ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ମାଳଦ୍ୱୀପ ଓ ଭାରତ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ମାଳଦ୍ୱୀପ ସରକାରଙ୍କ କେତେକ ମନ୍ତ୍ରୀଙ୍କ ଭାରତ ବିରୋଧରେ ଅପମାନଜନକ ମନ୍ତବ୍ୟ ପରେ ଏହି ମାମଲା ଏବେ ଗୁରୁତର ହୋଇପଡ଼ିଛି। ତେବେ ଆପତ୍ତିଜନକ ବୟାନ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇସାରିଥିଲେ ମଧ୍ୟ ଏହା ଉଭୟ ଦେଶର ସମ୍ପର୍କକୁ କ୍ଷତି ପହଞ୍ଚାଇଛି। ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ‘ବୟକଟ୍ ମାଳଦ୍ୱୀପ’।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳର କେତେକ ନେତା ଏହା ବିରୋଧରେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଥିଲେ। ସେମାନେ ଭାରତର ପର୍ଯ୍ୟଟନକୁ ନିକୃଷ୍ଟ କହିବା ସହ ନରେନ୍ଦ୍ର ମୋଦୀଙ୍କ ପାଇଁ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାପରେ ଭାରତର ଅନେକ ଲୋକ ଏହାର ବିରୋଧ କରିଥିଲେ।

ରବିବାର ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ମାମଲାକୁ ମାଳଦ୍ୱୀପ ସରକାରଙ୍କ ଅଗାରେ ଉଠାଇ ସମ୍ପୃକ୍ତ ମନ୍ତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କୁହାଯାଇଥିଲା। ଏହାପରେ ମାଳଦ୍ୱୀପ ସରକାର ବିବାଦୀୟ ମନ୍ତବ୍ୟ ଦେଇଥିବା ନିଜର ୩ ଜଣ ମନ୍ତ୍ରୀ ମାଲସା ସରିଫ, ମରିୟମ୍ ସିୟୁନା ଓ ଅବଦୁଲ୍ଲା ମାଝୁମ୍ ମାଜିଦଙ୍କୁ ନିଲମ୍ବିତ କରିଥିଲେ। ଏହାସହ ଭାରତରେ ମାଳଦ୍ୱୀପର ହାଇକମିଶନରଙ୍କୁ ମଧ୍ୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସମନ କରାଯାଇଥିଲା।  

ପର୍ଯ୍ୟଟନ ଶିଳ୍ପ ହିଁ ମାଳଦ୍ୱୀପର ଅର୍ଥନୀତିରେ ସର୍ବାଧିକ ଯୋଗଦାନ ଦେଇଥାଏ। ଭାରତରୁ ହିଁ ସର୍ବାଧିକ ପର୍ଯ୍ୟଟକ ମାଳଦ୍ୱୀପ ବୁଲିବାକୁ ଯାଇଥାନ୍ତି। ତେବେ ଏହି କୂଟନୈତିକ ବିବାଦ ପରେ ଅନେକ ଭାରତୀୟ ଏବେ ମାଳଦ୍ୱୀପ ଯିବେ ନାହିଁ ବୋଲି ସୋସିଆଲ ମିଡିଆରେ ମତ ବ୍ୟକ୍ତ କରୁଛନ୍ତି। ମାଳଦ୍ୱୀପ ବଦଳରେ ଲକ୍ଷ୍ୟଦ୍ୱୀପ ତଥା ଭାରତର ଅନ୍ୟ ସ୍ଥାନଗୁଡ଼ିକୁ ବୁଲିବାକୁ ଯିବେ ବୋଲି ଅନେକ ଭାରତୀୟ କହିଛନ୍ତି।   

ସେହିପରି ‘ବୟକଟ୍ ମାଳଦ୍ୱୀପ’ ମଧ୍ୟ ଏବେ ସୋସିଆଲ ମିଡିଆ ଟ୍ରେଣ୍ଡ କରୁଛି। ଏହାସହ ଅନେକ ଭାରତୀୟ ମାଳଦ୍ୱୀପରେ କରିଥିବା ନିଜର ଟ୍ରିପ ବୁକିଂକୁ ବାତିଲ ମଧ୍ୟ କରୁଛନ୍ତି। ଅନ୍ୟପଟେ ଏହି ଘଟଣାରେ ଟ୍ରାଭେଲ ବୁକିଂ ସଂସ୍ଥା ‘ଇଜ୍ ମାଇଁ ଟ୍ରିପ’ ମଧ୍ୟ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏବେ ଏହି ସଂସ୍ଥା ନିଜ ମାଲଦ୍ୱୀପ ପ୍ୟାକେଜ ବୁକିଂକୁ ବାତିଲ କରିଛି। ଏହିସବୁ ସ୍ଥିତିରେ ଏବେ ମାଳଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବାର ସମ୍ଭବନା ରହିଛି।             

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜାନୁଆରି ୪ ତାରିଖରେ ଲକ୍ଷ୍ୟଦ୍ୱୀପ ଗସ୍ତ କରିଥିଲେ। ସେଠାରେ ସେ ପର୍ଯ୍ୟଟନର ବିକାଶ ଲାଗି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଭାରତୀୟମାନଙ୍କୁ ଅଧିକ ସଂଖ୍ୟାରେ ଲକ୍ଷ୍ୟଦ୍ୱୀପ ବୁଲିବାକୁ ଆସିବାକୁ ପରାମର୍ଶ ଦେଇଥିଲେ। ଏହାକୁ କେନ୍ଦ୍ର କରି ମାଳଦ୍ଵୀପର କିଛି ଜନପ୍ରତିନିଧି ଅସହିଷ୍ଣୁ ହୋଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

 Tags: #India-MaldivesRelations #DiplomaticTussle #Lakshadweep #Tourism #India

Comment