ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ମିଳିଛି ବିଶ୍ଵସ୍ତରୀୟ ‘ବ୍ଲୁ ଫ୍ଲାଗ’ ମାନ୍ୟତା। ଓଡ଼ିଶାର ଦ୍ଵିତୀୟ ବେଳାଭୂମି ଭାବେ ସୁନାପୁର ବେଳାଭୂମି ‘ବ୍ଲୁ ଫ୍ଲାଗ’ ହାସଲ କରିଛି। ଏହାପୂର୍ବରୁ ୨୦୨୦ ମସିହାରେ ପୁରୀର ‘ଗୋଲ୍ଡେନ ବିଚ୍’କୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ମିଳିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଡେନମାର୍କର ସଂସ୍ଥା ଫାଉଣ୍ଡେସନ ଫର ଏନଭରମେଣ୍ଟାଲ୍ ଏଜୁକେସନ (ଏଫଇଇ) ପକ୍ଷରୁ ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ଦିଆଯାଇଛି। ବେଳାଭୂମିର ସ୍ଵଚ୍ଛତା ଓ ସୁନ୍ଦରତା, ପରିବେଶ ଅନୁକୂଳ ଭିତ୍ତିଭୂମି ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି।

“ସୁନାପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ମିଳିବା କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା ରାଜ୍ୟର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ବେଶ୍ ସହାୟକ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗଞ୍ଜାମ ଜିଲ୍ଲାର ବାହୁଡ଼ା ନଦୀ ମୁହାଣରେ ସୁନାପୁର ବେଳାଭୂମି ରହିଛି। ୨୦୨୧ ମସିହାର ଏହି ବେଳାଭୂମିର ବିକାଶ କାମ ଆରମ୍ଭ ହୋଇଥିଲା। ୨୦୨୩ରେ କାମ ସମ୍ପୂର୍ଣ୍ଣ ହେବାପରେ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ଦେବା ନେଇ ଆବେଦନ କରାଯାଇଥିଲା। ‘ବ୍ଲୁ ଫ୍ଲାଗ’ ଦିଆଯିବ ପୂର୍ବରୁ ଏଫଇଇ ସଂସ୍ଥା ପକ୍ଷରୁ ବେଳାଭୂମିର ନିରୀକ୍ଷଣ କରାଯାଇଥିଲା।

‘ବ୍ଲୁ ଫ୍ଲାଗ’ ମାନ୍ୟତା କ’ଣ?

ବିଶ୍ୱର ଯେଉଁ ସୁମଦ୍ରକୂଳର ସ୍ୱଚ୍ଛ ସହିତ ପର୍ଯ୍ୟଟକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଥାଏ ତାକୁ ଏହି ‘ବ୍ଲୁ ଫ୍ଲାଗ’ ମାନ୍ୟତା ମିଳିଥାଏ। ଏହି ମାନ୍ୟତା ପାଇବାକୁ ହେଲେ ସମୁଦ୍ରକୂଳକୁ କେତେକ ସର୍ତ୍ତ ପୂରଣ କରିବା ନିହାତି ଆବଶ୍ୟକ ହୋଇଥାଏ।

ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଥିବା ଦରକାର। ତା’ ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳରେ ଲାଇଫ୍ ଗାର୍ଡ ୨୪ ଘଣ୍ଟା ରହିବା ଆବଶ୍ୟକ। ତା’ସହିତ ସେହି ସମୁଦ୍ରକୂଳ ସ୍ୱଚ୍ଛ ମଧ୍ୟ ରହିବା ଦରକାର। ଏହିଭଳି ଅନେକ ସର୍ତ୍ତ ପୂରଣ କଲେ ଗୋଟିଏ ସମୁଦ୍ରକୂଳକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ଦିଆଯାଇଥାଏ।

Tags: #SunapurBeach #BlueFlagCertification #BlueFlagBeach #Tourism #Ganjam #Odisha

Comment