଦ୍ୟୁ କାଟ୍ କରାଯାଉଥିଲା। ବିଦ୍ୟୁତ ସମସ୍ୟା ଉପୁଜିଥିବା ଅଞ୍ଚଳଗୁଡ଼ିକରେ ପରସ୍ଥିତି ସ୍ଵାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ଟାଟା ପାୱାର ଜିଲ୍ଲା ମ୍ୟାନେଜର ସନ୍ତୋଷ କୁମାର ମହାପାତ୍ର କହିଛନ୍ତି।

Tags: #Nayagarh #TPCOPDL #ElectricSuplyProblem #Protest

Comment