ଓଡ଼ିଶାଲାଇଭ୍ ବ୍ୟୁରୋ

ଘନୀଭୂତ ହେଉଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ୩ ଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ପ୍ରବଳ ବର୍ଷା ପାଇଁ ଓଡ଼ିଶାର ୪ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର ଓ ଭଦ୍ରକ ଜିଲ୍ଲାର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ। ଅନ୍ୟପଟେ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ଥିବା ରାଜ୍ୟର ୧୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ସୋମବାର ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷାରେ କେତେକ ଅଞ୍ଚଳରେ ପାଣି ଜମି ଯାଇଥିବା ଦେଖାଦେଇଛି। ଏହାଫଳରେ ଯାତାୟତ ପ୍ରଭାବିତ ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗରରେ ଥିବା ଲଘୁଚାପ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ। ଏହା ଏବେ ସମୁଦ୍ର ପତ୍ତନଠାରୁ ୯.୫ କିମି ଉଚ୍ଚତା ଯାଏଁ ବ୍ୟାପିଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୭.୮ ମିଲିମିଟର ବର୍ଷା ହୋଇଥିଲା। ରବିବାର ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାରେ ସର୍ବାଧିକ ୭୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ପୁରୀର ଅସ୍ତରଙ୍ଗରେ ୭୨ ମିଲିମିଟର, ଜଗତସିଂହପୁରର ବାଲିକୁଦାରେ ୭୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

Tags: #Monsoon2023 #Lowpressure #Rainfall #Depression #BayofBengal #Odisha

Comment