ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ସେବା ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଛି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ମଧ୍ୟରେ ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଛି। ଏହି ବିଲ୍ ସମ୍ବିଧାନର କୌଣସି ନିୟମକୁ ଉଲଙ୍ଘନ କରୁନଥିବା ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏହି ବିଲ୍ ଉପରେ ଆଲୋଚନାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କ କଡ଼ା ସମାଲୋଚନା କରିଥିଲେ।

ଦିଲ୍ଲୀ ସେବା ବିଲକୁ ସମର୍ଥନ କରିବା ପାଇଁ ବିଜେଡି ପକ୍ଷରୁ ନିଜର ସାଂସଦମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ଏଥିପାଇଁ ଦଳ ପକ୍ଷରୁ ହ୍ୱିପ ଜାରି ହୋଇଥିଲା। ଏହି ବିଲ ବାବଦରେ ସାଂସଦ ପିନକୀ ମିଶ୍ର ଲୋକସଭାରେ ନିଜର ମନ୍ତବ୍ୟ ରଖିଥିଲେ।

“ଏହି ବିଲକୁ ଆମେ ସାମ୍ବିଧାନିକ ଦୃଷ୍ଟିକୋଣରୁ ସମର୍ଥନ କରିଛୁ। ଏହା କୌଣସି ଦିଗରୁ ସମ୍ବିଧାନର ଉଲଙ୍ଘନ କରୁନି। ବିଲକୁ ସମର୍ଥନ କରିବାକୁ ନେଇ ଅନେକ ବିରୋଧୀ ଦଳ ଆମକୁ ସମାଲୋଚନା କରିଛନ୍ତି। ମୁଁ ଏହା କହିବାକୁ ଚାହୁଁଛି ଯେ, ଆମେ ବିଜେପିକୁ ଆମେ ଖୋଲା ସମର୍ଥନ କରିନୁ, ରାଜ୍ୟରେ ବିଜେପି ଆମର ପ୍ରମୁଖ ବିରୋଧୀ। ଆମେ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ବଜାୟ ରଖିଛୁ”, କହିଛନ୍ତି ପିନକୀ ମିଶ୍ର।

ଏହି ଦିଲ୍ଲୀ ସେବା ବିଲ୍ ଉପରେ ଆଲୋଚନା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏହାସହ ସେ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

“ଦିଲ୍ଲୀ ପାଇଁ ଆଇନ ତିଆରି କରିବାକୁ ଭାରତର ସମ୍ବିଧାନ କେନ୍ଦ୍ର ସରକାରକୁ ଅନୁମତି ଦେଇଛନ୍ତି। ଦିଲ୍ଲୀ ଉପରେ ଆଇନ ପ୍ରଣୟନ କରିବା ଅଧିକାର କେନ୍ଦ୍ର ପାଖରେ ଅଛି। ଆମେ ଏହି ବିଲ୍ ଆଣି ସୁପ୍ରିମକୋର୍ଟଙ୍କ ଅବମାନନା କରିଛୁ ବୋଲି ବିରୋଧୀମାନେ କହୁଛନ୍ତି। ଏହା ସମ୍ପୂର୍ଣ ଭୁଲ। ସେମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି” କହିଛନ୍ତି ଅମିତ ଶାହା।

ସେ ଆହୁରି ମଧ୍ୟ କହିଛନ୍ତି, “୨୦୧୫ରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଥିଲା। ଦୁର୍ନୀତି ବିରୋଧରେ ଲଢ଼ିବା ନାଁରେ କ୍ଷମତାକୁ ଆସି ଦଳ ନିଜେ ଦୁର୍ନୀତିରେ ବୁଡ଼ି ରହିଛି। ଏବେ ଏହି ଦଳ ନିଜ ଦୁର୍ନୀତିକୁ ଲୁଚାଇବା ପାଇଁ ନାନା ପ୍ରୟାସ କରୁଛି। ଦିଲ୍ଲୀର ଭିଜିଲାନ୍ସ ବିଭାଗର କ୍ଷମତାକୁ ଦୁରୁପଯୋଗ କରୁଛି। ଏଥିପାଇଁ ସେମାନେ ଏହି ବିଲ୍ ବିରୋଧରେ ସମସ୍ତଙ୍କୁ ଏକତ୍ରିତ କରିଛନ୍ତି।”

ଦିଲ୍ଲୀ ସେବା ବିଲ୍ ଉପରେ ଆଲୋଚନାବେଳେ ଆମ ଆଦମୀ ପାର୍ଟି, କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ଏହାକୁ ବିରୋଧ କରିଥିଲେ। କେନ୍ଦ୍ର ସରକାର ଏହି ବିଲ୍ ଆଣି ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାସହ ସେମାନେ କେନ୍ଦ୍ର ସରକାରଙ୍କ କଡ଼ା ସମାଲୋଚନା କରିଥିଲେ।

ଏହି ବିଲ୍‌ ଦ୍ଵାରା ଦିଲ୍ଲୀର ବରିଷ୍ଠ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି ସଂକ୍ରାନ୍ତ ସୁପାରିସ କ୍ଷେତ୍ରରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ଚୁଡ଼ାନ୍ତ ରହିବ। ଫଳରେ ଦିଲ୍ଲୀ ସରକାରଙ୍କ ଏହି ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଉପରେ କୌଣସି ଅଧିକାର ରହିବ ନାହିଁ। ଶୁକ୍ରବାର ଏହି ବିଲକୁ ନେଇ ରାଜ୍ୟସଭାରେ ଆଲୋଚନା ହେବ।

Tags: #DelhiServicesBill #Loksabha #BJD #PoliticalParties #CentralGovt #Delhi

 

Comment