ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): କଲରାପତରିଆ ବାଘ ଶିକାର କରି ଛାଲ ବିକ୍ରି କରିବା ଅଭିଯୋଗରେ ରବିବାର ଦିନ ଗିରଫ ହୋଇଥିବା ଅଭିଯୁକ୍ତ ହସ୍ପିଟାଲ ବେଡରୁ ଚମ୍ପଟ ମାରିଛନ୍ତି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ। ଫେରାର ଅଭିଯୁକ୍ତ ହେଉଛନ୍ତି ରୁପାୟ ମାରାଣ୍ଡି। ସୋମବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ବାରିପଦା ରେଞ୍ଜ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ।

କଲରାପତରିଆ ବାଘ ଶିକାର କରି ତା’ର ଛାଲକୁ ଶିକାରୀମାନେ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବାରିପଦା ବନଖଣ୍ଡ ଅଧିକାରୀ ଖବର ପାଇଥିଲେ। ଏହା ପରେ ବାରିପଦା ବନଖଣ୍ଡ ଅଧିକାରୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକଙ୍କ ନେତୃତ୍ଵ ଉଭୟଙ୍କ ଅଧୀନରେ ଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଉତ୍ତର), ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା।

ଏହି ଟିମ୍ ରବିବାର ଦିନ ଖୁଣ୍ଟା ଥାନା ଅନ୍ତର୍ଗତ ବହଲଦା ଗ୍ରାମରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଗୋଟିଏ ଘରୁ ୪ଟି କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା କଲରାପତରିଆ ବାଘ ଶିକାର ଏବଂ ଛାଲ ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ଅଭିଯୁକ୍ତଙ୍କ ମଧ୍ୟରୁ ରୁପାୟ ମାରାଣ୍ଡି ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ। ରୁପାୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ରାତିରେ ଅଭିଯୁକ୍ତ ହସ୍ପିଟାଲ ବେଡରୁ ଫେରାର ହୋଇଯାଇଥିଲେ।

Tags: #Mayurbhanj #LeopardSkin #LeopardHunting

Comment