ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ପ୍ରାୟ ୪୩ ଲକ୍ଷ ଟଙ୍କାର ଅନଲାଇନ ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟର ଡେଲିଭରି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୩ ଜଣ କର୍ମଚାରୀ ସୁନିଲ ପ୍ରିୟରଞ୍ଜନ ପାଲ, ଆଶିଷ ରଞ୍ଜନ ପ୍ରଧାନ ଏବଂ ବ୍ୟୋମକେଶ ଗିରି।

ବୌଦ୍ଧ, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ଲିପକାର୍ଟର ଡେଲିଭରି କାର୍ଯ୍ୟାଳୟରେ କାମ କରୁଥିବା ନୟାଗଡ଼ ଜିଲ୍ଲାର ସୁନିଲ ପ୍ରିୟରଞ୍ଜନ ପାଲ, ଖୋର୍ଦ୍ଧାର ଆଶିଷ ରଞ୍ଜନ ପ୍ରଧାନ ଏବଂ ବାଲେଶ୍ୱର ଜିଲ୍ଲାର ବ୍ୟୋମକେଶ ଗିରି କମ୍ପାନିର ପ୍ରାୟ ୪୩ ଲକ୍ଷ ଟଙ୍କା ପଇଠ କରିନଥିଲେ। ବାରମ୍ବାର ଟଙ୍କା ପଇଠ କରିବାକୁ କୁହାଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଶୁଣିନଥିଲେ। ଶେଷରେ ଏ ନେଇ କମ୍ପାନି ପକ୍ଷରୁ ବାଉଁଶୁଣୀ, କଣ୍ଟାମାଳ ଏବଂ କିଶୋର ନଗର ଥାନାରେ ଏତଲା ଦିଆଯାଇଥିଲା।

ସମ୍ପୃକ୍ତ ୩ ଥାନା ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତମାନଙ୍କଠାରୁ ନଗଦ ୪ଲକ୍ଷ ୫୦ ହଜାର ଟଙ୍କା ସହ ୩ଟି ମୋବାଇଲ ଫୋନ, ଦୁଇଟି ବାଇକ୍ ଏବଂ ଗୋଟିଏ ଲାପଟପ ଜବତ କରାଯାଇଛି। ଏ ନେଇ କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି।

Tags: #OnlineScam #Boudh #BoudhPolice #Arrest

Comment