ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ମଙ୍ଗଳବାର ଦିନ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ୩ ଜଣ ବିଜେଡି ବିଧାୟକଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ କଂଗ୍ରେସ କର୍ମୀ।

କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ କାର୍ଯ୍ୟାଳୟ ଛକଠାରେ ମଙ୍ଗଳବାର ଦିନ ଆୟୋଜିତ ଜିଲ୍ଲାସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭୂପିନ୍ଦର ସିଂ ଏବଂ ପ୍ରଦୀପ ଦିଶାରୀଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ ଯୁବ କଂଗ୍ରେସ କର୍ମୀ। ନାରାବାଜି ସହ କଳାପତାକା ଦେଖାଇ ବିଜେଡି ବିଧାୟକଙ୍କୁ ବିରୋଧ କରିବା ସହ ଅଣ୍ଡାମାଡ଼ କରିଥିଲେ।

ଏହି ସମୟରେ ପୋଲିସ ଏବଂ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବିରୋଧୀ ପ୍ରଦର୍ଶନକାରୀଙ୍କୁ ଆୟତ୍ତ କରିଥିଲା ପୋଲିସ।

ତହସିଲ କାର୍ଯ୍ୟାଳୟ ଛକଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଗୁରୁଦିବସ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଥିଲେ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ମଙ୍ଗଳବାର ଅପରାହ୍ଣରେ ଦିବ୍ୟଶଙ୍କର ମିଶ୍ର, ଭୂପିନ୍ଦର ସିଂ ଏବଂ ପ୍ରଦୀପ ଦିଶାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ତାଙ୍କ ଗାଡ଼ି ସମ୍ମୁଖକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ ଯୁବ କଂଗ୍ରେସ କର୍ମୀ।

କେହି ଗାଡ଼ି ଆଗରେ ଶୋଇଯାଇ ବିରୋଧ ପ୍ରଦର୍ଶନ କରିଥିବାବେଳେ କେହି ଗୋ ବ୍ୟାକ ନାରା ଦେଇ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦିଆଯିବ ନାହିଁ ବୋଲି ଦାବି କରିଥିଲେ ଯୁବ କଂଗ୍ରେସ କର୍ମୀ। ଦୀର୍ଘ ସମୟ ଧରି ଏହି ବିରୋଧ ପ୍ରଦର୍ଶନ ଚାଲିଥିଲା।

Tags: #Politics #OdishaPolitics #BJD #Congress #YouthCongress #NarlaKalahandi

Comment