ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀର ଅନେକ ଅଞ୍ଚଳରେ ଏବେ ବି ବିକାଶର ପାଦ ପଡ଼ିନାହିଁ। ଆଜିବି ଅନେକ ଗାଁ ମୌଳିକ ସୁବିଧା ସୁଯୋଗଠାରୁ ବହୁ ଦୂରରେ ରହିଛନ୍ତି। ଏପରିକି ଗାଁକୁ ଯାତାୟତ କରିବାକୁ ରାସ୍ତାଟିଏ ମଧ୍ୟ ନାହିଁ। ଏଭଳି ଅବହେଳିତ ଗାଁଟିଏ ହେଉଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତର ଢିପିସାହି ଗାଁ।

ଢିପିସାହି ଗାଁକୁ ଆଜି ପର୍ଯ୍ୟନ୍ତ ଯାତାୟତ ପାଇଁ ରାସ୍ତାଟିଏ ନାହିଁ। ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କଥା ନ କହିବା ଭଲ। ୫୭ ନମ୍ବର ଜାତୀୟ ରାଜପଥଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ରହିଛି ଢିପିସାହି ଗାଁ। ଏହି ଗାଁରେ ବସବାସ କରନ୍ତି ଶତାଧିକ ପରିବାର।

ଏହି ଗାଁ ଲୋକଙ୍କୁ କୌଣସି କାମରେ ବାହାରକୁ ଯିବା ପାଇଁ ହେଲେ ଜଙ୍ଗଲ ଏବଂ ଜମି ହୁଡ଼ା ଦେଇ ଯିବାକୁ ପଡ଼ିଥାଏ। ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ, ଛକ, ବଜାର, ସ୍ୱାସ୍ଥ୍ୟ ସେବା ଏବଂ ପିଲାଙ୍କ ନିୟମିତ ଶିକ୍ଷା ପାଇଁ ମଧ୍ୟ ଏହି ଜମିହୁଡ଼ା ଅଥବା ଜଙ୍ଗଲ ଭରସା। ଗାଁକୁ ରାସ୍ତାଟିଏ ନିର୍ମାଣ କରିବାକୁ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ଲାଭ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗାଁକୁ ରାସ୍ତା ନିର୍ମାଣ ସହ ସମସ୍ତ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବା ଦାବିରେ ମଙ୍ଗଳବାର ଦିନ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଗ୍ରାମର ମହିଳା, ପୁରୁଷ ଏବଂ ପିଲାମାନେ। ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଗାଁକୁ ରାସ୍ତା ସଂଯୋଗ କରାନଗଲେ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Tags: #Nayagarh #Dhipisahi #neglectedvillage #DaspallaConstituency #Protest

Comment