ଓଡ଼ିଶାଲାଇଭ୍ ବ୍ୟୁରୋ

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏବେ ସବୁ ଗାଡ଼ିରେ ଲାଗିବ ଟ୍ରାକିଂ ଓ ସେଫ୍ଟି ଡିଭାଇସ୍।

ଏବେ ସବୁ ଯାତ୍ରୀ ଓ ମାଲ୍ ପରିବହନ ଗାଡ଼ିରେ ଭେହିକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍ (ଭିଏଲଟିଡି) ଓ ପାନିକ ବଟନ ଲଗ‌ାଇବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ସବୁ ଗାଡ଼ି ମାଲିକମାନେ ନିଜ ଗାଡ଼ିରେ ଏହି ଦୁଇ ଟ୍ରାକିଂ ଓ ସେଫ୍ଟି ଡିଭାଇସ୍ ଲଗାଇବେ। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦେଶ ଦେଇଛନ୍ତି।

ତେବେ ପରିବହନ ଗାଡ଼ି ମଧ୍ୟରେ ସବୁ ବସ୍‌, କାର, ‌ମିନି ବସ୍‌, ଘରୋଇ ଯାତ୍ରୀ ପରିବହନ ଗାଡ଼ି, ଆମ୍ବୁଲାନ୍ସ ଏବଂ ମାଲ ପରିବହନ କରୁଥିବା ଟ୍ରକ ଓ ଅନ୍ୟ ଗାଡ଼ିଗୁଡ଼ିକରେ ଭିଏଲଟିଡି ଓ ପାନିକ ବଟନ ଲଗ‌ାଇବାକୁ ନିର୍ଦେଶ ରହିଛି। ଦୁଇ ଚକିଆ ଓ ତିନି ଚକିଆ ଯାନ ଏବଂ ଅଟୋ ରିକ୍ସାକୁ ଏଥିରୁ ବାଦ ଦିଆଯାଇଛି।

ଧାର୍ଯ୍ୟ ସମୟସୀମାରେ ଗାଡ଼ିରେ ଟ୍ରାକିଂ ଓ ସେଫ୍ଟି ଡିଭାଇସ୍ ଲଗାନଗଲେ ସମ୍ପୃକ୍ତ ଗାଡ଼ିର ଫିଟନେସ୍ ବାତିଲ କରାଯିବ। ଆରଟିଓରେ ଗାଡ଼ିର ମାଲିକାନା ପରିବର୍ତ୍ତନ, ପରମିଟ୍ ଆଦି କାଗଜପତ୍ର କାମ ହୋଇପାରିବନାହିଁ। ଏନେଇ ତଦାରଖ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନିର୍ଦେଶ ଦିଆଯାଇଛି।

କେନ୍ଦ୍ର ପରିବହନ ମନ୍ତ୍ରାଳୟର ନିର୍ଦେଶକ୍ରମେ ଭାରତରେ ଅକ୍ଟୋବର ୧ ତାରିଖରୁ ପଞ୍ଜୀକୃତ ହେବାକୁଥିବା କମରସିଆଲ୍ ଏବଂ ପାସେଞ୍ଜର ଗାଡ଼ିଗୁଡ଼ିକରେ ଭିଏଲଟିଡି ଓ ପାନିକ ବଟନ କମ୍ପାନି ପକ୍ଷରୁ ଲଗାଯିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ସେପ୍ଟେମ୍ବର ମାସ ସୁଦ୍ଧା କିଣାଯାଇଥିବା ଗାଡ଼ିଗୁଡ଼ିକରେ ଗାଡ଼ି ମାଲିକଙ୍କୁ ଉପରୋକ୍ତ ସେଫ୍ଟି ଡିଭାଇସକୁ ଲଗାଇବାକୁ ହେବ।

ଭିଏଲଟିଡି ଓ ପ୍ୟାନିକ ବଟନ ଲଗାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ଡିଲରମାନଙ୍କୁ ଚୟନ କରାଯାଇଛି। ଏହାର ସୂଚନା ପରିବହନ ବିଭାଗ ୱେବସାଇଟରେ ଉପଲବ୍ଧ। ଗାଡ଼ିମାଲିକମାନେ ଏହି ୱେବସାଇଟରୁ ନିଜ ପାଖ ଅଞ୍ଚଳର ଡିଲରଙ୍କୁ ବାଛି ଗାଡ଼ିରେ ଏହିସବୁ ଡିଭାଇସ୍ ଲଗାଇପାରିବେ।

ରାଜରାସ୍ତାରେ ଚାଲୁଥିବା ଥିବା ସବୁ ଗାଡ଼ିର ଟ୍ରାକିଂ ଓ ମନିଟରିଂ କରିବା ପାଇଁ ଏଗୁଡ଼ିକରେ ଭିଏଲଟିଡି ଓ ପାନିକ ବଟନ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ଵାରା କୌଣସି ଦୁର୍ଘଟଣା କିମ୍ବା ଅସୁବିଧା ସମୟରେ ଯାତ୍ରୀଙ୍କୁ ଠାବ କରି ଉଚିତ ସମୟରେ ସହାୟତା ଯୋଗାଇ ଦିଆଯାଇପାରିବ।

Tags: #Vehicles #VLTD #PanicButton #Tracking&Safety #TransportDept #Odisha

Comment