ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକିର ସେମିଫାଇନାଲକୁ ଯାଇଛି ଭାରତ। ବୁଧବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚରେ ୪-୦ ଗୋଲରେ ପାକିସ୍ତାନକୁ ମାତ୍ ଦେଇଛି ଟିମ ଇଣ୍ଡିଆ। ଭାରତ ମୋଟ ୧୩ ପଏଣ୍ଟ ପାଇ ଲିଗରେ ଅପରାଜେୟ ରହିବା ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ଏଥିସହ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଯାତ୍ରା ଶେଷ ହୋଇଛି।

ଭାରତୀୟ ଦଳ ଏବେ ଚାମ୍ପିୟାନ୍ସ ଟ୍ରଫିର ସେମିଫାଇନାଲରେ ଜାପାନକୁ ଭେଟିବ। ଶୁକ୍ରବାର ଏହି ମ୍ୟାଚଟି ଖେଳାଯିବ। ଏହାଛଡ଼ା ଲିଗରେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ମାଲେସିଆ ଓ ଦକ୍ଷିଣ କୋରିଆ ଅନ୍ୟ ଏକ ସେମିଫାଇନାଲରେ ମୁହାଁମୁହିଁ ହେବେ।

ଅନ୍ୟପଟେ ଏହି ଟୁର୍ଣ୍ଣାମେଣ୍ଟରୁ ପାକିସ୍ଥାନ ଓ ଚୀନ ବାଦ ପଡ଼ିଯାଇଛନ୍ତି। ଜାପାନ, ଦକ୍ଷିଣ କୋରିଆ ଓ ପାକିସ୍ତାନ ଲିଗ୍ ପର୍ଯ୍ୟାୟରେ ସମାନ ୫ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ପାକିସ୍ତାନ ପଛରେ ପଡ଼ି ସେମିଫାଇନାଲ୍‌ ଦୌଡ଼ରୁ ବାଦ ପଡ଼ିଥିଲା।

ବୁଧବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରି ପ୍ରାଧାନ୍ୟ ବିସ୍ତାର କରିଥିଲା। ପ୍ରଥମ କ୍ଵାର୍ଟରର ଶେଷ ମିନିଟରେ ଟିମକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିଥିଲେ ଅଧିନାୟକ ହରମନପ୍ରୀତ ସିଂହ। ଏହାପରେ ସେ ୨୩ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରରୁ ଆଉ ଏକ ଗୋଲ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରିଥିଲେ।

ସେହିପରି ତୃତୀୟ କ୍ଵାର୍ଟରରେ ଯୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରୁ ଏକ ଗୋଲ ଦେଇଥିବାବେଳେ ଶେଷ କ୍ଵାର୍ଟରରେ ଆକାଶଦୀପ ସିଂହ ଏକ ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ୪-୦ ବ୍ୟବଧାନର ବିଜୟ ଦେଇଥିଲେ। ପାକିସ୍ତାନ ମ୍ୟାଚରେ ଗୋଲଦେବା ପାଇଁ ଅନେକ ପ୍ରୟାସ କରିଥିଲେ ମଧ୍ୟ ଭାରତୀୟ ଡିଫେଣ୍ଡରମାନେ ଏଗୁଡ଼ିକୁ ରୋକି ଦେଇଥିଲେ।

ଏସିଆନ ହକି ଚାମ୍ପିୟାନ୍ସ ଟ୍ରଫିର ଦୁଇଟି ଯାକ ସେମିଫାଇନାଲ ମ୍ୟାଚ ଶୁକ୍ରବାର ଖେଳାଯିବ। ପ୍ରଥମ ମ୍ୟାଚଟି ମାଲେସିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ସନ୍ଧ୍ୟା ୬ଟା ବେଳେ ଆରମ୍ଭ ହେବ। ଏହାପରେ ଭାରତ-ଜାପାନ ସେମିଫାଇନାଲ ରାତି ୮ଟାରେ ଆରମ୍ଭ ହେବ।

Tags: #AsianHockeyChampionsTrophy #IndiavsPakistan #HockeyIndia #FIH #Hockey

Comment