ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ଉତ୍ତର ଭାରତରେ ଚଳିତବର୍ଷ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବନ୍ୟା କାରଣରୁ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହିମାଚଳ ପ୍ରଦେଶ, ଜମ୍ମୁକଶ୍ମୀର, ଉତ୍ତରପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଶତାଧିକ ଲୋକେ ପ୍ରାଣ ହରାଇଲେଣି। ବୁଧବାରଠାରୁ ବର୍ଷାର ତୀବ୍ରତା ହ୍ରାସ ପାଇଥିଲେ ମଧ୍ୟ ଏହାର ପ୍ରକୋପରୁ ନିସ୍ତାର ମିଳିନାହିଁ।

ଚଳିତବର୍ଷ ବର୍ଷାରେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶର ସର୍ବାଧିକ କ୍ଷୟକ୍ଷତି ହୋଇଛି। ରାଜ୍ୟରେ ଏଯାଏଁ  ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ପାଇଁ ୮୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କର ସଡ଼କ ଦୁର୍ଘଟଣାରେ ଏବଂ ୨୧ ଜଣଙ୍କର ଭୂସ୍ଖଳନରେ ମୃତ୍ୟୁ ହୋଇଛି। ସେହିପରି ଉଚ୍ଚ ସ୍ଥାନରୁ ପଡ଼ିବା କାରଣରୁ ୧୨ ଜଣଙ୍କର ଏବଂ ପାଣିରେ ବୁଡ଼ିଯିବା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି।

ହିମାଚଳ ପ୍ରଦେଶରେ ବର୍ଷା ଯୋଗୁଁ ତିନି ଦିନ ମଧ୍ୟରେ ପ୍ରାୟ ୧୩୦୦ ରାସ୍ତା ଅବରୋଧ ହେବା ସହ ୪୦ଟି ପ୍ରମୁଖ ପୋଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ରାଜ୍ୟରେ ୮୦ରୁ ଅଧିକ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରାୟ ୪୦୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟରେ ହୋଇଥିବା ବନ୍ୟା ବିପର୍ଯ୍ୟୟ ପରେ ହିମାଚଳ ପ୍ରଦେଶ ସରକାର ସମସ୍ତ ପ୍ରଭାବିତ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ସେହିପରି ହିମାଚଳ ପ୍ରଦେଶରେ ଥିବା ପ୍ରମୁଖ ପର୍ଯ୍ୟଟନ ସ୍ଥଳ କୁଲ୍ଲୁ, ମନାଲି, ଚମ୍ବା, ସୋଲନ ଆଦି ସ୍ଥାନରେ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ଅନେକ ସ୍ଥାନରେ ବିଦ୍ୟୁତ ଓ ଟେଲିଫୋନ ସେବା ବ୍ୟାହତ ହୋଇଛି।

ଅନ୍ୟପଟେ ଉତ୍ତରାଖଣ୍ଡରେ ମଧ୍ୟ ଏବେ ବି ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ରାଜ୍ୟରେ ଅନେକ ନଦୀର ଜଳସ୍ତର ବଢ଼ିଛି। ରାଜ୍ୟରେ ଏ ଯାଏଁ ବର୍ଷାଜନିତ ବିଭିନ୍ନ କାରଣରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଭୂସ୍ଖଳନ ଯୋଗୁ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ରାଜପଥ ୬ରୁ ଅଧିକ ସ୍ଥାନରେ ଅବରୋଧ ହୋଇଯାଇଛି। ଏହାଫଳରେ ପ୍ରାୟ ୩ ହଜାରରୁ ୫ ହଜାର ଯାତ୍ରୀ ଫସି ରହିଛନ୍ତି। ଆଗକୁ ଜୁଲାଇ ୧୫ ଓ ୧୬ ତାରିଖ ବେଳକୁ ଉତ୍ତରାଖଣ୍ଡରେ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଉତ୍ତର ଭାରତରେ ଚଳିତବର୍ଷର ବର୍ଷା ପ୍ରାୟ ୪୦ ବର୍ଷର ରେକର୍ଡ ଭଙ୍ଗିଛି। ପାହାଡ଼ି ରାଜ୍ୟରେ ବର୍ଷା ଯୋଗୁଁ ସତଲେଜ, ବ୍ୟାସ, ରାବୀ, ଚେନାବ ଆଦି ବିଭିନ୍ନ ନଦୀରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବଢ଼ିଛି। ନୂଆଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ପାର କରି ଏବେ ୨୦୮ ମିଟର ଉପରେ ପ୍ରବାହିତ ହେଉଛି। ଏହାଫଳରେ ଦିଲ୍ଲୀର ଯମୁନା ନଦୀ କୂଳର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି।

ଚଳିତବର୍ଷ ଉତ୍ତର ଭାରତରେ ମୌସୁମୀ ବାୟୁ ପହଞ୍ଚିବା ସମୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିଥିଲା। ଏହାଫଳରେ ପାହାଡ଼ିଆ ଅଞ୍ଚଳରେ ମୌସୁମୀ ବାଦଲ ପଶ୍ଚିମା ଝଡ଼ ସହ ମିଶି ଏକା ସାଙ୍ଗେ ଫାଟି ପଡ଼ିଥିବାର ଦେଖିବାକୁ ମିଳିଛି। ଅଳ୍ପ ସମୟ ବ୍ୟବଧାନରେ ହୋଇଥିବା ପ୍ରବଳ ବର୍ଷା ବ୍ୟାପକ କ୍ଷୟକ୍ଷତିର କାରଣ ପାଲଟିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Tags: #HeavyRainfall #NorthIndia #Rivers #FloodSituation #Landslide #IMD

 

Comment