ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଧିନତା ଦିବସ ଅବସରରେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସକୁ ନେଇ ଡକ୍ୟୁମେଣ୍ଟାରି ଫିଲ୍ମ ‘ଇଣ୍ଡିଆଜ୍ ଗେମ୍’ ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଫିଲ୍ମକୁ ଲୋକର୍ପଣ କରିଥିଲେ। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ହକି ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କିଛି ହକି କିମ୍ବଦନ୍ତୀ ତଥା ଅନ୍ୟ ହକି ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ସେ ଏହି ଡକ୍ୟୁମେଣ୍ଟାରିକୁ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ପୂର୍ବତନ ହକି ଖେଳାଳିମାନଙ୍କ ପାଇଁ ଉତ୍ସର୍ଗ କରିଥିଲେ।

“ଏହି ଚଳଚ୍ଚିତ୍ର ହକି ଏବଂ ଭାରତୀୟ ଜାତୀୟତାବାଦର ଭାବନା ପ୍ରତି ଏକ ସମ୍ମାନ। ଡକ୍ୟୁମେଣ୍ଟାରିରେ ଦେଶର ସ୍ଵାଧିନତା ସଂଗ୍ରାମରେ ହକିର ଭୂମିକା ଏବଂ ଭାରତୀୟ ହକିର ସ୍ୱର୍ଣ୍ଣିମ ଯାତ୍ରାକୁ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଏଭଳି ଫିଲ୍ମ ଦେଶର ଯୁବ ବର୍ଗଙ୍କୁ ଅନେକ ପ୍ରେରଣା ଦେବ”, କହିଛନ୍ତି ନବୀନ ପଟ୍ଟନାୟକ।

‘ଇଣ୍ଡିଆଜ୍ ଗେମ୍’ ଡକ୍ୟୁମେଣ୍ଟାରିରେ ଭାରତୀୟ ହକି ଦଳର ଐତିହାସିକ ପ୍ରଦର୍ଶନଗୁଡ଼ିକୁ ଉଲ୍ଲେଖ କରାଯାଇଛି। ଏଥିରେ ଜର୍ମାନୀ, ବ୍ରିଟେନ ଓ ପାକିସ୍ତାନ ଭଳି ବିଶ୍ଵ ହକିର ଶକ୍ତିଶାଳୀ ଟିମଗୁଡ଼ିକୁ ପରାସ୍ତକରି ଅଲିମ୍ପିକ ଚାମ୍ପିୟନ ହୋଇଥିବା ଭାରତର କାହାଣୀ ଦେଖିବାକୁ ମିଳିବ।

‘ଲେଭେଲ ଫିଲ୍ମସ୍’ ପକ୍ଷରୁ ଏହି ହକି ଡକ୍ୟୁମେଣ୍ଟାରିର ନିର୍ମାଣ କରାଯାଇଛି। ଓଡ଼ିଶା ସରକାର ଏବଂ ହକି ଇଣ୍ଡିଆ ମିଳିତ ଭାବେ ଏହି ଫିଲ୍ମର ନିର୍ମାଣରେ ଆର୍ଥିକ ସହଯୋଗ କରିଛନ୍ତି।

ମଙ୍ଗଳବାର ‘ଇଣ୍ଡିଆଜ୍ ଗେମ୍’ ଡକ୍ୟୁମେଣ୍ଟାରିର ପ୍ରିମିୟର କାର୍ଯ୍ୟକ୍ରମରେ କିମ୍ବଦନ୍ତୀ ହକି ଖେଳାଳି ଗୁରବକ୍ସ ସିଂହ ଏବଂ ହରବିନ୍ଦର ସିଂହକୁ ସମ୍ମାନିତ କରାଯାଇଥିଲା। ଏହାସହ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ, ମହିଳା ହକି ତାରକା ରାନୀ ରାମପାଲ, ଜାତୀୟ ହକି ଖେଳାଳି ମନପ୍ରୀତ ସିଂହ ଏବଂ ଅମିତ ରୋହିଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Tags: #HockeyDocumentaryFilm #IndiasGame #CmNaveenPatnaik #HockeyIndia #Odisha

 

Comment