ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୯୮ ମସିହାରେ ଗଞ୍ଜାମ ଜିଲ୍ଲା ଗୋପାଳପୁରର ସିନ୍ଧି ଗାଁରେ ଟାଟା ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ହୋଇଥିବା ସଂଘର୍ଷରେ ରିଜର୍ଭ ପୋଲିସ ଇନ୍ସିପେକ୍ଟର ବିନୋଦ ମେହେରଙ୍କ ମୃତ୍ୟୁ ହୋଇଥିଲା। ୨୫ ବର୍ଷ ପରେ ସୋମବାର ଦିନ ଏହି ମାମଲାର ରାୟ ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ-୩ ମାମଲାର ବିଚାର କରି ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।
ଏଡିଜେ କୋର୍ଟଙ୍କ ଏହି ରାୟ ବିରୋଧରେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ। ଚାଷୀ ଏବଂ ସାଧାରଣ ଜନତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ସେ କହିଛନ୍ତି।
କ’ଣ ଥିଲା ଘଟଣା?
୧୯୯୮ ମସିହାରେ ଗୋପାଳପୁରର ସିନ୍ଧି ଗାଁ ନିକଟରେ ଟାଟା ପ୍ରକଳ୍ପକୁ ବିରୋଧ କରି ଏକ ସଭା ହୋଇଥିଲା। ଏହି ପ୍ରକଳ୍ପକୁ ଗଞ୍ଜାମ ଏବଂ ଛତ୍ରପୁରର ଅନେକ ନେତା, ଚାଷୀ ଏବଂ ସାଧାରଣ ଲୋକ ବିରୋଧ କରୁଥିଲେ। ସଭା ଚାଲିଥିଲା ବେଳେ ହଠାତ୍ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହା ପରେ ସ୍ଥାନୀୟ ଲୋକ ଏବଂ ପୋଲିସ ଭିତରେ ସଂଘର୍ଷ ହୋଇଥିଲା। ଏଥିରେ ରିଜର୍ଭ ପୋଲିସ ଇନ୍ସପେକ୍ଟର ବିନୟ ମେହେରଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସମେତ ମୋଟ ୨୨ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଏହାରି ମଧ୍ୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ବ୍ରହ୍ମପୁର ଏଡିଜେ-୩ କୋର୍ଟ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସୋମବାର ଦିନ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ଆଜି କୋର୍ଟ ରାୟ ପ୍ରଦାନ କରିବା ବେଳେ ନାରାୟଣ ରେଡ୍ଡୀଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୧୩ ଅଭିଯୁକ୍ତ ମଧ୍ୟ ଉପସ୍ଥିତ ଥିଲେ।
Tags: #Brahmapur #ADJCourt #NarayanReddy #RIMurderCase #LifeImprisonment