ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରଯାନ-୩ ମିଶନର କାଉଣ୍ଟଡାଉନ ଘୋଷଣା କରିଥିବା ଇସ୍ରୋର ମହିଳା ବୈଜ୍ଞାନିକ ଏନ ଭାଲାରମଥୀଙ୍କର ଦେହାନ୍ତ ହୋଇଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହିଳା ବୈଜ୍ଞାନିକ ଏନ ଭାଲାରମଥୀଙ୍କର ଦେହାନ୍ତ ହୋଇଛି। ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି। ଗତ ଜୁଲାଇ ୧୪ ତାରିଖରେ ଶ୍ରୀହରିକୋଟା ସ୍ଥିତ ସତିଶ ଧଓ୍ଵନ ସ୍ପେସ ସେଣ୍ଟରରୁ ଚନ୍ଦ୍ରଯାନ-୩ର ଲଞ୍ଚିଂ ଅବସରରେ ଓଲଟା ଗଣତି (କାଉଣ୍ଟଡାଉନ) ପାଇଁ ଭଏସ ଦେଇଥିଲେ ଭାଲାରମଥୀ। ତାଙ୍କ ବିୟୋଗରେ ଇସ୍ରୋରେ ଶୋକର ଛାୟା ଖେଳିଯାଇଛି।

ଏନ ଭାଲାରମଥୀ ତାମିଲନାଡୁର ଅରିୟାଲୁରରେ ରହୁଥିଲେ। ଶନିବାର ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚେନ୍ନାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୮୪ ମସିହାରେ ଏନ ଭାଲାରମଥୀ ଇସ୍ରୋରେ ଯୋଗ ଦେଇଥିଲେ। ଇସ୍ରୋର ଯେତେ ସବୁ ମହାକାଶ ଯାନ ଲଞ୍ଚ ହୁଏ ସେଥିପାଇଁ କାଉଣ୍ଟଡାଉନ କରିଥାନ୍ତି ଭାଲାରମଥୀ। ତାଙ୍କ ସ୍ଵର ସମସ୍ତଙ୍କୁ ଆକୃଷ୍ଟ କରୁଥିଲା।

ଏନ ଭାଲାରମଥୀଙ୍କ ବିୟୋଗ ପରେ ଇସ୍ରୋର ପୂର୍ବତନ ନିର୍ଦେଶକ ପିଭି ଭେଙ୍କଟ କୃଷ୍ଣମ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି “ଇସ୍ରୋର ଆଗାମୀ ମିଶନଗୁଡ଼ିକରେ ଆଉ ଶୁଣିବାକୁ ମିଳିବନି ଏନ ଭାଲାରମଥୀଙ୍କ ମୁହଁରୁ କାଉଣ୍ଟଡାଉନର ସ୍ଵର।”

Tags: #NValarmathi #ISRO #ISROScientist #PassedAway #HearAttack

Comment