ଅଭିଷେକ ରାୟ

ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ତଥା ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ବିଶେଷ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ତାରିଖ ଯାଏଁ ଚାଲିବ। ୧୫ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାରକରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

ଏହି କାର୍ଯ୍ୟକ୍ରମ ଅଧୀନରେ ଅକ୍ଟୋବର ୧୮ ତାରିଖରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ନେଇ ଭୁବନେଶ୍ଵରଠାରେ ଏକ ମିଡିଆ ୱାର୍କସପ କରାଯିବ। ଗଣମାଧ୍ୟମ ପ୍ରତିନିଧି ଏବଂ ଡେଭଲପମେଣ୍ଟ କମ୍ୟୁନିକେସନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି।

ଅକ୍ଟୋବର ୨୭ ତାରିଖରେ ‘ଷ୍ଟ୍ରୋକ ମୁକ୍ତ ଜୀବନ’ ଉପରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଷ୍ଟ୍ରୋକ ଉପରେ ବିଭିନ୍ନ ଟେକ୍ନିକାଲ ସେସନ ରହିବ। ଅନେକ ବିଶିଷ୍ଟ ଡାକ୍ତର, ସରକାରୀ ଅଧିକାରୀ, ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

“ଦୈନନ୍ଦିନ କାର୍ଯ୍ୟଧାରା ଓ ଅଭ୍ୟାସରୁ ମିଳୁଥିବା ଶିକ୍ଷା ଏବଂ ଡିଜିଟାଲ କ୍ଷେତ୍ରରେ ନୂଆ ନୂଆ ଜ୍ଞାନକୌଶଳ ଆମକୁ ଷ୍ଟ୍ରୋକଜନିତ ଆଶଙ୍କାରୁ ରକ୍ଷା କରିବାରେ ଆଜି ପ୍ରମୁଖ ଭୂମିକା ନେଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ସୁ-ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଭ୍ୟାସ ଅନୁସରଣ କରିବାକୁ ଏହା ପ୍ରୋତ୍ସାହନ ଦେଉଛି। ଏହି କ୍ରମରେ ଆଜି ଆମେ ଦେଶ ତଥା ଦେଶ ବାହାରେ ଯୁବପିଢ଼ିଙ୍କ ଲାଗି ଏକ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଗଢ଼ିବା ଲାଗି ଉତ୍ସାହର ସହ କାମ କରୁଛୁ’’, କହିଛନ୍ତି ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ।

ଗତ ୧୦୦ ବର୍ଷରେ ବିଭିନ୍ନ ସଂକ୍ରାମକ ରୋଗ ବିଶ୍ଵରେ ଆହ୍ଵାନ ସୃଷ୍ଟି କରିଥିଲା। ନିକଟରେ କୋଭିଡ୍-୧୯ ମହାମାରୀକୁ ଆମେ ମୁକାବିଲା କରି ଅତିକ୍ରମ କରିଆସିଛୁ। ହେଲେ ଚଳିତ ଶତାବ୍ଦୀରେ ଅଣ ସଂକ୍ରାମକ ରୋଗ ଆହୁରି ବଡ଼ ଆହ୍ଵାନ ସୃଷ୍ଟି କରିଛି। ଲୋକଙ୍କ ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟଭ୍ୟାସ ଓ ଅନ୍ୟାନ୍ୟ କାରଣରୁ ଷ୍ଟ୍ରୋକର ପ୍ରଭାବ ଏବେ ବଢ଼ିବାରେ ଲାଗିଛି। ଉଚ୍ଚ ରକ୍ତଚାପ, ମଧୁମେହ, ହୃଦଘାତ, କାର୍ଡିଓ ଭାସ୍କୁଲାର ଡିଜିଜ(ସିଭିଡି) ଓ ବ୍ରେନ ଷ୍ଟ୍ରୋକ ଭଳି ଅଣ ସଂକ୍ରାମକ ରୋଗ ସ୍ୱାସ୍ଥ୍ୟଜନିତ ଚିନ୍ତା ବଢ଼ାଇଛି।

ବର୍ତ୍ତମାନ ଅଣ ସଂକ୍ରାମକ ରୋଗ ଭିତରେ ଷ୍ଟ୍ରୋକ ଯୋଗୁଁ ସର୍ବାଧିକ ଲୋକଙ୍କ ମୃତ୍ୟୁ ଓ ଅକ୍ଷମତା ହେବାର ନଜିର ଦେଖିବାକୁ ମିଳୁଛି। ତେଣୁ ଏହା ଉପରେ ବ୍ୟାପକ ସଚେତନତା ପାଇଁ ବିଶ୍ଵ ଷ୍ଟ୍ରୋକ ସଂଗଠନ କାମ କରୁଛି। ଏବେ ବିଶ୍ଵରେ ୪ ଜଣଙ୍କ ମଧ୍ୟରୁ ଜଣକୁ ଷ୍ଟ୍ରୋକ ହେବାର ସମ୍ଭାବନା ଥିବା ସଂଗଠନ ସତର୍କ କରାଇଛି। ଏହାସହ ଅଧିକ ଲୋକଙ୍କୁ ଷ୍ଟ୍ରୋକ ହେବା ଦ୍ଵାରା ଦେଶର ପ୍ରଗତିରେ ମଧ୍ୟ ବାଧା ସୃଷ୍ଟି ହେବାର ଭୟ ରହିଥିବା ସଂଗଠନ ପକ୍ଷରୁ କୁହାଯାଇଛି।

ଆଇଏଫଆଇ ଫାଉଣ୍ଡେସନ ବିଶ୍ଵ ଷ୍ଟ୍ରୋକ ସଂଗଠନର ଏକ ସଦସ୍ୟ ରହିଛି। ସାଧାରଣ ଲୋକଙ୍କୁ ଷ୍ଟ୍ରୋକ ବିଷୟରେ ସଚେତନତା କରିବା ତଥା ଏହାର ନିୟନ୍ତ୍ରଣ ପାଇଁ ଫାଉଣ୍ଡେସନ ନିରନ୍ତର କାମ କରିଆସୁଛି। ସେହିପରି ବିଶ୍ଵ ଷ୍ଟ୍ରୋକ ଦିବସ ଅବସରରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ ଆସୋସିଏସନ ଅଫ ପବ୍ଲିକ ହେଲଥ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି।

ସେହିପରି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ପବ୍ଲିକ ହେଲଥ ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଶ୍ରୀଧର ମୁରଲୀଧରରାଓ କଦମ ଏବଂ କେୟାର ହସ୍ପିଟାଲ ଭୁବନେଶ୍ୱରର ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା ଏହି ଷ୍ଟ୍ରୋକ ସଚେତନତା କାର୍ଯ୍ୟକ୍ରମର ପରାମର୍ଶଦାତା ରହିଛନ୍ତି। ଏହାସହ ଓଡ଼ିଶାଲାଇଭର ମୁଖ୍ୟ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳାମ୍ବର ରଥ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଏବଂ ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ ଏହି କାର୍ଯ୍ୟକ୍ରମର ନିର୍ଦ୍ଦେଶକ ରହିଛନ୍ତି।

Tags: #WorldStrokeDay #StrokePrevention #StrokeAwareness #StrokeFreeWorld #CanbePrevented #IFIFoundation #Swasthyaplus

Comment