ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ବିବାଦ ଏବେ ଜୋର ଧରିବାରେ ଲାଗିଛି। ଖାଲିସ୍ତାନ ସମର୍ଥକ ହରିଦୀପ ସିଂହ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଅଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଏବେ କାନାଡାରେ ରହୁଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବା ପାଇଁ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

କାନାଡାରେ ବଢ଼ୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ଅପରାଧିକ ହିଂସାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଭାରତୀୟ ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ କାନାଡ଼ା ଯିବାକୁ ଚାହୁଁଥିବା ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରିବାକୁ ବୈଦେଶିକ ମନ୍ତ୍ରାଳୟ ପରାମର୍ଶ ଦେଇଛି।

କାନାଡାର ଯେଉଁ ଅଞ୍ଚଳରେ ଭାରତ ବିରୋଧୀ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି, ସେଠାକୁ ଯାତ୍ରା ନକରିବାକୁ କୁହାଯାଇଛି। କିଛି ଅସୁବିଧା ହେଲେ କାନାଡାରେ ଭାରତୀୟ ଦୂତାବାସକୁ ସମ୍ପର୍କ କରିବାକୁ ପରାମର୍ଶ ଦିଆଯାଇଛି।

ଖାଲିସ୍ତାନୀ ଗୋଷ୍ଠୀଗୁଡ଼ିକ କାନାଡାରେ ଭାରତୀୟ କୂଟନୀତିଜ୍ଞ ଓ ଭାରତୀୟ ନାଗରିକଙ୍କୁ ଆକ୍ରମଣ କରିବାକୁ ଖୋଲାଖୋଲି ଧମକ ଦେଉଥିବାରୁ ବୈଦେଶିକ ମନ୍ତ୍ରାଳୟ ଏଭଳି ଆଡଭାଇଜରି ଜାରି କରିଛି।

ସୋମବାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡାର ସଂସଦରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ହରିଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ହାତ ଥିବା ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ସରକାର ସିଧା ସିଧା ପ୍ରତ୍ୟାଖ୍ୟାନ କରିଥିଲେ। ଏହା ମିଛ ଓ ଭିତ୍ତିହୀନ ଅଭିଯୋଗ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନିଜ ବିବରଣୀରେ ପ୍ରକାଶ କରିଥିଲା।

ତେବେ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ କାନାଡାରେ କାର୍ଯ୍ୟରତ ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ କାନାଡା ସରକାର। ଏହାର ଜବାବରେ ବୈଦେଶିକ ମନ୍ତ୍ରାଳୟ ଭାରତରେ କାନାଡାର ରାଜଦୂତଙ୍କୁ ସମନ କରିବା ସହ କାନାଡାର ଅନ୍ୟ ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ୫ ଦିନ ଭିତରେ ଭାରତ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି।

ଭାରତ ବିରୋଧୀ କାର୍ଯ୍ୟକଳାପ କରିଥିବା ଖାଲିସ୍ତାନ ସମର୍ଥକଙ୍କୁ କାନାଡା ସୁରକ୍ଷା ଦେଉଥିବା ଭାରତ ସରକାର ବହୁ ପୂର୍ବରୁ ଅଭିଯୋଗ କରିଛନ୍ତି। ଏହା ମଧ୍ୟରେ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ଆସିବାପରେ ଉଭୟ ଦେଶର ଦ୍ଵିପାକ୍ଷିକ ସମ୍ପର୍କ ସବୁଠୁ ତଳ ସ୍ତରକୁ ଖସିଯାଇଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରାଳୟ ଏବେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି।

Tags: #India-CanadaRelations #DiplomaticTussle #NRIs #MinistryofExternalAffairs #India

Comment