ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କ ମୃତ୍ୟୁ ନେଇ ବଢ଼ୁଛି ସସପେନ୍ସ। ଏହା ଆତ୍ମହତ୍ୟା ନା ଅନରକିଲିଂ? ଏହାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ହୋଇପାରେ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁର ସହସ୍ୟ।

ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁକୁ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ସ୍ୱର୍ଣ୍ଣଲତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଲିଛି ତନାଘନା। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଥିବାବେଳେ ଏହା ଅନରକିଲିଂ ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବୁଧବାର ଦିନ ଗୋକନ ସ୍କୁଲର କ୍ରୀଡ଼ା ଶିକ୍ଷକଙ୍କ ଘରେ ପହଞ୍ଚିଛି କଟକ ପୋଲିସ। ଜଗତସିଂହପୁର ଥାନା ଛେଳିଆଗଡ଼ ଗାଁକୁ ଯାଇ କ୍ରୀଡ଼ା ଶିକ୍ଷକ ଏବଂ ତାଙ୍କ ମା’ଙ୍କୁ ପଚରା ଉଚରା କରୁଛି ପୋଲିସ।

ଚର୍ଚ୍ଚାରେ ହାତଲେଖା ଚିଠି

ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ଏକ ଚିଠି। ଏହା ମୃତ ସ୍ୱର୍ଣ୍ଣଲତାଙ୍କ ଶେଷ ଚିଠି ବୋଲି କୁହାଯାଉଛି। ଚିଠିଟି ଏବେ ଭାଇରାଲ ହେବାରେ ଲାଗିଛି। ଏହି ଚିଠିରେ ଲେଖା ହୋଇଛି ଯେ, କାହା ସହ ଦେଖା କରିଆସିବା ପରେ ତାଙ୍କ ବାପା ତାଙ୍କୁ ମାଡ଼ ମାରିବା ସହ ଗାଳି କରିଥିଲେ। ଏହା ପରେ ତାଙ୍କ ଭାଇକୁ ଫୋନ କରି ଆସିବାକୁ କହିଥିଲେ। ଆସିଲେ ରାତାରାତି ମାରି ଫିଙ୍ଗି ଦେବାକୁ ମଧ୍ୟ କଥା ହୋଇଥିଲେ। ବାପା ତାଙ୍କୁ ବିଷ ଦେଇଦେଇଥିବା ଚିଠିରେ ଲେଖା ହୋଇଛି।

ଏହି ଚିଠି ପରେ ସ୍ୱର୍ଣ୍ଣଲତା ଏବଂ କ୍ରୀଡ଼ା ଶିକ୍ଷକଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାର ମଧ୍ୟରେ କ୍ରୀଡ଼ା ଶିକ୍ଷକ ବିଭିନ୍ନ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ସେ ସ୍ୱର୍ଣ୍ଣଲତାଙ୍କୁ ଭଲ ପାଉଥିଲେ। କିନ୍ତୁ ଏହି ମୃତ୍ୟୁ ପଛରେ ତାଙ୍କର କୌଣସି ହାତ ନାହିଁ। ପୋଲିସ ତଦନ୍ତ କରି ପ୍ରକୃତ ସତ ସାମ୍ନାକୁ ଆଣୁ। ସ୍ୱର୍ଣ୍ଣଲତାଙ୍କୁ ନ୍ୟାୟ ମିଳିବା ଦରକାର।

ଭାଇରାଲ ଭିଡିଓରେ ୭୦ ହଜାର ଟଙ୍କାର ଡିଲ୍

ଏପଟେ କିଛି ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି କ୍ରୀଡ଼ା ଶିକ୍ଷକଙ୍କ ମା’ ସହ କଥା ହେଉଛନ୍ତି ଏବଂ ମାମଲା ରଫାଦଫା କରିବାକୁ ୭୦ ହଜାର ଟଙ୍କାର ଦାବି କରୁଛନ୍ତି। ନହେଲେ ମାମୁଁ ଘରକୁ ଯିବାକୁ ପ୍ରସ୍ତୁତ ରୁହ ବୋଲି କହୁଛନ୍ତି। ଏହା ସହ ମୃତ୍ୟୁ ପରେ ସ୍ୱର୍ଣ୍ଣଲତାଙ୍କ ଶବକୁ ପୋଡ଼ିଦିଆଯାଇଥିଲା ଏବଂ ପାଉଁଶକୁ ନଦୀରେ ପକାଇ ପ୍ରମାଣ ନଷ୍ଟ କରାଯାଇଥିଲା ବୋଲି ସେ କହୁଛନ୍ତି।

ଅତି ତରବରିଆ ଭାବେ ସ୍ୱର୍ଣ୍ଣଲତାଙ୍କ ମୃତଦେହ ପୋଡ଼ାଗଲା। ପୋଲିସକୁ ଖବର ଦିଆଗଲା ନାହିଁ କି ବ୍ୟବଚ୍ଛେଦ ମଧ୍ୟ ହେଲା ନାହିଁ। ସ୍ୱର୍ଣ୍ଣଲତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଆହୁରି ବଢ଼ିବାରେ ଲାଗି।

ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁ ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ବୁଧବାର ଦିନ ଡିଜିପିଙ୍କ ନିକଟରେ ଅଭିଯୋଗ କରିଛି ବିଜେପି। ଦୁଇ ମାସ ପୂର୍ବରୁ ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କର ମୃତ୍ୟୁ ହୋଇଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏବଂ କାହିଁକି ବ୍ୟବଚ୍ଛେଦ କରାଗଲା ନାହିଁ ଏ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଏହି ଘଟଣାର ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ପ୍ରତିଶ୍ରୁତି ଦେଇଥିବା ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିହାଂର ବୁଧବାର ଦିନ କହିଛନ୍ତି।

ମୁହଁ ଖୋଲିଲେ ମୃତ ସ୍ୱର୍ଣ୍ଣଲତାଙ୍କ ବାପା

ସ୍ୱର୍ଣ୍ଣଲତା ମୃତ୍ୟୁ ମାମଲାରେ କ୍ରୀଡ଼ ଶିକ୍ଷକଙ୍କ ମା’ ଏବଂ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅଡିଓ ଭାଇରାଲ ହେବା ପରେ ମୁହଁ ଖୋଲିଛନ୍ତି ସ୍ୱର୍ଣ୍ଣଲତାଙ୍କ ବାପା। ସେ କହିଛନ୍ତି ତାଙ୍କ ଝିଅର ବାତ ରୋଗ ଥିଲା। ରୋଗରେ ଆକ୍ରାନ୍ତ ହୋଇ ତା’ର ମୃତ୍ୟୁ ହୋଇଥିଲା। କିଛି ଲୋକ ରାଗ ରଖି ତାଙ୍କ ପରିବାରକୁ ବଦନାମ କରିବାକୁ ଚାହୁଁଥିବା ସେ କହିଛନ୍ତି।

ଗତ ଜୁନ ୧୮ ତାରିଖରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଶୁଖୁଆପଡ଼ା ଗାଁର ନାବାଳିକା ସ୍ୱର୍ଣ୍ଣଲତାଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ହାତ ଲେଖା ଚିଠି ଭାଇରାଲ ହେବା ପରେ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି।

Tags: #Mahanga #SwornalataDasDeathCase #PoliceInvestigation

Comment