ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ବିବାଦ ତୀବ୍ର ହୋଇଛି। ଏବେ କାନାଡା ନାଗରିକଙ୍କ ପାଇଁ ଭାରତ ନିଜର ଭିସା ସେବା ବନ୍ଦ କରିଛି। ପରବର୍ତ୍ତୀ ନିର୍ଦେଶ ଆସିବା ଯାଏଁ କାନାଡାର ଲୋକଙ୍କୁ ଭାରତ ଆସିବା ଲାଗି ଭିସା ମିଳିବ ନାହିଁ। ଏନେଇ କାନାଡାର ରାଜଧାନୀ ଓଟାୱାସ୍ଥିତ ଭାରତୀୟ ଦୂତାବାସର ଭିସା ଆପ୍ଲିକେସନ ସେଣ୍ଟର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବିଭିନ୍ନ ରାଷ୍ଟ୍ରରୁ ଆସୁଥିବା ଭାରତୀୟ ଭିସା ଆବେଦନକୁ ପରିଚାଳନା କରୁଥିବା କମ୍ପାନି ‘ବିଏଲଏସ୍ ଇଣ୍ଟରନାସନାଲ’ ଗୁରୁବାର ସକାଳେ କାନାଡା ପାଇଁ ଭିସା ସେବା ବନ୍ଦ ହୋଇଥିବା ଘୋଷଣା କରିଥିଲା। ପରେ ଦିନ ପ୍ରାୟ ୧୨ଟା ବେଳେ ପୁଣି ଭିସା ଆବେଦନ ହୋଇଥିଲା। ଏହାପରେ ପରିଚାଳନାଗତ କରଣରୁ ପରବର୍ତ୍ତୀ ନିର୍ଦେଶ ଆସିବା ଯାଏଁ କାନାଡାର ନାଗରିକଙ୍କୁ ଭାରତୀୟ ଭିସା ଦିଆଯିବା ବନ୍ଦ ହୋଇଥିବା କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଭାରତ ଓ କାନାଡା କୂଟନୈତିକ ବିବାଦ ମଧ୍ୟରେ ଭାରତର ଏଭଳି ପଦକ୍ଷେପକୁ ସବୁଠାରୁ ବଡ଼ ନିଷ୍ପତ୍ତି ଭାବେ ଦେଖାଯାଉଛି। ଏହାପୂର୍ବରୁ ବୁଧବାର ଦିନ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କାନାଡାରେ ରହୁଥିବା ଭାରତୀୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲା।

ଖାଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାରେ ଭାରତ ସରକାରଙ୍କ ହାତ ଅଛି ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ସଂସଦରେ ବୟାନ ଦେବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏହାପରେ ଭାରତ ବିରୋଧୀ ଗତିବିଧିକୁ କାନାଡା ପ୍ରଶ୍ରୟ ଦେଉଥିବା ଭାରତ ସରକାର ଅଭିଯୋଗ କରିଥିଲେ।

ଏହା ମଧ୍ୟରେ ମଙ୍ଗଳବାର କାନାଡାରେ କାର୍ଯ୍ୟରତ ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡା ସରକାର। ଏହାର ଜବାବରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଭାରତରେ କାନାଡାର ରାଜଦୂତଙ୍କୁ ସମନ କରିବା ସହ କାନାଡାର ଅନ୍ୟ ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ।

ଅନ୍ୟପଟେ ଗୁରୁବାର କାନାଡାର ୱିନ୍ନିପେଗ ସହରରେ ଆଉ ଜଣେ ଖାଲିସ୍ତାନ ସମର୍ଥକ ତଥା ଗ୍ୟାଙ୍ଗଷ୍ଟର୍ ସୁଖଦୂଲ୍‌ ସିଂହଙ୍କୁ ହତ୍ୟା କରାଯାଇଛି। ସେ ଭାରତର ପଞ୍ଜାବରେ ବିଭିନ୍ନ ଅପରାଧିକ ଗତିବିଧିରେ ସାମିଲ ଥିଲେ। ୨୦୧୭ ମସିହାରେ ସେ ଜାଲ୍ କାଗଜ ପତ୍ର ଦେଖାଇ ଭାରତରୁ କାନାଡା ଚାଲିଯାଇଥିଲେ। ତେବେ ଏହି ହତ୍ୟା ଘଟଣାକୁ ନେଇ ଏ ଯାଏଁ କାନାଡା ସରକାର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Tags: #India-CanadaRelations #IndianVisaServices #CanadianCitizens #DiplomaticTussle

Comment