ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ଜିଏସଟି ପରିଷଦର ୫୦ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ବସିଥିବା ଏହି ବୈଠକରେ କ୍ୟାନସର, କେତେକ ବିରଳ ରୋଗର ଔଷଧ ଓ ଅନ୍ୟ କିଛି ଜିନିଷ ଉପରୁ ଜିଏସଟି ଛାଡ଼ କରାଯାଇଛି। ଏହାଛଡ଼ା ଅନଲାଇନ ଗେମିଂ ଓ ଘୋଡ଼ା ଦୌଡ଼ ଆଦି ଖେଳ ଉପରେ ଜିଏସଟିକୁ ୨୮ ପ୍ରତିଶତ ଯାଏଁ ବଢ଼ାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ବୈଠକରେ ଅଧ୍ୟକ୍ଷତା କରିଥିଲେ।

କ୍ୟାନସର ଓ ଅନ୍ୟ କିଛି ବିରଳ ରୋଗର ଔଷଧରେ ପୂର୍ବରୁ ୧୮ ପ୍ରତିଶତ ଜିଏସଟି ଲାଗୁଥିବାବେଳେ ମଙ୍ଗଳବାର ବୈଠକରେ ଏଗୁଡ଼ିକ ଉପରୁ ଜିଏସଟି ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯାଇଛି। ପୂର୍ବରୁ ଏହାକୁ ନେଇ ବହୁତ ରାଜ୍ୟ ସରକାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ।

ଅନ୍ୟପଟେ ରୋଷେଇ ଓ ଭଜା ହୋଇନଥିବା ସ୍ନାକ୍ସ, ଫିସ୍‌ ସଲ୍ୟୁବଲ୍‌ ପେଷ୍ଟ, ଏଲଡି ସ୍ଲାଗ୍‌ ଓ ଇମିଟେସନ ଜରି ସୁତା ଉପରେ ଟିକସ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ଭାରତର କୌଣସି ଘରୋଇ ମହାକାଶ କମ୍ପାନୀର ଉପଗ୍ରହ ଉତକ୍ଷେପଣକୁ ଜିଏସଟି ମୁକ୍ତ କରାଯାଇଛି।

ଅନ୍ୟପଟେ ସିନେମା ହଲରେ ୧୦୦ ଟଙ୍କାରୁ କମ ମୂଲ୍ୟର ଟିକେଟ ଉପରେ ୧୨ ପ୍ରତିଶତ ଏବଂ ଏହାଠାରୁ ଅଧିକ ଦାମର ଟିକେଟ ଉପରେ ୧୮ ପ୍ରତିଶତ ଟିକସ ଲାଗୁ ହେବ ବୋଲି ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ସିନେମା ହଲ୍‌ ପରିସରରେ ଥିବା ‌ରେସ୍ତୋରାଁର ଖାଦ୍ୟ ଉପରେ ଲାଗୁଥିବା ଜିଏସଟିକୁ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

ଜିଏସଟି ପରିଷଦ ବୈଠକରେ ଅନଲାଇନ୍ ଗେମ୍‌, ଘୋଡ଼ା ଦୌଡ଼ ଓ କାସିନୋ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଅନଲାଇନ୍‌ ଗେମରେ ହେଉଥିବା ସବୁ ପ୍ରକାରର ଖେଳ ଭିତରେ କୌଣସି ପ୍ରଭେଦ ରହିବନି ବୋଲି ସ୍ପଷ୍ଟ କରାଯାଇଛି।

ସେହିପରି ବୈଠକରେ ମଲଟି ୟୁଟିଲିଟି ଭେଇକିଲ୍ (ଏମୟୁଭି) ଉପରେ ୨୨ ପ୍ରତିଶତ କ୍ଷତିପୂରଣ ସେସ୍‌ ଲାଗୁ କରିବା ପ୍ରସ୍ତାବ ଉପରେ ସହମତି ମିଳିଛି। ଏହି ଗାଡ଼ିଗୁଡ଼ିକ ପାଇଁ ନିର୍ଦ୍ଧାରିତ ହୋଇଥିବା ସଂଜ୍ଞ‌ା ଅନୁସାରେ ପଞ୍ଜୀକରଣକୁ କଡ଼ାକଡ଼ି କରିବାକୁ କୁହାଯାଇଛି। ଏହି ଏମୟୁଭି ମଧ୍ୟରେ ସେଡାନ୍ ଗାଡ଼ିଗୁଡ଼ିକୁ ସାମିଲ କରାଯାଇନାହିଁ।

ଜିଏସଟି ପରିଷଦର ୫୦ତମ ବୈଠକରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ, କେନ୍ଦ୍ର ରାଜସ୍ଵ ସଚିବ ସଞ୍ଜୟ ମାଲୋହୋତ୍ରା, ଆରବିଆଇ ମନିଟାରି କମିଟିର ସଦସ୍ୟ ରାଜୀବ ରଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ। ଏହାଛଡ଼ା ଏହି ବୈଠକରେ ଅନେକ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହୋଇଥିଲେ।

Tags: #GSTCouncilMeeting #GSTRates #TaxCollection #MinistryofFinance

 

Comment