ଓଡ଼ିଶାଲାଇଭ୍ ବ୍ୟୁରୋ

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ ଦେଖିବାକୁ ମିଳିଛି। ଭୂସ୍ଖଳନରେ ରାଜ୍ୟର ସୋଲନ ଜିଲ୍ଲା ଓ ଅନ୍ୟାନ୍ୟ ଅଞ୍ଚଳରେ ୧୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ୫ ଜଣ ଲୋକ ନିଖୋଜ ଅଛନ୍ତି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ହିମାଚଳ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ରାଜ୍ୟର ଅନେକ ରାସ୍ତା ଅବରୋଧ ହୋଇଯାଇଛି।

ହିମାଚଳ ପ୍ରଦେଶରେ ଗତ ୨ ଦିନରୁ ପ୍ରବଳ ବର୍ଷା ହେଉଛି। ବର୍ଷାର ପରିମାଣ ଏତେ ଅଧିକ ରହିଛି କି, ଏଥିରେ ଅନେକ ପାହାଡ଼ରୁ ପଥର ଓ ମାଟି ଅତଡ଼ା ଧସି ଘର ଓ ରାସ୍ତା ଉପରେ ପଡ଼ୁଛି। ସୋଲାନ ଜିଲ୍ଲାର ଜାଦୋଁ ଗାଁରେ ରବିବାର ଭୂସ୍ଖଳନରେ ଅନେକ ଘର ଭାସିଯାଇଥିଲା। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଶିମଲା-ଚଣ୍ଡୀଗଡ଼ ହାଇୱେ ଉପରେ ପାହାଡ଼ରୁ ବଡ଼ ବଡ଼ ପଥର ପଡ଼ିବାରୁ ଏହାର କିଛି ଅଂଶ କ୍ଷୟ ହୋଇଯାଇଛି। ଫଳରେ ଏହି ରାସ୍ତାରେ ଯାତାୟାତ ବନ୍ଦ ହୋଇଛି। ଅଳ୍ପ ସମୟରେ ହୋଇଥିବା ଅତ୍ୟଧିକ ମାତ୍ରାରେ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଅନ୍ୟପଟେ ବର୍ଷାଜନିତ ଭୂସ୍ଖଳନରେ ଶିମଲାର ବୈଲେଗଞ୍ଜ ନିକଟରେ ଥିବା ବହୁ ପୁରାତନ ଶିବ ବାୱଦି ମନ୍ଦିର ଭୁଶୁଡ଼ି ପଡ଼ିଛି। ସେଠାରେ ୨୦ରୁ ୨୫ଜଣ ଲୋକ ଭଗ୍ନସ୍ତୂପ ତଳେ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ଏହାସହ ଘଟଣାସ୍ଥଳରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି।

ହିମାଚଳ ପ୍ରଦେଶରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଭାରତୀୟ ସେନା, ଏନଡିଆରଏଫ ଓ  ଏସଡିଆରଏଫର ଶତାଧିକ ଯବାନ ମୁତୟନ ହୋଇଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି।

ହିମାଚଳ ପ୍ରଦେଶରେ ଆସିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କ ପ୍ରାଣହାନୀକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକ୍କୁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ଲାଗି ସେ ସବୁ ଜିଲ୍ଲାର ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର ପାଇଁ ବନ୍ଦ ରଖାଯାଇଛି।

Tags: #HimachalPradesh #Landslide #NaturalDisaster #Solan #HeavyRainfall

Comment