ଓଡ଼ିଶାଲାଇଭ୍ ବ୍ୟୁରୋ

ସିସୋର ଚିଟଫଣ୍ଡ ଠକେଇ ମାମଲାରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳଙ୍କ ନାଁରେ ମଧ୍ୟ ଅତିରିକ୍ତ ଚାର୍ଜସିଟ ଦାଖଲ କରାଯାଇଛି।

ଏହା ପୂର୍ବରୁ ସେପ୍ଟେମ୍ବର ୨୩ ତାରିଖରେ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତ ରଞ୍ଜନ ବିଶ୍ଵାଳ ଏବଂ ତାଙ୍କ ପତ୍ନୀ ନାଁରେ ଚାର୍ଜଫ୍ରେମ କରିଥିଲା ସିବିଆଇ।

ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ପକ୍ଷରୁ ମଙ୍ଗଳବାର ଦିନ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସିସୋରର ଦୁଇଟି କମ୍ପାନି ନାଁରେ ମଧ୍ୟ ଚାର୍ଜସିଟ ଦାଲଖ ହୋଇଛି। ସିସୋର ମୁଖ୍ୟ ପ୍ରଶାନ୍ତ ଦାସ, ପ୍ରଭାତ ଦାସ ଏବଂ ଅନ୍ୟ ୩ ଜଣଙ୍କ ନାଁରେ ଚାର୍ଜସିଟ ହୋଇଛି।

ଗତ ୨୦୧୪ ମସିହାରେ ସିସୋର ବେଆଇନ ଅର୍ଥ କାରବାରର ତଦନ୍ତ ଦାୟିତ୍ଵ ନେଇଥିଲା ସିବିଆଇ। ସିସୋର ମହାଘୋଟାଲାରେ ଅନେକ ରାଜନେତା, ବ୍ୟବସାୟି ଏବଂ ଓଏସ ଓ ଆଇଏଏସ୍ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଥିଲା। ସିସୋର ଲିଙ୍କ୍ ନେଇ ପ୍ୟାରୀମୋହନ ମହାପାତ୍ର, ରବୀନ୍ଦ୍ର ଜେନା, ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ପ୍ରଭାତଙ୍କୁ ଚାରି ଚାରି ଥର ମାରାଥନ ଜେରାର ସମ୍ମୁଖିନ ହେବାକୁ ପଡ଼ିଥିଲା।

ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ଏକ ଜମିକୁ କିଣିବା ପାଇଁ ୨୦୧୧ରେ ସିସୋର ସହ ଡିଲ୍ ହୋଇଥିଲା। ଏହି ଜମି କିଣିବାକୁ ୨୦୧୨ ମସିହା ଏପ୍ରିଲ ମାସରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଲକ୍ଷ୍ମୀ ବିଳାସୀନିଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ପରେ ପ୍ରଶାନ୍ତ ଦାସ ଜମି ନେବାକୁ ମନା କରିବା ସହ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ସିସୋର ମୁଖ୍ୟଙ୍କୁ ଟଙ୍କା ଫେରାଇଥିବା କହିଥିଲେ ଲକ୍ଷ୍ମୀ ବିଳାସୀନି ବିଶ୍ଵାଳ। ସିବିଆଇ ଖୋଳତାଡ଼ ବେଳେ ଟଙ୍କା ଫେରସ୍ତର ପ୍ରମାଣ ଦେଇପାରିନଥିଲେ ବିଶ୍ଵାଳ ଦମ୍ପତି।

ଏହି ମାମଲାରେ ଗତ ୨୦୧୭ ମସିହା ସେପ୍ଟେମ୍ବର ୧୯ ତାରିଖରେ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିବିଆଇ। ୨୦୧୮ ମସିହା ଜୁନ ୨୭ ତାରିଖରେ ତାଙ୍କୁ ବେଲ ମିଳିଥିଲା। ଏହା ପରେ ଜୁଲାଇ ୩୦ ତାରିଖରେ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଆଟାଚ୍ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ।

Tags: #Seashorechitfundscam #chargeframe #secondsupplementarychargesheet #ED #pravatranjanbiswal #CBIInvestigation

Comment