ଓଡ଼ିଶାଲାଇଭ୍ ବ୍ୟୁରୋ

ଯମୁନା ନଦୀ ପାଣିରେ ଦିଲ୍ଲୀର ହାଲ ଏବେ ପୂରା ବେହାଲ ହୋଇପଡ଼ିଛି।

ଯମୁନା ନଦୀର ଜଳସ୍ତର ଲଗାତର ବୃଦ୍ଧି ହେବା କାରଣରୁ ଦିଲ୍ଲୀରେ ପରିସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ଲଗାତର ପାଣି ଛଡ଼ା ଯାଉଥିବାରୁ ଏହି ପାଣି ପ୍ରତିବର୍ଷ ରାଜଧାନୀ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସଙ୍କଟର କାରଣ ପାଲଟେ। ଏବେ ଦିଲ୍ଲୀର ତଳିଆ ଅଞ୍ଚଳ ଯମୁନା ନଦୀ କବଳରେ ରହିଛି।

ପୂର୍ବ ଏବଂ ଉତ୍ତର ପୂର୍ବ ଦିଲ୍ଲୀ ସବୁଠାରୁ ଅଧିକ ବନ୍ୟା ଦ୍ଵରା ପ୍ରଭାବିତ ହୋଇଛି। ଏ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ୪୧ ହଜାରରୁ ଊର୍ଦ୍ଧ୍ଵ ଲୋକ। ବନ୍ୟା ପ୍ରଭାବିତଙ୍କୁ ରିଲିଫ କ୍ୟାମ୍ପଗୁଡ଼ିକରେ ରଖାଯାଇଛି।

ଦିଲ୍ଲୀରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଏବେ ଭୟଙ୍କର ରୂପ ଧାରଣ କରିବାକୁ ଲାଗିଛି। ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଥିବାବେଳେ ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ବୁଧବାର ଦିନ ଯମୁନା ନଦୀରେ ୨୦୮.୫୩ ମିଟର ପର୍ଯ୍ୟନ୍ତ ପାଣି ପହଞ୍ଚିଥିଲା। ବର୍ଷା ପରେ ନଦୀ ଆଖ ପାଖରେ ରହୁଥିବା ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି।

କେମିତି ଅଛି ଦିଲ୍ଲୀର ସ୍ଥିତି?

ଦିଲ୍ଲୀରେ ବନ୍ୟା ପରିସ୍ଥିତି ଯୋଗୁଁ ତିନିଟି ଓ୍ଵାଟର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ପାଣି ପଶିଯାଇଥିବାରୁ ତିନୋଟି ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ବନ୍ଦ କରାଯାଇଥିବା କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ପାଣି ସମସ୍ୟା ଦେଖାଦେବ ବୋଲି ସେ କହିଛନ୍ତି।

୨୦୧୩ ମସିହା ପରେ ପ୍ରଥମ ଥର ଲାଗି ପୁରୁଣା ରେଲଓ୍ଵେ ବ୍ରିଜ ଉପରେ ଜଳସ୍ତର ବୁଧବାର ସକାଳ ୪ଟା ସମୟରେ ୨୦୭ ମିଟର ଚିହ୍ନ ଟପିଥିବାବେଳେ ରାତି ୧୧ଟା ସମୟରେ ଏହା ବଢ଼ି ୨୦୮.୦୮ ମିଟର ହୋଇଯାଇଥିଲା। ଗୁରୁବାର ସକାଳ ସୁଦ୍ଧା ୨୦୮.୫୩ ମିଟର ପର୍ଯ୍ୟନ୍ତ ପହଞ୍ଚିଛି ଯମୁନା ନଦୀର ଜଳସ୍ତର। ଏହା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

ଯମୁନା ବ୍ୟାଙ୍କ ମେଟ୍ରୋ ଷ୍ଟେସନ ବାହାରେ ପାଣି ଭରି ଯାଇଛି। ପ୍ରବେଶ ଏବଂ ପ୍ରସ୍ଥାନ ଗେଟକୁ ବନ୍ଦ କରାଯାଇଛି। ଯମୁନା ନଦୀରେ ବଢ଼ୁଥିବା ଜଳସ୍ତର ଯୋଗୁଁ ନଦୀ ଉପରେ ନିର୍ମିତ ଚାରି ମେଟ୍ରୋ ପୋଲରେ ଘଣ୍ଟା ପ୍ରତି ୩୦ କିଲୋ ମିଟର ବେଗରେ ଗତି କରୁଛି ଟ୍ରେନ।

ସବୁ ସ୍କୁଲ କଲେଜ ବନ୍ଦ

ଦିଲ୍ଲୀ ଦେଖା ଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁଁ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରାଯାଇଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରବଳ ବର୍ଷାରେ ରାଜଧାନୀ ଦିଲ୍ଲୀ ଜଳମଗ୍ନ ହୋଇପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

କେଉଁଠିକୁ ରହିଛି ସତର୍କ ସୂଚନା?

ଦିଲ୍ଲୀର ବୁରାଡି ଟ୍ରାନ୍ସପୋର୍ଟ ଅଥରିଟି କାର୍ଯ୍ୟାଳୟରେ ପଶିଯାଇଛି ବନ୍ୟା ପାଣି। ଗୁରୁବାଠାରୁ ଏହି କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି। କୌଣସି କାମରେ କାର୍ଯ୍ୟାଳୟକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ରିଙ୍ଗ ରୋଡ଼ରେ ପାଣି ଆସିବା ପରେ କାଶ୍ମିରୀ ଟେଡ ଯିବାକୁ ଥିବା ରାସ୍ତାକୁ ଦିଲ୍ଲୀ ପୋଲିସ ବନ୍ଦ କରିଦେଇଛି। ବୁରାଡ଼ି-ଅଲିପୁରରୁ ଆସୁଥିବା ଗାଡ଼ିଗୁଡ଼ିକୁ ତିମାରପୁର ଆଡ଼କୁ ଡାଇଭର୍ଟ କରାଯାଇଛି।

କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଏହାକୁ ଏକ୍ସଟ୍ରିମ ସିଚୁଏସନ ବୋଲି ଘୋଷଣା କରିଛି। ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇଛି।

ପୂର୍ବରୁ ଦିଲ୍ଲୀ ଦେଖିଛି ଅନେକ ବନ୍ୟା

ଦିଲ୍ଲୀରେ ବନ୍ୟା ଆସିବା ନୂଆ କଥା ନୁହେଁ। ଏହା ପୂର୍ବରୁ ଅନେକ ବନ୍ୟା ଦେଖିଛନ୍ତି ଦିଲ୍ଲୀବାସୀ। ଗତ ୧୯୦୦ ମସିହା ପରେ ଅନେକ ବଡ଼ ବଡ଼ ବନ୍ୟା ଆସିଛି ଦିଲ୍ଲୀରେ। ୧୯୨୪, ୧୯୪୭, ୧୯୭୬, ୧୯୭୮, ୧୯୮୮, ୧୯୯୫, ୨୦୧୦ ଏବଂ ୨୦୧୩ ମସିହାରେ ବନ୍ୟା ପାଣିରେ ବୁଡ଼ିଥିଲା ଦିଲ୍ଲୀ। ଏବେ ୨୦୨୩ ମସିହାରେ ଯମୁନା ନଦୀର ଜଳସ୍ତର ୧୯୭୮ ମସିହାର ରେକର୍ଡ ଭାଙ୍ଗିଛି।

Tags: #Delhi #FloodSituationInDelhi #HeavyRainfall

Comment