ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ବିଦ୍ୟାଳୟସ୍ତରୀୟ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ହେବ
  • ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷା ପାଇଁ ଚୁକ୍ତିନାମା
  • ଆକାଂକ୍ଷୀ ପାଠ୍ୟକ୍ରମରେ ସମ୍ପୃକ୍ତ ହେବେ ପୁରାତନ ଛାତ୍ରଛାତ୍ରୀ

(ଭୁବନେଶ୍ୱର): ‘ବ୍ଲକ୍‌ସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ, ଆକାଂକ୍ଷୀ ପାଠ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ‘ମୋ ସ୍କୁଲ’ ଅଭିଯାନ ପରିଚାଳନା ସଂଗଠନର ୪୨ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ସ୍ଥିର ହୋଇଛି। ଶୁକ୍ରବାର ଦିନ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ସହ ଅଧିକ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ବ୍ୟାପକ ଯୋଜନା କରାଯାଇଛି।

ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ, “ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରାଯିବ। ସରକାର ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ସେ ସବୁକୁ ସଫଳ କରିବା ପାଇଁ ଅଧିକ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟ ସହ ଯୋଡ଼ି ହେବା ଦରକାର। ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମ କେବଳ ଆର୍ଥିକ ସହାୟତା ନୁହଁ, ବରଂ ବିଦ୍ୟାଳୟର ଶୈକ୍ଷିକ ଓ ଅଣ ଶୈକ୍ଷିକ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ଆବଶ୍ୟକ।”

ବୈଠକରେ ଅନେକ ନୂତନ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କ ବଢ଼ିବା ପରେ ଅନେକ ସକରାତ୍ମକ ପରିବର୍ତ୍ତନ ଆସିଛି। ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ୧୯୮ ବ୍ଲକ୍‌ରେ ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ଆୟୋଜନ କରାଯିବ।

ବ୍ଲକର ସମସ୍ତ ପୁରାତନ ଛାତ୍ରଛାତ୍ରୀ କମିଟିର ସଭାପତି ତଥା ପ୍ରତିନିଧିମାନେ ଏକାଠି ହୋଇ ବିଦ୍ୟାଳୟର ଉନ୍ନତି ଦିଗରେ ଆଲୋଚନା କରିବେ। କମିଟି ସଭାପତିମାନେ ‘ମୋ ସ୍କୁଲ୍‌’ ଅଭିଯାନ କାର୍ଯ୍ୟକ୍ରମରେ କରିଥିବା ଭଲ କାମକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବେ। ଏହା ଫଳରେ କମିଟି ସଭାପତି ତଥା ପ୍ରତିନିଧିଙ୍କ ମଧ୍ୟରେ ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟର ଆଦାନପ୍ରଦାନ ହୋଇପାରିବ।

ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆସନ୍ତା ସେପ୍ଟେମ୍ବର ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ଲୋକ ପ୍ରତିନିଧିମାନେ ଯୋଗଦେବେ। ବିଭିନ୍ନ ସ୍ତରରେ ଦିଆଯିବାକୁ ଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ଆଲୋଚନା ହେବ। ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୁରାତନ ଛାତ୍ରଛାତ୍ରୀ କମିଟି ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ପୁରସ୍କାର ରହିଛି।

ଏହି ପୁରସ୍କାର କେମିତି ମିଳିପାରିବ, ସେଥିପାଇଁ ସମସ୍ତ କମିଟି ଯୋଜନା ପ୍ରସ୍ତୁତ କରିବେ। ଏହାସହ ଶିକ୍ଷାର ବିକାଶ ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସମସ୍ତଙ୍କୁ ଅବଗତ କରାଯିବ। ‘ପୋଷ୍ୟ ବିଦ୍ୟାଳୟ’ କାର୍ଯ୍ୟକ୍ରମରେ ଆସନ୍ତା ସେପ୍ଟେମ୍ବର ୫ରୁ ୮ତାରିଖ ମଧ୍ୟରେ ସ୍କୁଲର ମାର୍ଗଦର୍ଶକ ଓ ପୁରାତନ ଛାତ୍ରଛାତ୍ରୀଙ୍କର ବୈଠକ ଅନୁଷ୍ଠିତହେବ। ଏଥିରେ ବିଦ୍ୟାଳୟର ଅଗ୍ରଗତି ନେଇ ଆଲୋଚନା କରାଯିବ।

ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ପ୍ରଥମ କରି ମାଧ୍ୟମିକ ବିଦ୍ୟାଳୟରେ ଆକାଂକ୍ଷୀ ପାଠ୍ୟକ୍ରମ ପ୍ରଚଳନ ହୋଇଛି। ପାଠ୍ୟକ୍ରମ ଅନୁସାରେ ବିଦ୍ୟାଳୟରେ କ୍ଲବ ବ୍ୟବସ୍ଥା ଜରିଆରେ ବିଭିନ୍ନ ଶିକ୍ଷା ଦିଆଯିବ। ବିଦ୍ୟାଳୟସ୍ତରରେ ୪ଟି କ୍ଲବ୍‌ (କ୍ରୀଡ଼ାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା)ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ବିଦ୍ୟାଳୟ ପରିସର ବାହାରେ ହେବାକୁ ଥିବା ବିଭିନ୍ନ ଶିକ୍ଷା ଭ୍ରମଣ(ଏଜୁକେସନ ଟୁର୍‌) ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ସହଯୋଗ ନିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ବିଦ୍ୟାଳୟସ୍ତରରେ ନୂତନ ଭାବେ ପ୍ରଚଳନ କରାଯାଇଥିବା ହାଉସ୍ ବ୍ୟବସ୍ଥାରେ ରଙ୍ଗିନ ୟୁନିଫର୍ମ ବଣ୍ଟନ କରାଯାଉଛି। ଏଥିରେ ମଧ୍ୟ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବ।

‘ମୋ ସ୍କୁଲ୍‌’ ଦୁଇଟି ନୂତନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏଥିନେଇ ପରିଷଦ ବୈଠକରେ ଆଜି ଅନୁମୋଦନ ମିଳିଛି। ଆକାଂକ୍ଷୀ ପାଠ୍ୟକ୍ରମର ‘ଜିଜ୍ଞାସା’ କ୍ଲବ୍ ଅଧୀନରେ ଜୈବବିବିଧତା ଶିକ୍ଷା ପାଇଁ ନନ୍ଦନକାନନ ଜୀବ ଉଦ୍ୟାନ କର୍ତ୍ତୃପକ୍ଷ ଓ ‘ମୋ ସ୍କୁଲ୍‌’ର ମିଳିତ ଉଦ୍ୟମରେ ‘ଛାତ୍ରଛାତ୍ରୀ ଜୀବ ଉଦ୍ୟାନ ପ୍ରତିନିଧି’ (ଷ୍ଟୁଡେଣ୍ଟ ଜୁ ଆମ୍ବାସଡର) କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନନ୍ଦନକାନନ ଆଖପାଖରେ ଥିବା କଟକ ଓ ଖୋର୍ଦ୍ଧା ଜିଲ୍ଲାର ୪୦ଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ଛାତ୍ରଛାତ୍ରୀଙ୍କୁ ଜୈବବିବିଧତା ଉପରେ ଶିକ୍ଷା ଦିଆଯିବ।

ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଖାନ୍ ଏକାଡେମୀ ଓ ‘ମୋ ସ୍କୁଲ୍‌’ ମଧ୍ୟରେ ମିଳିତ ଚୁକ୍ତିନାମା କରାଯିବ। ବୈଠକରେ ଏହି ପ୍ରସ୍ତାବକୁ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରୀ ଦେଇଛି।

ଚଳିତ ମାସ ୧୦,୯୯୮ ପୁରାତନ ଛାତ୍ରଛାତ୍ରୀ ଓ ଉଦ୍ୟୋଗୀ ସଂସ୍ଥାମାନେ (ସିଏସ୍‌ଆର୍ କାର୍ଯ୍ୟକ୍ରମ) ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିଦ୍ୟାଳୟର ଉନ୍ନୟନ ପାଇଁ ଅବଦାନ ଦେଇଛନ୍ତି। ସେମାନଙ୍କ ଅବଦାନରେ ‘ମୋ ସ୍କୁଲ୍‌’ ଅଭିଯାନ ପକ୍ଷରୁ ଦୁଇଗୁଣା ଅନୁଦାନ ମିଶାଇ ମୋଟ ୩୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ୫,୮୫୭ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ସ୍କୁଲ୍‌ଗୁଡ଼ିକୁ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସରକାରୀ କୋଠା କିମ୍ବା ସରକାରୀ ଜମିରେ ଚାଲୁଥିବା ୧୨ଟି ଜିଲ୍ଲାର ୨୬ଟି ‘ସ୍ୱତନ୍ତ୍ର ସ୍କୁଲ୍‌’କୁ ସାମିଲ କରିବା ପାଇଁ ପ୍ରସ୍ତାବ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ‘ମୋ ସ୍କୁଲ୍‌’ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା, ଓଏସ୍‌ଡି ଡକ୍ଟର ମଣିନ୍ଦ୍ର କୁମାର ମିଶ୍ର, ବିଭାଗୀୟ ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ଅଧିକାରୀଙ୍କ ସମେତ ପରିଷଦର ଅନ୍ୟ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ।

Tags: #MoSchool #EXSturdents #Eduction #Alumni

Comment