ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ କଣ୍ଠରେ ରେକର୍ଡ ହୋଇଥିବା ପ୍ରଥମଭଜନ ‘ହେ ଚକାନୟନ’ ପାଲଟିଥିଲା ଏକ କ୍ଲାସିକ୍‍ 

‘‘ମତେ ଯେତେବେଳେ କେହି ଜାଣି ନଥିଲେ ମହାପ୍ରଭୁ ଟିକେ ଆଡ଼ ନୟନରେ ଚାହିଁଥିଲେ। ରାତି ସାଢ଼େ ୩ଟା ବେଳେ ମୁଁ ଏହି ଗୀତ ଗାଇଥିଲି। ଏହି ଗୀତଟି ମହାପ୍ରଭୁଙ୍କ ଆଶୀର୍ବାଦରୁ ସଫଳତା ହାସଲ କରିଛି। ଲୋକଙ୍କ ପାଖରେ ଏହି ଗୀତଟି ଅଧିକ ଆଦର ପାଇଛି’’, କହିଛନ୍ତି ବିଶିଷ୍ଟ ଭଜନ ଗାୟକ ଶାନ୍ତିଲତା ବାରିକ୍‌ ଛୋଟରାୟ।‘ହେ ଚକାନୟନ’ ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନ। ୧୯୭୮ ମସିହାରେ ରେକର୍ଡ ହୋଇଥିବା ଏହି ଗୀତଟି ଏବେ ଶ୍ରୋତାଙ୍କ ମହଲରେ ଆଦର ପାଉଛି। ଏହି ଲୋକପ୍ରିୟ ଭଜନ ‘ହେ ଚକାନୟନ’ ନାଁରେ ପ୍ରତି ବର୍ଷ ଭୁବନେଶ୍ୱରରେ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଶାନ୍ତିଲତା ବାରିକ୍‌ ଛୋଟରାୟ କଲ୍‌ଚରାଲ୍‌ ଟ୍ରଷ୍ଟ ପକ୍ଷରୁ ‘ହେ ଚକାନୟନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

“ଧର୍ମ ବିହୀନ କର୍ମ, କର୍ମ ନୁହେଁ। ଧର୍ମ ତଥା ଠାକୁରଙ୍କୁ ନେଇ ସବୁକାମ କଲେ ଜୀବନରେ ସଫଳତା ମିଳିବ। ହେ ଚକାନୟନ ଗୀତଟି ଗାଇ ମୁଁ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଥିଲି”, କହିଛନ୍ତି ପ୍ରଖ୍ୟାତ ଓଡ଼ିଆ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ।

‘‘ହେ ଚକାନୟନ ଗୀତ ରେକର୍ଡିଂ କରିବାକୁ ଯିବା ପାଇଁ ମତେ ଠିକ୍ ସମୟରେ ବସ୍ ମିଳି ନଥିଲା। ଅନେକ ସମସ୍ୟାକୁ ଅତିକ୍ରମ କରି ମୁଁ ରେକର୍ଡିଂ ଷ୍ଟୁଡିଓରେ ପହଞ୍ଚିଥିଲି। ମତେ ମୋ ପରିଶ୍ରମର ଫଳ ମିଳିଛି। ‘ହେ ଚକାନୟନ’ ଗୀତଟି ସାରା ଓଡ଼ିଶାରେ ଲୋକପ୍ରିୟ ହୋଇପାରିଥିବାରୁ ମୁଁ ବହୁତ ଖୁସି”, କହିଛନ୍ତି ଶାନ୍ତିଲତା।

Also Read:

ପିଲାବେଳୁ ମୁଁ ଗୀତ ଗାଉଥିଲି – ଶାନ୍ତିଲତା ବାରିକ

‘‘‘ହେ ଚକାନୟନ’ ଗୀତ ଗାଇବା ଦିନ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ଥିଲା। ତେଣୁ ଏହି ଗୀତଟି ଜଗନ୍ନାଥଙ୍କୁ ମଧ୍ୟ ପସନ୍ଦ ଆସିଥିଲା ବୋଲି ମୋର ବିଶ୍ୱାସ ରହିଛି,’’ କହନ୍ତି ଶାନ୍ତିଲତା।

ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କ ବିଶେଷ ଅବଦାନ ପାଇଁ ତାଙ୍କୁ ୨୦୧୭-୧୮ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ମିଳିଛି। ଏହାକୁ ସେ ଜଗନ୍ନାଥଙ୍କର ଆଶୀର୍ବାଦ ବୋଲି କୁହନ୍ତି।

Tags: #shantilatabarik #singer #bhajana #odiabhajana #jagannathbhajan

Comment