ଓଡ଼ିଶାଲାଇଭ୍ ବ୍ୟୁରୋ

ପତ୍ନୀ ଶଶିରେଖା ଗମାଙ୍ଗ ହତ୍ୟା ମାମଲାରେ ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମଙ୍ଗଳବାର ଦିନ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଭୁବନେଶ୍ଵର ସ୍ପେଶାଲ କୋର୍ଟ।

ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ। ଏହା ସହ ଦଫା ୨୦୧ ଆଧାରରେ ୩ ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ରହିଛି।

ପତ୍ନୀ ଶଶିରେଖା ଗମାଙ୍ଗଙ୍କ ହତ୍ୟା ମାମଲାରେ ଶନିବାର ଦିନ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଭୁବନେଶ୍ଵର ସ୍ପେଶାଲ କୋର୍ଟ। ରଶିରେଖାଙ୍କ ହତ୍ୟା ଘଟଣାର ୨୮ ବର୍ଷ ପରେ ୧୧ ଜଣ ସାକ୍ଷୀ ଏବଂ ୧୫ଟି ଦସ୍ତାବିଜ ଆଧାରରେ କୋର୍ଟ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ରାମମୂର୍ତ୍ତି ଗମାଙ୍ଗଙ୍କ ଖାରବେଳ ନଗର ସ୍ଥିତ ବାସଭବନରେ ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ମୃତ୍ୟୁ ହୋଇଥିବା ନେଇ ନିଜେ ରାମମୂର୍ତ୍ତି ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାରର ତଦନ୍ତ କରିଥିଲା। ତଦନ୍ତ ବେଳେ ଏହା ଶଶିରେଖାଙ୍କ ହତ୍ୟା ପଛରେ ଗୁଣପୁର ବିଧାୟକ ଥିବା ରାମମୂର୍ତ୍ତି ଗମାଙ୍ଗଙ୍କ ହାତ ଥିବା ଜଣାପଡ଼ିଥିଲା। ମୃତ୍ୟୁ ସମୟରେ ଶଶିରେଖା ଗର୍ଭବତୀ ଥିଲେ।

ପୋଲିସ ରାମମୂର୍ତ୍ତି ଗମାଙ୍ଗଙ୍କ ବିରୋଧରେ ଶଶିରେଖାଙ୍କୁ ହତ୍ୟା କରିବା ଏବଂ ପ୍ରମାଣ ନଷ୍ଟ କରିବା ମାମଲା ରୁଜୁ କରିଥିଲା। ସେବେଠାରୁ ଏହି ମାମଲାର ଶୁଣାଣି ଜାରି ରହିଥିଲା।

ରାମମୂର୍ତ୍ତି ଗମାଙ୍ଗ ୧୯୯୦ ମସିହାରେ ଜନତା ଦଳ ଟିକେଟରେ ଗୁଣପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ସେ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ସେ ଗୁଣପୁରରୁ ବିଜେପି ଟିକେଟରେ ନିର୍ବାଚନ ଜିତି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ।

Tags: #FormerMLARamamurthyGomango #Conviction #MurderCase #Gunupur #LifeImprisonment

Comment