ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ବର୍ଷାରେ ବେହାଲ ସାରା ଉତ୍ତର ଭାରତ। ଏଠାରେ ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଛି। ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ଏବଂ ପଞ୍ଜାବର ଭଳି ରାଜ୍ୟମାନଙ୍କରେ ବର୍ଷାଜନିତ ବିଭିନ୍ନ ଦୁର୍ଘଟଣାରେ ଏ ଯାଏଁ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖାସକରି ପାହାଡ଼ରେ ବର୍ଷା କାରଣରୁ ଆସିଥିବା ବନ୍ୟାରେ ଅନେକ ଘର ଓ ପୋଲ ଭାସିଯାଇଛି। ଆହୁରି ଦୁଇ ଦିନ ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଚଳିତବର୍ଷ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ରେକର୍ଡ ପରିମାଣରେ ବର୍ଷା ହୋଇଛି। ଗତ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ହୋଇ ୪୧ ବର୍ଷର ରେକର୍ଡ ଭଙ୍ଗିଛି। ଏଥିପାଇଁ ଦିଲ୍ଲୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଦୃଷ୍ଟିରେ ରଖି ସୋମବାର ଦିଲ୍ଲୀ ଏବଂ ନୋଏଡାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅନ୍ୟପଟେ ଦିଲ୍ଲୀରେ ଯମୁନା ନଦୀରେ ଜଳସ୍ତର ୨୦୩ ମିଟର ପାର କରି ବିପଦ ସଙ୍କେତ ମୁହାଁ ହୋଇଛି।

ବର୍ଷାରେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଏଠାରେ ପାହାଡ଼ ଉପର ମୁଣ୍ଡରେ ବର୍ଷା ଯୋଗୁଁ ସବୁ ନଦୀରେ ଜଳସ୍ତର ବଢ଼ି ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି। ହିମାଚଳ ପ୍ରଦେଶରେ ମଣ୍ଡି, କୁଲ୍ଲୁ, ଚମ୍ବା, ସୋଲନ ଓ ମନାଲି ଆଦି ଜିଲ୍ଲାରେ ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟା ଯୋଗୁଁ ଅନେକ ଘର ଭାସିଯାଇଛି। ସେହିପରି ବନ୍ୟାରେ ବିଭିନ୍ନ ରାସ୍ତା ଓ ପୋଲ ନଷ୍ଟ ହୋଇଯାଇଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଗାଁର ମୁଖ୍ୟ ସହର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ସେହିପରି ବର୍ଷା ଯୋଗୁଁ ହିମାଚଳ ପ୍ରଦେଶରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଏଥିରେ ଶିମଲାରେ ତିନି ଜଣ, ଚାମ୍ବାରେ ଜଣେ ଏବଂ କୁଲୁରେ ଜଣେ ବ୍ୟକ୍ତି ସାମିଲ ଅଛନ୍ତି। ସେହିପରି ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଲୋକେ ମୃତାହତ ହୋଇଛନ୍ତି। ସେହପରି ଅନେକ ଗୁରୁତ୍ଵପୂର୍ଣ୍ଣ ରାସ୍ତା ଜଳମଗ୍ନ ହୋଇ ରହିଥିବା ବେଳେ ବିଭିନ୍ନ ସ୍ଥାନରେ କଲଭର୍ଟ ଭାଙ୍ଗିଯାଇଛି।

ଅନ୍ୟପଟେ ଜମ୍ମୁକଶ୍ମୀର, ଉତ୍ତରାଖଣ୍ଡ ଓ ପଞ୍ଜାବରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ରାଜ୍ୟଗୁଡ଼ିକରେ ମଧ୍ୟ ଲୋକେ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଜମ୍ମୁକଶ୍ମୀରକୁ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହୋଇଛି। ବର୍ଷା ଜନିତ ଭୂସ୍ଖଳନ ପାଇଁ ଅନେକ ରାସ୍ତା ବନ୍ଦ ହୋଇଥିବାରୁ ଶତାଧିକ ଟ୍ରକ ଠିଆ ହୋଇରହିଥିବା ଦେଖିବାକୁ ମିଳିଛି।

ଉତ୍ତର ଭାରତର ରାଜ୍ୟମାନଙ୍କରେ ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ସେମାନଙ୍କୁ ରିଲିଫ ସାମଗ୍ରୀ ମଧ୍ୟ ବଣ୍ଟା ଯାଉଛି। ଏଥିପାଇଁ ଏନଡିଆରଏଫ, ସେନା ଓ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କର୍ମଚାରୀମାନେ ନିଯୁକ୍ତ ହୋଇଛନ୍ତି। ଏବେବି ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ଭାତରରେ ଏବେ ଆହୁରି ୨ ଦିନ ଯାଏଁ ବର୍ଷା ଜାରି ରହିବ। ଜମ୍ମୁକଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆବଶ୍ୟକତା ନଥିଲେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

ଏହାବାଦ ପଞ୍ଜାବ, ରାଜସ୍ତାନ, ହରିୟାଣା ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ମଧ୍ୟ ବର୍ଷା ସୂଚନା ଦିଆଯାଇଛି। ଏହି ସବୁ ରାଜ୍ୟରେ ସୋମବାର ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ପାଇଁ ଉତ୍ତର ଭାରତର ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।

Tags: #HeavyRainfall #NorthIndia #Rivers #FloodSituation #Landslide #IMD

 

Comment