ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଅମ୍ବୁଲାନ୍ସର ଦୁର୍ଘଟଣା
  • ୪ ଓଡ଼ିଆଙ୍କ ମୃତ୍ୟୁ, ୩ ଜଣ ଗୁରୁତର
  • ମୃତକମାନେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳର

ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଶୁକ୍ରବାର ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ଓଡ଼ିଆ ପ୍ରାଣ ହରାଇଛନ୍ତି। ସେମାନଙ୍କ ଆମ୍ବୁଲାନ୍ସ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ତେଲ ଟ୍ୟାଙ୍କରକୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଥିଲା। ମୃତକମାନଙ୍କ ଘର କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋବିନ୍ଦପୁର ଗ୍ରାମରେ ଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତକମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କ ନାଁ ଉମେଶ ସାହୁ, ରଶ୍ମିତା ସାହୁ, ତ୍ରିଲୋଚନ ନାୟକ ଏବଂ ବିଜୟ ନାୟକ ହୋଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେମାନେ ବେଙ୍ଗାଳୁରୁର ଭିକ୍ଟୋରିଆ ହସ୍ପିଟାଲରେ ଜଣେ ଆତ୍ମୀୟଙ୍କ ଚିକିତ୍ସା କରାଇ ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଶୁକ୍ରବାର ସକାଳେ ଚିତ୍ତୁର ଜିଲ୍ଲା ତାଭାନାମପାଲ୍ଲୀ ଗାଁ ନିକଟସ୍ଥ ବେଙ୍ଗାଳୁରୁ-ତିରୁପତି ହାଇୱେରେ ମୃତକମାନଙ୍କ ଅମ୍ବୁଲାନ୍ସର ଦୁର୍ଘଟଣା ଘଟିଥିଲା।  ଡ୍ରାଇଭର ଜଣଙ୍କ ନିଦ୍ରାଗ୍ରସ୍ତ ହୋଇଯିବାରୁ ଅମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ତେଲ ଟ୍ୟାଙ୍କରକୁ ପଛରୁ ଧକ୍କା ଦେଇଥିଲା।

ଅମ୍ବୁଲାନ୍ସରେ ମୋଟ ୭ ଜଣ ଲୋକଥିବାବେଳେ ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣ ଗୁରୁତର ଆହତଙ୍କୁ ଚିତ୍ତୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଏବେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଥିବାବେଳେ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଓଡ଼ିଶା ପଠାଇବାକୁ ବ୍ୟବସ୍ଥା କରାଯାଉଛି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଦୁର୍ଘଟଣାର ଖବର ମିଳିବାପରେ ମୃତକମାନଙ୍କ ପରିଜନ ଦୁଃଖରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

Tags: #RoadAccident #AndhraPradesh #ChittoorDistrict #OdishaPeople #KendraPara

Comment