ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଆଥଲେଟ ତଥା ଓଡ଼ିଆ ଝିଅ ଦୂତୀ ଚାନ୍ଦ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୪ ବର୍ଷ ପାଇଁ କ୍ରୀଡ଼ାରୁ ବାସନ୍ଦ କରାଯାଇଛି। ସେ ୨୦୨୭ ଜାନୁଆରି ୩ ତାରିଖ ଯାଏଁ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରିବେନାହିଁ। ଏନେଇ ଭାରତୀୟ ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ୍‌ (ଏଡିଡିପି) ପକ୍ଷରୁ ସୂଚନା ଦିଆଯାଇଛି।

ଦୂତୀଙ୍କ କ୍ରୀଡ଼ାରୁ ବାସନ୍ଦ ୨୦୨୩ ଜାନୁଆରି ୩ ତାରିଖରୁ ପିଛିଲା ଭାବେ ଲାଗୁ ହେବ। ସେହି ଦିନରୁ ବର୍ତ୍ତମାନ ଯାଏଁ ସେ ଯେଉଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନକୁ ଅଯୋଗ୍ୟ ଘୋଷଣା କରାଯିବ।

ଏହି ମାମଲାରେ ଏଡିଡିପିରେ ଶୁଣାଣିବେଳେ ଦୂତୀ ନିଷିଦ୍ଧ ଔଷଧ ସେବନ କରିଥିବା ସ୍ଵୀକାର କରିଥିଲେ। ସେ ନିଜ ଫିଜିଓଥେରାପିଷ୍ଟଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିବାବେଳେ ତାହାକୁ ଯାଞ୍ଚ କରିନଥିଲେ। ଏହାସହ ବିଶ୍ଵ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ଦ୍ଵାରା ଜାରି ହୋଇଥିବା ନିଷିଦ୍ଧ ତାଲିକା ସହ ସେ ଉକ୍ତ ଔଷଧକୁ ମିଳାଇ ଦେଖିନଥିବା ଜଣାପଡ଼ିଥିଲା।

ଦୂତୀ ଚାନ୍ଦ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଧାରା ୨.୧ ଓ ୨.୨କୁ ଉଲଂଘନ କରିଥିବା ସ୍ପଷ୍ଟ ହୋଇଥିଲା। ମାମଲାର ଶୁଣାଣିବେଳେ ସେ ନିଜକୁ ନିର୍ଦୋଷ ପ୍ରମାଣିତ କରିପାରିନଥିଲେ। ଏବେ ଦୂତୀଙ୍କୁ ବାସନ୍ଦ କରାଯାଇଥିଲେ ମଧ୍ୟ ଏହି ଦଣ୍ଡ ବିରୋଧରେ ଜାତୀୟ ଆଣ୍ଟି ଡୋପିଂ ଅପିଲ୍‌ ପ୍ୟାନେଲ୍‌ (ଏଡିଏପି) ଆଗରେ ନିଜର ପକ୍ଷ ରଖିବାକୁ ତାଙ୍କୁ ୨୧ ଦିନର ସମୟ ଦିଆଯାଇଛି।

୨୦୨୨ ଡିସେମ୍ବର ମାସ ୫ ଓ ୨୬ ତାରିଖ ଦିନ ଭୁବନେଶ୍ଵରରେ ନାଡାର ଅଧିକାରୀଙ୍କ ଦ୍ଵାରା ଦୂତୀଙ୍କ ଦୁଇଥର ଡୋପ୍‌ ପରୀକ୍ଷା କରାଯାଇଥିଲା। ତାଙ୍କର ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍‌ ଓ ଲିଗାଣ୍ଡ୍ରୋଲ୍‌ ଥିବା ଜଣାପଡ଼ିଥିଲା। ସେହିପରି ଦ୍ଵିତୀୟ ନମୁନାରେ ଆଣ୍ଡାରିନ୍‌ ଏବଂ ଓଷ୍ଟାରିନ୍‌ ଥିବା ସ୍ପଷ୍ଟ ହୋଇଥିଲା।

ଏହାପରେ ଦୂତୀଙ୍କୁ ନାଡା ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ତାଙ୍କୁ ଆଡଭର୍ସ ଆନାଲିଟିକାଲ୍‌ ଫାଇଣ୍ଡିଂ (ଏଏଏଫ୍‌) ମାଧ୍ୟମରେ ଆହୁରି ଅଧିକ ନମୁନା ପରୀକ୍ଷା ପାଇଁ ୭ ଦିନ ସମୟ ମିଳିଥିଲା। ହେଲେ ଦୂତୀ ଏହି ନମୁନା ପରୀକ୍ଷା କରାଇନଥିଲେ।

Tags: #DuteeChand #DopeTest #Athletics #NADA #WADA #Sports

 

Comment