ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବସ୍‌ ଧର୍ମଘଟକୁ ସ୍ଥଗିତ ରଖିବା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ଏବେ ଅକ୍ଟୋବର ୩୧ ତାରିଖ ଯାଏଁ ଧର୍ମଘଟକୁ ରଖାଯାଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଶୁକ୍ରବାର ରାତିରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏହାର ଘୋଷଣା କରାଯାଇଥିଲା।

ଧର୍ମଘଟ ସ୍ଥଗିତ ହେବାପରେ ରାଜ୍ୟରେ ଏବେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହୋଇଛି। ବିଭିନ୍ନ ସ୍ଥାନରୁ ଦୂରଗାମୀ ବସଗୁଡ଼ିକ ଯାତ୍ରା ଆରମ୍ଭ କରିଛନ୍ତି। ଏଥିପାଇଁ ଯାତ୍ରୀଙ୍କୁ ଆଶ୍ଵସ୍ତି ମିଳିଛି।     

ବସ୍‌ ଧର୍ମଘଟକୁ ନେଇ ଘରୋଇ ବସ୍ ମାଲିକ ସଂଘର ପ୍ରତିନିଧି ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବୈଠକ ହୋଇଥିଲା। ଏଥିରେ ପାର୍ବଣ ସମୟରେ ବସ ଧର୍ମଘଟରୁ ଓହରିବା ପାଇଁ ମନ୍ତ୍ରୀ ସଂଘକୁ ଅନୁରୋଧ କରିଥିଲେ।

ସେହିପରି ବସ୍ ମାଲିକଙ୍କ ଦାବିଗୁଡ଼ିକୁ ବିଚାର କରିବା ପାଇଁ ଅକ୍ଟୋବର ୨୬ ତାରିଖରେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ଏଠାରେ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ ସ୍ଥଗିତ ରଖିବା ନେଇ ଘୋଷଣା କରାଯାଇଥିଲା।

ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ହେବାରୁ ଶୁକ୍ରବାର ଦିନସାରା ସାଧାରଣ ଯାତ୍ରୀ ବହୁତ ହନ୍ତସନ୍ତ ହୋଇଥିଲେ। ପାର୍ବଣ ଛୁଟିରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଲାଗି ବସ୍ ମିଳୁନଥିବାରୁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡରେ ଯାତ୍ରୀମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ସରକାରୀ ଓ ମୋ ବସ୍ ଚଳାଚଳ କରୁଥିଲେ ମଧ୍ୟ ଏଥିରେ ପ୍ରବଳ ଭିଡ଼ ହୋଇଥିଲା। ଏଥିପାଇଁ ଅନେକ ଲୋକ ନିଜ ସୁବିଧାରେ ଅନ୍ୟାନ୍ୟ ମାଧ୍ୟମରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଦିନ ତମାମ ହଇରାଣ ହେବାପରେ ଶୁକ୍ରବାର ରାତିରେ ବସ୍ ଚଳାଚଳ ଆରମ୍ଭ ହେବାରୁ ଯାତ୍ରୀମାନଙ୍କୁ ଆଶ୍ଵସ୍ତି ମିଳିଥିଲା।    

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଅନ୍ତର୍ଗତ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳକୁ ବିରୋଧ କରି ୨୦ ତାରିଖରୁ ବସ୍ ଧର୍ମଘଟ ଆରମ୍ଭ କରିଥିଲା ଘରୋଇ ବସ ମାଲିକ ସଂଘ। ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସକୁ ସାମିଲ କରିବା ଏବଂ ମୋ ବସ୍ ଚଳାଚଳକୁ କେବଳ ସହରାଞ୍ଚଳରେ ସୀମିତ ରଖିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। 

Tags: #PrivateBusStrike #BusServices #Passengers #Odisha

Comment