ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଏସିଆନ ଗେମ୍ସରେ ଓଡ଼ିଆ ପୁଅ କିଶୋର ଜେନା ଐତିହାସିକ ସଫଳତା ହାସଲ କରି ଦେଶ ଓ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ସେ ୮୭.୫୪ ମିଟର ଜାଭଲିନ ଫିଙ୍ଗି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ପଦକ ଜିତିଛନ୍ତି। ଏହି ଉପଲବ୍ଧି ଲାଗି ଓଡ଼ିଶା ସରକାର କିଶୋରଙ୍କ ପାଇଁ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।        

କିଶୋର ଜେନା ଏସିଆନ ଗେମ୍ସରେ ଭଲ ପ୍ରଦର୍ଶନ କରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଶୋରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

“ଏସିଆନ ଗେମ୍ସରେ କିଶୋରଙ୍କ ସଫଳତା ସମଗ୍ର ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ଏସୀୟ କ୍ରୀଡ଼ାରେ ତାଙ୍କର ବିଜୟ ଏବଂ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। କିଶୋରଙ୍କ ପ୍ରଦର୍ଶନ ସାରା ଦେଶର ଉଦୀୟମାନ ଆଥଲେଟମାନଙ୍କ ପାଇଁ ପ୍ରେରଣା ସାଜିଛି”, କହିଛନ୍ତି ନବୀନ ପଟ୍ଟନାୟକ।

ଏସିଆନ ଗେମ୍ସ ଜାଭଲିନ ଥ୍ରୋରେ ନୀରଜ ଚୋପ୍ରା ସ୍ଵର୍ଣ୍ଣ ଓ କିଶୋର ଜେନା ରୌପ୍ୟ ପଦକ ଜିତିବା ପରେ ଉଭୟ ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଶୁଭେଚ୍ଛା ଜଣାଇଥିଲେ।

ବୁଧବାର ଅପରାହ୍ଣରେ ଏସିଆନ ଗେମ୍ସରେ ଜାଭଲିନ ଥ୍ରୋ ଇଭେଣ୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏଥିରେ ନୀରଜ ଚୋପ୍ରା ୮୮.୮୮ ମିଟର ଜାଭଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିଥିଲେ। ତାଙ୍କ ପଛକୁ କିଶୋର ଜେନା ନିଜର ଚତୁର୍ଥ ପ୍ରୟାସରେ ୮୭.୫୪ ମିଟର ଜାଭଲିନ ଫିଙ୍ଗିଥିଲେ। ଅନ୍ୟପଟେ ଜାପାନର ରୋଡରିକ୍ ଜେନିକି ଡେନ ୮୨.୬୮ ମିଟର ଜାଭଲିନ ଥ୍ରୋ ସହ ବ୍ରୋଞ୍ଜ ମେଡାଲ ପାଇଥିଲେ।  

Tags: #AsianGames #JavelinThrow #KishoreJena #Athletics #Sports #Odisha  

Comment