ଓଡ଼ିଶାଲାଇଭ୍ ବ୍ୟୁରୋ

ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ଗୁମର ଧୀରେ ଧୀରେ ଫିଟୁଛି। ଏହି ଘଟଣାରେ ଜୁଲାଇ ୨୫ ତାରିଖରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଗୁରୁବାର ଦିନ ଗିରଫ ହୋଇଛି ମାଷ୍ଟରମାଇଣ୍ଡ। ମାଷ୍ଟରମାଇଣ୍ଡକୁ ବିହାରରୁ ଗିରଫ କରିଛି ବାଲେଶ୍ଵର ପୋଲିସ।

ଏହି ମାମଲାର ମାଷ୍ଟରମାଇଣ୍ଡ ସମେତ ୭ ଜଣ ଆଜି ଗିରଫ ହୋଇଛନ୍ତି। ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ଜଣ ଗିରଫ ହୋଇଛନ୍ତି। ପ୍ରିଣ୍ଟିଂ ପ୍ରେସର ଜଣେ କର୍ମଚାରୀ ପ୍ରଶ୍ନପତ୍ର ଲିକ୍ କରିଥିବା ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

ହ୍ଵାଟସଆପ ଏବଂ ଅନ୍ୟ ନେଟଓ୍ଵର୍କିଂ ମାଧ୍ୟମରେ ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଦିଆଯାଉଥିଲା। ମୋଟା ଅଙ୍କର ଅର୍ଥ ବଦଳରେ ପ୍ରଶ୍ନପତ୍ର ଦିଆଯାଉଥିଲା। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକୁ ଦଲାଲମାନେ ଟାର୍ଗେଟ କରୁଥିଲେ ବୋଲି କହିଛନ୍ତି ବାଲେଶ୍ଵର ଏସପି ସାଗରିକା ନାଥ।

ବିଭିନ୍ନ ରାଜ୍ୟରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃପକ୍ଷଙ୍କ ନିକଟ ସମ୍ପର୍କୀୟ ଭାବେ ପରିଚୟ ଦେଇ ଏହି ଦାଲାଲମାନେ ପ୍ରଶ୍ନପତ୍ର ଓ ଚାକିରି ପିଛା ଆଶାୟୀମାନଙ୍କଠାରୁ ୧୦ରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ। ପରୀକ୍ଷାର୍ଥୀଙ୍କଠାରୁ ସମସ୍ତ ଅସଲି ଶିକ୍ଷାଗତ ପ୍ରମାଣପତ୍ର ଏବଂ ସେମାନଙ୍କ ଦସ୍ତଖତ ଥିବା ଦୁଇଟି ବ୍ଲାଙ୍କ୍‌ ଚେକ୍‌ ନେବା ପରେ ନିଜ କାମ ଆରମ୍ଭ କରୁଥିଲେ ଏମାନେ। ଡିଲ୍ ଅନୁସାରେ ଅଧା ଟଙ୍କା ବଦଳରେ ପ୍ରଶ୍ନପତ୍ର ଦିଆଯାଉଥିଲା।

ସଂଯୋଗ କ୍ରମେ ଯଦି କୌଣସି ଆଶାୟୀ ପରୀକ୍ଷାରେ ପାସ୍‌ କରୁଥିଲେ ଏହି ଦଲାଲମାନେ ସେମାନଙ୍କଠାରୁ ପୂର୍ବ ଦାବି ମୁତାବକ ଅର୍ଥ ନେବା ପରେ ଅସଲି ଶିକ୍ଷାଗତ ପ୍ରମାଣପତ୍ର ଫେରାଉ ଥିଲେ। ଶିକ୍ଷାଗତ ପ୍ରମାଣପତ୍ର ରଖି ଦଲାଲମାନେ ଆଶାୟୀଙ୍କୁ ଏକ ପ୍ରକାର ବ୍ଲାକମେଲିଂ କରୁଥିଲେ ବୋଲି ଏସପି କହିଛନ୍ତି।

ପୂର୍ବରୁ ୮୮ ଜଣ ଆଶାୟୀ ଦଲାଲଙ୍କ ଶିକାର ହୋଇଥିବା କୁହାଯାଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୧୦୦ ଟପିଥିବା ଏସପି ସୂଚନା ଦେଇଥିଲେ। ଓଏସଏସସି ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସାମ୍ନାକୁ ଆସିବା ପରେ ଏହାର ଖୋଳତାଡ଼ କରିଥିଲା ପୋଲିସ। ଖୋଳତାଡ଼ ବେଳେ ବିବାହାରରୁ ଓଡ଼ିଶାକୁ ଏହାର ଚେର ଲମ୍ବିଥିବା ଜାଣାପଡ଼ିବା ପରେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଯୋଜନା କରିଥିଲା ବାଲେଶ୍ଵର ପୋଲିସ।

Tags: #OSSCQuestionPaper #ExaminationPaperLeaked #BalasorePolice #PoliceInvestigation

Comment