ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜଳନ୍ତା ଜୁଇରୁ ଅଧାପୋଡ଼ା ଶବର ମାଂସକୁ ଖାଇଗଲେ ଦୁଇଜଣ ମଣିଷ। ଏହା କୌଣସି କାହାଣୀର ସ୍କ୍ରିପ୍ଟ ନୁହେଁ। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବୀରେଶ୍ୱରପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଧସାହି ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା।

ବନ୍ଧସାହି ଗ୍ରାମର ମଧୁସ୍ମିତା ସିଂଙ୍କ ମୃତ୍ୟୁ ହେବା ପରେ ଶବଦାହ କରିବାକୁ ନେଇଥିଲେ ସମ୍ପର୍କୀୟମାନେ। ଜଳନ୍ତା ଜୁଇରୁ ଅଧାପୋଡ଼ା ଶବର ମାଂସ କାଢ଼ି ଆଣିଥିଲେ ଦୁଇ ଜଣ ସମ୍ପର୍କୀୟ ସୁନ୍ଦର ମୋହନ ସିଂ ଓ ନରେନ୍ଦ୍ର ସିଂ। ପରେ ଦୁହେଁ ସେହି ମାଂସକୁ ଖାଇଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ଗାଁ ଲୋକ ଉଭୟ ମୋହନ ଏବଂ ନରେନ୍ଦ୍ରଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଅଭିଯୁକ୍ତ ମୋହନ ଏବଂ ନରେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାରୁ ତଦନ୍ତ ଆରମ୍ଭ କରିଛି।

କ’ଣ ଥିଲା ପୂରା ଘଟଣା?

ମଙ୍ଗଳବାର ଦିନ ବନ୍ଧସାହି ଗ୍ରାମର ମଧୁସ୍ମିତା ସିଂ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାରେ ଭର୍ତ୍ତି କରିଥିଲେ ପରିବାର ଲୋକ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମଧୁସ୍ମିତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା। ବ୍ୟବଚ୍ଛେଦର ପରେ ପରିବାର ଲୋକଙ୍କୁ ମଧୁସ୍ମିତାଙ୍କର ମୃତଦେହ ହସ୍ତାନ୍ତର କରାଯାଇଥିଲା।

ଘରକୁ ଆଣିବା ପରେ ଶବ ସତ୍କାର ପାଇଁ ଗାଁ ମଶାଣିକୁ ନିଆଯାଇଥିଲା। ଜୁଇରେ ଜଳୁଥିବା ସମୟରେ ସୁନ୍ଦର ମୋହନ ସିଂ ଏବଂ ନରେନ୍ଦ୍ର ସିଂ ଅଧାପୋଡ଼ା ଶବରୁ କିଛି ମାଂସ ଆଣି ଖାଇବାକୁ ଲାଗିଲେ। ଏହା ଜଣିବା ପରେ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ଦୁଇ ଅଭିଯୁକ୍ତଙ୍କୁ ଗାଁ ମୁଣ୍ଡରେ ଅଟକ ରଖି ପଚରା ଉଚରା କରିଥିଲେ।

ଏହା ପରେ ଅଭିଯୁକ୍ତ ଦୁହିଁଙ୍କୁ ଘେରି ଯାଇଥିଲେ ଗାଁ ଲୋକ। ଏହାକୁ ନେଇ ଉତ୍ତେଜନା ବଢ଼ିବାରୁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ନେବା ସହ ସେମାନଙ୍କଠାରୁ ଗାମୁଛାରେ ବନ୍ଧାଥିବା କିଛି ପୋଡ଼ା ମାଂସକୁ ଜବତ କରିଥିଲା। ପଚରା ଉଚରା ସମୟରେ ଜୁଇରୁ ଶବର ପୋଡ଼ା ମାଂସ ଖାଇଥିବା ସ୍ଵୀକାର କରିଥିଲେ ଅଭିଯୁକ୍ତ। ନିଶାଗ୍ରସ୍ତ ଅବସ୍ଥାରେ ଦୁହେଁ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ବଡ଼ସାହି ଥାନା ଆଇଆଇସି ସଞ୍ଜୟ କୁମାର ପରିଡ଼ା।

Tags: #Mayurbhanj #DeadBody #ManEatHumanFlesh

Comment