ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜାଗା ମିଶନରେ ୫ ମହାନଗର ନିଗମର ୬୫ ହଜାର ପରିବାରକୁ ମିଳିଲା ଭୂମି ଅଧିକାର ପ୍ରମାଣପତ୍ର
  • ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର
  • ଜାଗା ସହ ମିଳିବ ଘର ତିଆରି ସହାୟତା
  • ହଜାରେରୁ ଅଧିକ ବସ୍ତି ବିଜୁ ଆଦର୍ଶ କଲୋନୀରେ ପରିଣତ
  • ଅକ୍ଟୋବରରେ ବିଏମସି ଅଞ୍ଚଳରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ଭୂମି ଅଧିକାର

(ଭୁବନେଶ୍ୱର): ଜାଗା ମିଶନ ଜରିଆରେ ସୋମବାର ଦିନ ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏଥିରେ ୭୫ ହଜାର ପରିବାର ଉପକୃତ ହେବେ। ସମସ୍ତଙ୍କୁ ପଟ୍ଟା ମିଳିବା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା ମୋଟ ୫ଟି ମହାନଗର ନିଗମର ୬୫ ହଜାର ଗରିବ ଭୂମିହୀନ ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି।

ଜାଗା ସହ ଘର କରିବାପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ। ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଜାଗା ମିଶନ କାର୍ଯ୍ୟକ୍ରମରେ ସହରର ବସ୍ତିଗୁଡ଼ିକରେ ରହୁଥିବା ଗରିବ ପରିବାରକୁ ଭୂମି ଅଧିକାର ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ ହଜାରରୁ ଅଧିକ ପରିବାରଙ୍କୁ ଭୂମି ଅଧିକାର ମିଳିସାରିଛି। ଆଜିର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାର ଭୂମି ଅଧିକାର ପାଇଛନ୍ତି।

ଏହା ସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆଯାଇଛି। ବସ୍ତିମୁକ୍ତ ଓଡ଼ିଶା ଗଠନ ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ପ୍ରଦାନ କରାଯିବା ସହ ବସ୍ତିଗୁଡ଼ିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧,୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।

“ସମସ୍ତଙ୍କ ସହଯୋଗରେ ଏବଂ ସମସ୍ତଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ। ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା ଗଢ଼ିବା ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ପୂରଣ ଦିଗରେ ଆଜିର କାର୍ଯ୍ୟକ୍ରମ ଏକ ମାଇଲଷ୍ଟୋନ ହୋଇରହିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜାଗା ମିଶନ ଗରିବ ଲୋକଙ୍କୁ ନୂଆ ପରିଚୟ ସହ ସମ୍ମାନ ଦେଉଛି।

ଏହି କାର୍ଯ୍ୟକ୍ରମରେ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଥିବା ୧,୦୧୦ଟି କଲୋନୀ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। କଟକ ମହାନଗର ନିଗମ, ଖୋର୍ଦ୍ଧା, କୋରାପୁଟ ଓ ଯାଜପୁର ପୌରାଞ୍ଚଳକୁ ବିଜୁ ଆଦର୍ଶ କଲୋନୀ ନିର୍ମାଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୌରାଞ୍ଚଳକୁ ସମ୍ମାନିତ କରିଥିଲେ।

ସେହିପରି ନୂଆ କଲୋନୀ ସ୍ଥାପନରେ ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେସିଙ୍ଗା ଯୋଗଦାନ ପାଇଁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥାନନ  ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Tags: #CMOdisha #NaveenPatnaik #JagaMission #BijuAdarshColony #LandRightCertificate

Comment