ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏସିଆନ ଗେମ୍ସରେ ଖେଳିବେ ରାଜ୍ୟର ୧୩ ଖେଳାଳି
  • ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
  • ଟ୍ରେନିଂ ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ପ୍ରୋତ୍ସାହନ ରାଶି ଘୋଷଣା

ଚଳିତବର୍ଷ ଏସିଆନ ଗେମ୍ସରେ ଚୟନ ହୋଇଥିବା ଓଡ଼ିଆ ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟର ୧୩ ଜଣ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ।

ଖେଳାଳିମାନଙ୍କ ଏସିଆନ ଗେମ୍ସ ପାଇଁ ଟ୍ରେନିଂ ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ଆର୍ଥିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଛନ୍ତି।

ଚଳିତବର୍ଷ ଏସିଆନ ଗେମ୍ସ ପାଇଁ ମନୋନୀତ ହୋଇଥିବା ୧୩ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୧୧ ଜଣ ମହିଳା ରହିଛନ୍ତି। ଭାରତୀୟ ମହିଳା ରାଗବୀ ୭ ଦଳରେ ଓଡିଶାରୁ ସର୍ବାଧିକ ୪ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ମାମା ନାୟକ, ତରୁଲତା ନାୟକ, ନିର୍ମାଲ୍ୟା ରାଉତ ଏବଂ ଡୁମୁଣି ମାରାଣ୍ଡି।

ଓଡ଼ିଶାର ଅଂଶିକା ଭାରତୀ, ରିତୁ କାଉଡ଼ି ଓ ସୋନାଲି ସ୍ଵାଇଁ ଭାରତୀୟ ରୋଇଂ ଟିମରେ ସାମିଲ ହୋଇଛନ୍ତି। ସେହିପରି ଏସିଆନ ଗେମ୍ସ ଜ୍ୟୁ ଜିତସୁ ଖେଳରେ ଓଡ଼ିଶାର ଅନୁପମା ସ୍ଵାଇଁ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ଦେଖିବାକୁ ମିଳିବ।

ଅନ୍ୟପଟେ ମହିଳା ହକି ତାରକା ଦୀପଗ୍ରେସ ଏକ୍କା ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ହକି ଦଳରେ ସାମିଲ ହୋଇଥିବାବେଳେ ଡିଫେଣ୍ଡର ଅମିତ ରୋହିଦାସ ପୁରୁଷ ହକି ଦଳରେ ଖେଳିବେ। ସେହିପରି ଓଡ଼ିଆ ଆଥଲେଟ କିଶୋର ଜେନା ଜାଭେଲିନ ଥ୍ରୋରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସେହିପରି ମହିଳା କାୟାକିଂ ଓ କନୋଇଂ ଖେଳରେ ଓଡ଼ିଶାର ଏଲ୍ ନେହା ଦେବୀ ସାମିଲ ହୋଇଥିବାବେଳେ ଭାରତୀୟ ମହିଳା ଫୁଟବଲ ଦଳରେ ରାଜ୍ୟରୁ ପ୍ୟାରୀ ଖାଖା ଚୟନ ହୋଇଛନ୍ତି।

ଚଳିତବର୍ଷ ଚୀନର ହାଙ୍ଗଝୋଉ ସହରରେ ଏସିଆନ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୨୩ ତାରିଖରୁ ଅକ୍ଟୋବର ୮ ତାରିଖ ଯାଏଁ ଏହି ମେଗା ଟୁର୍ଣ୍ଣାମେଣ୍ଟର ୧୯ତମ ସଂସ୍କରଣ ଚାଲିବ। ଏଥିରେ ଭାରତରୁ ମୋଟ ୬୩୪ ଜଣ ଖେଳାଳି ଅଂଶଗ୍ରହଣ କରିବେ।

Tags: #AsianGames #IndianSquad #OdiaPlayers #Sports #Odisha #India

LEAVE A REPLY

Please enter your comment!
Please enter your name here