ଶୁଭଲକ୍ଷ୍ମୀ ବଳ

କୁହାଯାଏ ସତ କେବେ ଲୁଚି ରହେନା। ଗୋଟିଏ ହତ୍ୟା ମାମଲାର ରାୟ ପାଇଁ ୨୮ ବର୍ଷ ବିଳମ୍ବ ହେଲା ସତ, ହେଲେ ଆଇନ ଆଖିରୁ ଲୁଚି ପାରିଲାନି ଅପରାଧ।

ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡର ନ୍ୟାୟ ପାଇଁ ଲାଗିଲା ୨୮ ବର୍ଷ। ପତ୍ନୀ ଶଶିରେଖା ଗମାଙ୍ଗଙ୍କୁ ଜିଅନ୍ତା ଜାଳି ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ। ରାମମୂର୍ତ୍ତିଙ୍କ ବିରୋଧରେ ମଙ୍ଗଳବାର ଦିନ ଦଣ୍ଡ ଶୁଣାଇଲେ ଭୁବନେଶ୍ଵର ସ୍ଵତନ୍ତ୍ର ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ। ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଲେ ଅଦାଲତ। ବିଳମ୍ବ ହେଲେ ମଧ୍ୟ ଆଇନର ଆଖିରୁ ଲୁଚି ପାରିଲାନି ଅପରାଧ।

ପତ୍ନୀ ଶଶିରେଖାଙ୍କୁ ହତ୍ୟା କରିବା ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କ ବିରୋଧରେ ଲାଗିଛି ଆଇପିସି ଦଫା ୩୦୨ ଏବଂ ୨୦୧। ଆଦାଲତଙ୍କ ନିର୍ଦେଶ ପରେ ଝାରପଡ଼ା ଜେଲକୁ ଯାଇଛନ୍ତି ରାମମୂର୍ତ୍ତି। ସେଠାରେ ସେ ଆଜୀବନ ବନ୍ଦୀ ଭାବେ ରହିବେ।

ଶଶିରେଖାଙ୍କ ମୃତ୍ୟୁକୁ ନେଇ ସେଦିନ ପୋଲିସକୁ କ’ଣ କହିଥିଲେ ରାମମୂର୍ତ୍ତି?

ଶଶିରେଖା ଥିଲେ ରାମମୂର୍ତ୍ତି ଗମାଙ୍ଗଙ୍କର ଦ୍ଵିତୀୟ ପତ୍ନୀ। ବିବାହର କିଛି ବର୍ଷ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା, କିନ୍ତୁ ପରେ ଆରମ୍ଭ ହୋଇଥିଲା ମନୋମାଳିନ୍ୟ। ଟିକେ ଟିକେ କଥାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ କଳହ ଲାଗୁଥିବା ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ପୋଲିସ।

୧୯୯୫ ମସିହା ଅଗଷ୍ଟ ୨୯ ତାରିଖ, ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶିରେଖା ଭୁବନେଶ୍ଵର ଏମ୍‌ଏଲ୍‌ଏ କଲୋନି କ୍ଵାର୍ଟର୍ସ ନମ୍ବର: ଡିଏସ୍-୧୮/୧ ର ବାଥରୁମରେ ଆତ୍ମହତ୍ୟା କରିଥିବା ଖବର ଆସିଲା। ଗଣେଶ ପୂଜା ପାଇଁ ସାରା ସହର ଉତ୍ସବମୁଖର ଥିବାବେଳେ ହଠାତ୍ ସକାଳ ପ୍ରାୟ ୧୦ଟା ୪୫‌ରେ ରାମମୂର୍ତ୍ତି ଗମାଙ୍ଗ ଖାରବେଳନଗର ଥାନାରେ ପହଞ୍ଚିଥିଲେ। ପତ୍ନୀ ଶଶିରେଖା ଆତ୍ମହତ୍ୟା କରିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ ରାମମୂର୍ତ୍ତି।

ରାମମୂର୍ତ୍ତି ପୋଲିସକୁ କହିଥିଲେ, “ଶଶିରେଖା ଗର୍ଭବତୀ ଥିଲେ। ତାଙ୍କର ବିଳମ୍ବରେ ଉଠିବାର ଅଭ୍ୟାସ ଥିଲା। ସକାଳ ପ୍ରାୟ ୯ଟା ବେଳେ ରାମମୂର୍ତ୍ତି ନିଜ ବେଡରୁମରେ ବସି ପେପର ପଢୁଥିବା ବେଳେ ଶଶିରେଖା ବାଥରୁମରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ସେ ଆସିବା ବେଳକୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ।”

କାହିଁକି ସନ୍ଦେହକୁ ଆସିଲେ ସ୍ଵାମୀ ରାମମୂର୍ତ୍ତି?

ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା ଖାରବେଳ ନଗର ଥାନା ପୋଲିସ। ଶଶିରେଖାଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇବା ଲାଗି ଖିଆ ଖୋଜିବା ଆରମ୍ଭ କରିଥିଲା ପୋଲିସ।

ରାମମୂର୍ତ୍ତିଙ୍କ ବୟାନ ଏବଂ ପାରିପାର୍ଶ୍ଵିକ ସ୍ଥିତି ମଧ୍ୟରେ କୌଣସି ତାଳମେଳ ନଥିବା ତଦନ୍ତ ବେଳେ ଅନୁଭବ କରିଥିଲା ପୋଲିସ। ବାଥରୁମ୍ କବାଟ ଭାଙ୍ଗିବା ପରେ ଶଶିରେଖାଙ୍କ ମୃତଦେହ ଦେଖିଥିବା ରାମମୂର୍ତ୍ତି ପୋଲିସକୁ କହିଥିବାବେଳେ ବାଥରୁମ୍ କବାଟ ଭାଙ୍ଗି ନଥିବା ଦେଖିବାକୁ ପାଇଥିଲା ପୋଲିସ। କିନ୍ତୁ ଝରକା କାଚ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା।

ଶଶିରେଖାଙ୍କ ହାତରେ କୌଣସି କ୍ଷତ ଚିହ୍ନ ନଥିଲା। ହତ୍ୟା ପରେ ଝରକା କାଚ ଭଙ୍ଗା ଯାଇଥିବା ପୋଲିସ ସନ୍ଦେହ କରିଥିଲା। ମୃତ୍ୟୁ ପରେ ଶଶିରେଖାଙ୍କ ଶବରେ କିରାସିନି ଢାଳି ନିଆଁ ଲଗା ଯାଇଥିବା ଫରେନସିକ୍ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ଶଶିରେଖାଙ୍କ ମୁଣ୍ଡର ପଛପଟେ ଗଭୀର ଆଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

ପ୍ରକାଶ ପାଇଥିବା କୋର୍ଟଙ୍କ ରାୟ ଅନୁସାରେ ଶଶିରେଖାଙ୍କ ଆଙ୍ଗୁଠିରେ ଖଣ୍ଡିଆ ଦାଗ ରହିଥିଲା। ଘଟଣାସ୍ଥଳରେ କେବଳ ରାମମୂର୍ତ୍ତି ହିଁ ଉପସ୍ଥିତ ଥିବା ପାରିପାର୍ଶ୍ଵିକ ସ୍ଥିତି ଏବଂ ସାଇଣ୍ଟିଫିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ପତ୍ନୀଙ୍କୁ ହତ୍ୟା କରିବା ପରେ ରାମମୂର୍ତ୍ତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ବୋଲି କୋର୍ଟରେ ପ୍ରମାଣିତ ହୋଇଥିଲା।

ଶଶିରେଖା ଆତ୍ମହତ୍ୟା କରିନାହାନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅନୁଭବ କରିଥିଲା ପୋଲିସ। ଏହା ପରେ ୧୯୯୫ ମସିହା ସେପ୍ଟେମ୍ବର ୧ ତାରିଖରେ ପୋଲିସ ରାମମୂର୍ତ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପରଦିନ ଅର୍ଥାତ୍ ସେପ୍ଟେମ୍ବର ୨ ତାରିଖରେ ରାମମୂର୍ତ୍ତି ଗାମଙ୍ଗଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା ପୋଲିସ। ପ୍ରାୟ ଦୁଇ ମାସ ଜେଲ୍‌ରେ ରହିବା ପରେ ସେହି ବର୍ଷ ନଭେମ୍ବର ୧ ତାରିଖରେ ଜାମିନରେ ମୁକୁଳି ଥିଲେ ରାମମୂର୍ତ୍ତି।

ନ୍ୟାୟ ପାଇଁ ୨୮ ବର୍ଷ

ଶଶିରେଖା ହତ୍ୟା ମାମଲାର ଶୁଣାଣି ଚାଲିଥିଲେ ମଧ୍ୟ ଅନେକ ସାକ୍ଷୀ ପ୍ରଭାବିତ ହୋଇସାରିଥିଲେ। ରାଜ୍ୟର ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ରୁଜୁ ହେଉଥିବା ମାମଲାର ଶୁଣାଣି କରିବା ଲାଗି ଭୁବନେଶ୍ଵରରେ ସ୍ଵତନ୍ତ୍ର କୋର୍ଟ ସ୍ଥାପନ ହେବା ପରେ ମାମଲା ସେଠାକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ପ୍ରାୟ ବର୍ଷେ ଧରି ଶୁଣାଣି ଚାଲିଲା। ୨୦୧୪ ମସିହା ଜୁନ ୨୪  ୨୦୧୪ରେ ସାକ୍ଷ୍ୟ ପ୍ରମାଣ ଦାଖଲ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣ ଆଧାରରେ ବିଚାର କରି ୨୦୨୩ ଜୁନ ୩ ତାରିଖରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ ଅତିରିକ୍ତ ଜିଲ୍ଲା ଦୌରାଜଜ। ପତ୍ନୀ ଶଶିରେଖାଙ୍କୁ ହତ୍ୟା କରିବା ମାମଲାରେ ୨୦୨୩ ଜୁନ ୨୪ ତାରିଖରେ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ। ୨୦୨୩ ଜୁନ ୨୭ ତାରିଖରେ ରାମମୂର୍ତ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଭୁବନେଶ୍ଵର ସ୍ଵତନ୍ତ୍ର ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ।

ପତ୍ନୀ ଶଶିରେଖାଙ୍କୁ ହତ୍ୟା କରିବା ପରେ କିରାସିନି ଢାଳି ଜାଳି ଦେବା ପାଇଁ ଉଦ୍ୟମ କରିଥିଲେ ରାମମୂର୍ତ୍ତି। ପ୍ରମାଣ ନଷ୍ଟ ପାଇଁ ସେ ଏଭଳି କାର୍ଯ୍ୟ କରିଥିବା କୋର୍ଟରେ ପ୍ରମାଣିତ ହୋଇଛି। ସେତେବେଳେ ସାକ୍ଷୀ ପ୍ରଭାବିତ ହୋଇଥିବାରୁ ଡାକ୍ତର, ତଦନ୍ତକାରୀ ଅଧିକାରୀ ଓ ସାଇଣ୍ଟିଫିକ୍ ଅଧିକାରୀଙ୍କ ବୟାନ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ, ପାରିପାର୍ଶ୍ଵିକ ପରିସ୍ଥିତି ଓ ସାଇଣ୍ଟିଫିକ୍ ରିପୋର୍ଟ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଥିଲା ବୋଲି କହିଛନ୍ତି ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା।

ରାମମୂର୍ତ୍ତିଙ୍କ ରାଜନୈତିକ କ୍ୟାରିୟର

ରାମମୂର୍ତ୍ତି ଗମାଙ୍ଗ ୧୯୯୦ରୁ ୧୯୯୫ ମସିହା ଯାଏଁ ଜନତା ଦଳର ବିଧାୟକ ରହିଥିଲେ। ଏହା ପରେ ୨୦୦୦ ମସିହାରେ ସେ ଗୁଣପୁରରୁ ବିଜେପି ଟିକେଟରେ ନିର୍ବାଚନ ଜିତି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବିଧାୟକ ରହିଲେ ସେ। କିନ୍ତୁ ୨୦୦୪ ନିର୍ବାଚନରେ ବିଜେପି ଟିକେଟରୁ ବିଧାନସଭା ଆସନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ ରାମମୂର୍ତ୍ତି। ୨୦୦୯ ମସିହାରେ ବିଜେପିରୁ ଦୂରେଇ ଯାଇଥିବା ରାମମୂର୍ତ୍ତି ଗମାଙ୍ଗା ପୁନର୍ବାର ୨୦୧୪ ମସିହାରେ ବିଜେପିରେ ଯୋଗ ଦେଇଥିଲେ।

Tags: #FormerMLARamamurthyGomango #Conviction #MurderCase #Gunupur #LifeImprisonment #CrimeFileOfRamamurthy

Comment