ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକିରେ ବୁଧବାର ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭେଟିବ ଭାରତୀୟ ଦଳ। ଚେନ୍ନାଇଠାରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଲିଗ ପର୍ଯ୍ୟାୟରେ ନିଜ ଶେଷ ମ୍ୟାଚ ଖେଳିବେ। ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ଯାଇସାରିଥିବା ଟିମ୍ ଇଣ୍ଡିଆ ଲିଗ ପର୍ଯ୍ୟାୟରେ ପ୍ରଥମ ସ୍ଥାନ ପକ୍କା କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ।

ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଏ ଯାଏଁ ଅପରାଜେୟ ରହିବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଭାରତ ୪ଟି ମ୍ୟାଚ ଖେଳି ୩ଟି ଜିତି ଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରଖିଥିଲା। ଟୁର୍ଣ୍ଣାମେଣ୍ଟରେ ଦଳ ଚୀନକୁ ୭-୨, ମା‌ଲେସିଆକୁ ୫-୦ ଏବଂ ଦକ୍ଷିଣ କୋରିଆକୁ ୩-୨ ଗୋଲରେ ହରାଇଥିଲା। କେବଳ ଜାପାନ ବିପକ୍ଷ ମ୍ୟାଚଟି ୧-୧ ଗୋଲରେ ଡ୍ର ରହିଥିଲା।

ଟୁର୍ଣ୍ଣାମେଣ୍ଟରେ ଭାରତର ନେତୃତ୍ୱ ନେଉଥିବା ହରମନପ୍ରୀତ ସିଂହ ନିଜର ସୁନ୍ଦର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଏ ଯାଏଁ ମୋଟ ୫ଟି ଗୋଲ ଦେଇ ପ୍ରତିଯୋଗିତାର ଟପ ସ୍କୋରର ରହିଛନ୍ତି। ସେହିପରି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଡିଫେନ୍ସର ମଙ୍ଗ ଧରିଛନ୍ତି ଓଡ଼ିଆ ଖେଳାଳି ଅମିତ ରୋହିଦାସ। ସେହିଭଳି ହାର୍ଦିକ ସିଂହ, ଯୁଗରାଜ ସିଂହ, ମନପ୍ରୀତ ସିଂହ, ସେଲଭମ କାର୍ଥି, ନୀଳକଣ୍ଠ ଶର୍ମାଙ୍କ ଭଳି ଖେଳାଳୀମାନେ ମଧ୍ୟ ଭଲ ହକିର ପ୍ରଦର୍ଶନ କରୁଛନ୍ତି।

ଅନ୍ୟପଟେ ପାକିସ୍ତାନ ଏହି ହକି ପ୍ରତିଯୋଗିତାରେ ୪ଟି ମ୍ୟାଚରୁ କେବଳ ଚୀନ ବିପକ୍ଷରେ ହୋଇଥିବା ଗୋଟିଏ ମ୍ୟାଚ ଜିତିଛି। ଏହାଛଡ଼ା ଦଳ ଦୁଇଟି ମ୍ୟାଚ ଡ୍ର ରଖିଥିବାବେଳେ ଗୋଟିଏ ମ୍ୟାଚ ହାରିଛି। ଦଳ ମାଲେସିଆଠୁ ହାରିଥିବାବେଳେ ଜାପାନ ଓ ଦକ୍ଷିଣ କୋରିଆ ସହ ମ୍ୟାଚ ଡ୍ର ରଖି ପଏଣ୍ଟ ଭାଗ ବାଣ୍ଟିଥିଲା।

ପାକିସ୍ତାନ ଏବେ ଟୁର୍ଣ୍ଣାମେଣ୍ଟରେ ମୋଟ ୫ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଏଥିସହ ଦଳ ନିଜର ସେମିଫାଇନାଲ ଯିବା ଆଶା ଉଜ୍ଜୀବିତ ରଖିଛି।

ଭାରତ ବର୍ତ୍ତମାନ ବିଶ୍ଵ ହକି ରାଙ୍କିଂରେ ଚତୁର୍ଥ ସ୍ଥାନରେ ରହିଛି। ଏହି ଏସିଆନ ହକି ଚାମ୍ପିୟାନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟକୁ ପୂର୍ବେ ଦଳ ୩ ଥର ଜିତିଛି। ଏବେ ଚତୁର୍ଥଥର ଚାମ୍ପିୟାନ ହେବା ଲକ୍ଷ୍ୟରେ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳୁଛି।

ଚଳିତବର୍ଷ ଏସିଆନ ଚାମ୍ପିୟାନ୍ସ ଟ୍ରଫିରେ ଏସିଆର ୬ଟି ଦେଶ ଭାଗ ନେଉଛନ୍ତି। ବୁଧବାର ଭାରତ-ପାକିସ୍ଥାନ ମ୍ୟାଚଟି ରାତି ୮ଟା ୩୦ରେ ଆରମ୍ଭ ହେବ।

Tags: #AsianHockeyChampionsTrophy #IndiavsPakistan #HockeyIndia #FIH #Hockey

 

Comment