ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ହେବାକୁ ଥିବା ଏସିଆନ ପାରା ଗେମ୍ସ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଦଳର ଟ୍ରାଏଲ୍ସ ସୋମବାରଠୁ ଆରମ୍ଭ ହୋଇଛି। ଏହି ଟ୍ରାଏଲ୍ସରେ ଓଡ଼ିଶାରୁ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କ ସମେତ ମୋଟ ୪ ଜଣ ଓଡ଼ିଆ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଏହି ଟ୍ରାଏଲ୍ସ ରାଜ୍ୟର ଅନ୍ୟ ଖେଳାଳିଙ୍କ ମଧ୍ୟରେ ଦୀପ ରଞ୍ଜନ ବିଶୋଇ, ଦିଲେଶ୍ଵର ରାଓ ଓ ଶୁଭ୍ରଜିତ ମହାରଣା ସାମିଲ ଅଛନ୍ତି।

ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଚାଲୁଥିବା ଏହି ଜାତୀୟ ପାରା ବ୍ୟାଡମିଣ୍ଟନ ଟ୍ରାଏଲ୍ସରେ ପ୍ରମୋଦ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ବର୍ଗରେ ଖେଳୁଛନ୍ତି। ସେହିପରି ଅନ୍ୟ ୩ ଜଣ ଓଡ଼ିଆ ଖେଳାଳି କେବଳ ଯୁଗଳ ବର୍ଗରେ ଭାଗନେ‌ଇଛନ୍ତି।

ଏହି ଟ୍ରାଏଲ୍ସର ପ୍ରଥମ ଦିନରେ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ଏକକରେ ୨ଟି ମ୍ୟାଚ୍‌ ଜିତିଥିଲାବେଳେ ଯୁଗଳ ଓ ମିଶ୍ରିତ ଯୁଗଳରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ। ଅନ୍ୟପଟେ ଦୀପ ରଞ୍ଜନ, ଦିଲେଶ୍ଵର ଓ ଶୁଭ୍ରଜିତ ଖେଳିଥିବା ନିଜ ନିଜର ମ୍ୟାଚରେ ପରାସ୍ତ ହୋଇଥିଲେ।

ଏହି ପାରା ବ୍ୟାଡମିଣ୍ଟନ ଟ୍ରାଏଲ୍ସ ବୁଧବାର ଯାଏଁ ଚାଲିବ। ଏଥିରେ ବିଭିନ୍ନ ବର୍ଗରେ ଶୀର୍ଷରେ ଥିବା ଖେଳାଳି ୨୦୨୩ ଏସିଆନ ପାରା ଗେମ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଏହି ପ୍ରତିଯୋଗିତା ଚଳିତବର୍ଷ ଅକ୍ଟୋବର ୨୨ରୁ ୨୮ତାରିଖ ଯାଏଁ ଚାଇନାର ହାଙ୍ଗଜୁ ସହରରେ ଅନୁଷ୍ଠିତ ହେବ।

Tags: #AsianParaGames2023 #NationalBadmintonTrials #PromodBhagat #Badminton #Sports

Comment