ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ଜାମିନ। ପତ୍ନୀ ଶଶିରେଖାଙ୍କ ହତ୍ୟା ମାମଲାରେ ହାଇକୋର୍ଟ ରାମମୂର୍ତ୍ତିଙ୍କ ଜାମିନ ମଞ୍ଜୁର କରିଛନ୍ତି। ଭୁବନେଶ୍ୱର ଏଡିଜେ କୋର୍ଟ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଥିଲେ। ପରେ ଏହି ରାୟକୁ ଚାଲେଞ୍ଜ କରି ସେ ହାଇକୋର୍ଟରେ ଆବେଦନ କରିଥିଲେ।

ରାମମୂର୍ତ୍ତି ଗମାଙ୍ଗ ଗତ ଜୁନ ୨୭ ତାରିଖରେ ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଭୁବନେଶ୍ୱର ଏଡିଜେ କୋର୍ଟ ତାଙ୍କୁ ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିଲେ। ଏହା ସହ ଦଫା ୨୦୧ ଆଧାରରେ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ କୋର୍ଟ।

ପତ୍ନୀ ଶଶିରେଖାଙ୍କୁ ହତ୍ୟା କରିବାର ୨୮ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ। ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ଏହାପରେ ସେ ଭୁବନେଶ୍ୱର ଏଡିଜେ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ରାମମୂର୍ତ୍ତି ଗମାଙ୍ଗଙ୍କ ଖାରବେଳ ନଗର ସ୍ଥିତ ବାସଭବନରେ ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ପତ୍ନୀ ଆତ୍ମହତ୍ୟା କରିଥିବା କହି ନିଜେ ରାମମୂର୍ତ୍ତି ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାରର ତଦନ୍ତ କରିଥିଲା। ତଦନ୍ତ ବେଳେ ଶଶିରେଖାଙ୍କ ହତ୍ୟା ହୋଇଥିବା ଜଣାପଡ଼ିଥିଲା। ହତ୍ୟା ପଛରେ ରାମମୂର୍ତ୍ତିଙ୍କ ହାତ ଥିବା ସାମ୍ନାକୁ ଆସିଥିଲା। ମୃତ୍ୟୁ ସମୟରେ ଶଶିରେଖା ଗର୍ଭବତୀ ଥିଲେ।

ବିଧାୟକ ନିଜେ ପତ୍ନୀଙ୍କ ହତ୍ୟା କରିଥିବା ପୋଲିସର ତଦନ୍ତ ଏବଂ ସାଇଣ୍ଟିଫିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ପତ୍ନୀଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରି ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ରାମମୂର୍ତ୍ତି।

Also read: ସ୍ତ୍ରୀଙ୍କୁ ମାରି ଆଜୀବନ: ପୂର୍ବତନ ବିଧାୟକଙ୍କ କ୍ରାଇମ୍ ଫାଇଲ୍

Tags: #FormerMLARamamurthyGomango #Conviction #MurderCase #HighCourtBail #Gunupur #LifeImprisonment

 

Comment