ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜି-୨୦ ସମ୍ମିଳନୀରେ ଯୋଗ ଦେବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା ଚାଷୀ
  • ବିଶ୍ଵନେତାଙ୍କୁ ମାଣ୍ଡିଆ ଚାଷର ସଫଳତା ବାବଦରେ ଜଣାଇବେ ରାଇମତୀ ଓ ଶୁବାସା
  • ସମ୍ମିଳନୀରେ ଅତିଥିଙ୍କୁ ପରଷାଯିବ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ

(ଜୟପୁର): ନୂଆଦିଲ୍ଲୀରେ ହେବାକୁଥିବା ଜି-୨୦ ଶିଖର ସମ୍ମିଳନୀରେ ମାଣ୍ଡିଆ ଚାଷର ସଫଳତା ବଖାଣିବେ ଓଡ଼ିଶାର ଦୁଇ ଆଦିବାସୀ ମହିଳା। ଏଠାରେ ସେମାନେ ମାଣ୍ଡିଆ ଜାତୀୟ କୃଷି ଉତ୍ପାଦ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ଓଡ଼ିଶା ମିଲେଟ୍ସ ମିଶନର କଥା ବିଶ୍ଵବାସୀଙ୍କୁ ଜଣାଇବେ।

ଜି-୨୦ ସମ୍ମିଳନୀରେ ଓଡ଼ିଶାର କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଆଦିବାସୀ ମହିଳା ଚାଷୀ ରାଇମତୀ ଗିଉରିଆ ଏବଂ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକର ଶୁବାସା ମହନ୍ତ ଯୋଗ ଦେବାକୁ ସୁଯୋଗ ପାଇଛନ୍ତି। ବର୍ତ୍ତମାନ ଓଡ଼ିଶା ମିଲେଟ୍ସ ମିଶନର ବ୍ରାଣ୍ଡ ଆମ୍ବାସେଡର ଥିବା ଏହି ଦୁଇ ମହିଳା ସେଠାରେ ମାଣ୍ଡିଆର ଉପକାରିତା ବିଷୟରେ ନିଜର ବକ୍ତବ୍ୟ ରଖିବେ।

ଦିଲ୍ଲୀର ‘ଭାରତ ମଣ୍ଡପମ’ରେ ହେବାକୁଥିବା ଜି-୨୦ ସମ୍ମିଳନୀର ବିଶେଷ କାର୍ଯ୍ୟକ୍ରମରେ ଏହି ଦୁଇ ମହିଳା ଚାଷୀ ବିଶିଷ୍ଟ ରାଷ୍ଟ୍ରନେତାମାନଙ୍କୁ ଆଦିବାସୀଙ୍କ ଜୀବନଶୈଳୀ ଏବଂ ମାଣ୍ଡିଆ ଭଳି ଏକ ଅତି ପୁଷ୍ଟକର ଶସ୍ୟର ଉତ୍ପାଦନ ଓ ସଂରକ୍ଷଣ କିପରି ହୁଏ ତାହା ଜଣାଇବେ।

ସେହିପରି ଓଡ଼ିଶା ମିଲେଟ୍ସ ମିଶନ ଦ୍ଵାରା ଆଦିବାସୀ ମହିଳାମାନେ କିପରି ସ୍ଵାବଲମ୍ବୀ ହୋଇପାରିଛନ୍ତି, ସେ ନେଇ ରାଇମତୀ ଏବଂ ଶୁବାସା କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ। ଏଥିପାଇଁ ଉଭୟ ମହିଳା ଏବେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।

ଜି-୨୦ ଭଳି ମେଗା ସମ୍ମିଳନୀରେ କହିବାକୁ ସୁଯୋଗ ପାଇଥିବାରୁ ଉଭୟ ମହିଳାଙ୍କ ଗାଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ରାଇମତୀ ଓ ଶୁବାସାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏଥର ଜି-୨୦ ସମ୍ମିଳନୀରେ ଆସୁଥିବା ବିଭିନ୍ନ ରାଜନେତା ତଥା ଅଧିକାରୀମାନଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପରଷାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତବର୍ଷ ଜି-୨୦ ସମ୍ମିଳନୀ ସେପ୍ଟେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଚାଲିବ। ଏଠାରେ ବିଶ୍ଵର ୨୦ଟି ଦେଶର ପ୍ରମୁଖ ନେତା, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେବେ। ସମ୍ମିଳନୀରେ ଅତିଥିମାନେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବା ସହ ଭାରତର କଳା, ସଂସ୍କୃତି, ଜୀବନଶୈଳୀ ଓ ଅନ୍ୟାନ୍ୟ ଆଭିମୁଖ୍ୟକୁ ଜାଣିବାକୁ ସୁଯୋଗ ପାଇବେ।

Tags: #G-20Summit #MilletSuccessStory #TribalWomens #MilletFood #Odisha

Comment