ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେଉଛି ‘ଫାଷ୍ଟ ଗ୍ଲୋବାଲ ସିମ୍ପୋଜିୟମ୍ ଅନ ଫାର୍ମର୍ସ ରାଇଟ୍ସ’ କାର୍ଯ୍ୟକ୍ରମ। ଏହି ବିଶ୍ଵସ୍ତରୀୟ କୃଷି ସମ୍ମିଳନୀରେ ଜଣେ ବକ୍ତା ଭାବେ ଭାଗନେବାକୁ ନିମନ୍ତ୍ରଣ ପାଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି। କେନ୍ଦ୍ର କୃ‌ଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଏହି ସମ୍ମିଳନୀରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ହର୍ଷିତା ନିଜେ ସଂଗ୍ରହ କରିଥିବା ୧୫୦ଟି କିସମର ଦେଶୀ ଧାନ, ୭୫ଟି କିସମର ଦେଶୀ ମାଣ୍ଡିଆ ବିହନକୁ ପ୍ରଦର୍ଶିତ କରିବେ। ଏହାସହ ସେ ଜୈବିକ କୃଷି ଓ କୃଷକଙ୍କ ସୁରକ୍ଷା ଉପରେ ନିଜର ବକ୍ତବ୍ୟ ଦେବେ।

ହର୍ଷିତା ବିଲୁପ୍ତ ହେବାକୁ ବସିଥିବା ଅନେକ ଦେଶୀ କିସମର ବିହନ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଭାରତର ‌ପ୍ରୋଟେକ୍ସନ ଅଫ ପ୍ଲାଣ୍ଟ ଭ୍ୟାରାଇଟି ଏଣ୍ଡ ଫାର୍ମର୍ସ ରାଇଟ୍ସ ଅଥରିଟିର ଅଧ୍ୟକ୍ଷ ତ୍ରିଲୋଚନ ମହାପାତ୍ର ସମ୍ମିଳନୀକୁ ବକ୍ତା ଭାବେ ନିମନ୍ତ୍ରଣ କରିଥିଲେ।

ସମ୍ମିଳନୀରେ ଯୋଗଦେବା ପାଇଁ ହର୍ଷିତା ନିଜ ବାପାଙ୍କ ସହ ଗତ ୯ ତାରିଖ ଦିନ ଦିଲ୍ଲୀ ଯାତ୍ରା କରିଥିଲେ। ସେ ଗୁରୁବାର ନିଜର ବକ୍ତବ୍ୟ ରଖିବେ।

ଇଟାଲିର ରୋମସ୍ଥିତ ବିଶ୍ଵ ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ଏବଂ ଅନ୍ୟ ଏକ ଅନୁଷ୍ଠାନ ‘ଆଇଟିପିଜିଆରଏଫଏ’ର ସହଯୋଗରେ ଏହି ‘ଜିଏସଏଫଆର-୨୦୨୩’ ସମ୍ମିଳନୀର ଆୟୋଜନ କରାଯାଉଛି। ଏଠାରେ କୃଷି ଓ କୃଷକଙ୍କ ଅଧିକାରକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଆସନ୍ତା ଶୁକ୍ରବାର ଯାଏଁ ଏହି ସମ୍ମିଳନୀ ଚାଲିବ।

ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମିଳନୀଟିକୁ ଉଦଘାଟନ କରିଛନ୍ତି। ଏଥିରେ ବିଶ୍ୱର ୧୨୫ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି। ଏହାସହ ଭାରତର ୫୦୦ଜଣ କୃଷକ ପ୍ରତିନିଧି, କୃଷକ ଅଧିକାର ପାଇଁ ଲଢ଼େଇ କରୁଥିବା ବ୍ୟକ୍ତି ବିଶେଷ ତଥା କୃଷି ବୈଜ୍ଞାନିକଙ୍କୁ ଏଥିରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି।

Tags: #GSFR-2023 #FarmRightsGlobalSymposium #farming #newdelhi

Comment