ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାର ଦିନ ଅପରାହ୍ଣ ୧.୪୫ ମିନିଟରେ ଭୁବନେଶ୍ଵର ବିମାନବନ୍ଦରଠାରେ ପହଞ୍ଚିଥିଲା ସିକ୍କିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର। ବିମାନବନ୍ଦର ପରିସରରେ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ସହିଦ ସରୋଜ କୁମାର ଦାସଙ୍କ ଶେଷ ଦର୍ଶନ କରିବାକୁ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଭିନ୍ନ ରାଜନୈତିକ ଦଳର ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ସେନା ଅଧିକାରୀ, ପୂର୍ବତନ ସେନା ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ସେନାର ଅଧିକାରୀ, ବିଭିନ୍ନ ଦଳର ମନ୍ତ୍ରୀ ଏବଂ ନେତା ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ସହିଦ ସରୋଜ କୁମାର ଦାସଙ୍କ ବାପା ଓ ଭାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ସହିଦଙ୍କ ପାର୍ଥିବ ଶରୀରକୁ ପାଛୋଟି ନେବାକୁ ଭୁବନେଶ୍ଵରରେ ପହଞ୍ଚିଥିଲେ ସହିଦଙ୍କ ବାପା, ଭାଇ ଏବଂ ପରିବାର ସଦସ୍ୟ।
ସମସ୍ତେ ଶ୍ରଦ୍ଧାଞ୍ଜଳି ଦେବା ପରେ ସ୍ୱତନ୍ତ୍ର ଗାଡ଼ିରେ ସହିଦଙ୍କ ପାର୍ଥିବ ଶରୀର ଜନ୍ମମାଟି କେନ୍ଦୁଢ଼ିପ ଅଭିମୁଖେ ବାହାରିଛି। ପ୍ରାୟ ଅଢ଼େଇ ଘଣ୍ଟା ସମୟ ମଧ୍ୟରେ ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପ ଗାଁରେ ପହଞ୍ଚିବ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର।
ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ତାଙ୍କୁ ନିଆଯିବ। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପ୍ରାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ କେନ୍ଦୁଢ଼ିପ ଗାଁକୁ ନିଆଯିବ। ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ସିକ୍କିମରେ ଆସିଥିବା ଆକସ୍ମିକ ବନ୍ୟାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନାର ୨୩ ଜଣ ଯବାନ ଭାସିଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପର ଓଡ଼ିଆ ଯବାନ ସରୋଜ କୁମାର ଦାସ। ଗୁରୁବାର ଦିନ ସରୋଜ କୁମାର ଦାସ ସହିଦ ହୋଇଥିବା ଖବର ଆସିଥିଲା।
ସରୋଜ କୁମାର ଦାସ ୨୦୧୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ। ପରିବାରରେ ସବୁଠୁ ସାନ ପୁଅ ହେଉଛନ୍ତି ସରୋଜ। ୨୦୨୩ ମସିହା ଫେବ୍ରୁଆରି ମାସରେ ତାଙ୍କର ବିବାହ ହୋଇଥିଲା।
Tags: #Sikkim #Floods #sahid #martyred #HeavyRainfall #TeestaRiver #IndianArmyJawans #India