ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ନିଜ ପତ୍ନୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ୱର ସ୍ପେଶାଲ କୋର୍ଟ ଶନିବାର ଦିନ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହତ୍ୟା ଘଟଣାର ୨୮ ବର୍ଷ ପରେ ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଆସନ୍ତା ମଙ୍ଗଳବାର କୋର୍ଟ ତାଙ୍କ ଦଣ୍ଡ ବିଧାନର ଶୁଣାଣି କରିବେ।

୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଦିନ ରାମମୂର୍ତ୍ତି ଗମାଙ୍ଗଙ୍କ ଖାରବେଳ ନଗର ସ୍ଥିତ ବାସଭବନରେ ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଘରୁ ପତ୍ନୀଙ୍କ ପୋଡ଼ି ଯାଇଥିବା ମୃତଦେହ ମିଳିଥିଲା। ମୃତ୍ୟୁବେଳେ ସେ ଗର୍ଭବତୀ ଥିଲେ। ଏହାପରେ ରାମମୂର୍ତ୍ତି ନିଜେ ଖାରବେଳ ନଗର ଥାନାରେ ଶଶିରେଖାଙ୍କ ସନ୍ଦେହଜନକ ମୃତ୍ୟୁର ମାମଲା ରୁଜୁ କରିଥିଲେ।

ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ପରେ ଏହା ହତ୍ୟା ମାମଲାରେ ପରିଣତ ହୋଇଥିଲା। ହତ୍ୟା ପଛରେ ବିଧାୟକ ରାମମୂର୍ତ୍ତିଙ୍କ ହାତଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ତାଙ୍କ ବିରୋଧରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବାର ଧାରା ଲାଗାଇଥିଲା। ସବେଠୁ ଏହି ମାମଲାର ଶୁଣାଣି ଜାରି ରହିଥିଲା।

ରାମମୂର୍ତ୍ତି ଗମାଙ୍ଗ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ଗୁଣପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ସେ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ସେ ଗୁଣପୁରରୁ ବିଜେପି ଟିକେଟରେ ନିର୍ବାଚନ ଜିତି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ।

Tags: #EXMLARamamurthyGomango #Conviction #MurderCase #Gunupur

 

Comment