ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ

ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ ଏବଂ ମସ୍ତିଷ୍କର କୋଷିକାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରେ ନାହିଁ, ତେବେ ଜଣେ ବ୍ୟକ୍ତି ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କ ପକ୍ଷାଘାତର ଶିକାର ହୋଇଥାନ୍ତି। ଏହା ଦ୍ଵାରା ଶରୀରର ବିଭିନ୍ନ ଅଙ୍ଗ ଅଚଳ ହୋଇପଡ଼େ।

ଠିକ୍ ସମୟରେ ଚିକିତ୍ସା କରାଗଲେ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ରହିଛି। ସୁସ୍ଥ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଆବଶ୍ୟକ ଯତ୍ନ ନେବା ଜରୁରୀ। ଷ୍ଟ୍ରୋକ ଯୋଗୁଁ ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ଫିଜିଓଥେରାପି ଏବଂ ସ୍ପିଚ ଥେରାପି ଦେବାର ଆବଶ୍ୟତା ରହିଥାଏ। ଯେତେ ଶୀଘ୍ର ସମ୍ଭବ ଥେରାପି ଆରମ୍ଭ କରିବା ଦ୍ଵାରା ପକ୍ଷାଘାତର ଶିକାର ହୋଇଥିବା ବ୍ୟକ୍ତି ଭଲ ହୋଇପାରିବେ ବୋଲି କୁହନ୍ତି ପ୍ରଫେସର ପତିତପାବନ ମହାନ୍ତି।

ମସ୍ତିଷ୍କ ଆଘାତ ପରେ ଫିଜିଓଥେରାପିର ଭୂମିକା ବେଶ୍‌ ଗୁରୁତ୍ଵପୂର୍ଣ୍ଣ। ବ୍ୟକ୍ତିଙ୍କର ହାତ ଗୋଡ଼ ପୂର୍ବଭଳି କାର୍ଯ୍ୟକ୍ଷମ କରିବା ପାଇଁ ହେଲେ ବ୍ୟକ୍ତିଙ୍କୁ ଫିଜିଓଥେରାପିର ସାହାରା ନେବାକୁ ପଡ଼ିଥାଏ। ବ୍ରେନ୍‌ ଷ୍ଟ୍ରୋକ୍‌ ପୀଡ଼ିତଙ୍କ ପାଇଁ ଫିଜିଓଥେରାପିର ଗୁରୁତ୍ୱ ବିଷୟରେ ବିଶିଷ୍ଟ ଫିଜିଓଥେରାପିଷ୍ଟ ତଥା ସ୍ଵାମୀ ବିବେକାନନ୍ଦ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍‌ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଡରର ନିର୍ଦେଶକ ପ୍ରଫେସର ପତିତପାବନ ମହାନ୍ତିଙ୍କଠାରୁ ଅଧିକ ଜାଣିବା।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ଚଳିତ ବର୍ଷ ‘ବିଶ୍ଵ ଷ୍ଟ୍ରୋକ ଦିବସ’ ଅବସରରେ ଓଡ଼ିଶାରେ ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ନାଁ ରହିଛି ‘ଷ୍ଟ୍ରୋକ ମୁକ୍ତ ଜୀବନ’। ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଷ୍ଟ୍ରୋକ ସମ୍ପର୍କରେ ବିଶେଷ ସଚେତନତା ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ। ୧୫ ଦିନ ବ୍ୟାପି ହେବାକୁ ଥିବା କାର୍ଯ୍ୟକ୍ରମରେ ଷ୍ଟ୍ରୋକ ବାବଦରେ ବିଭିନ୍ନ ସଚେତନତାମୂଳକ ଭିଡିଓ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସର ସୋସିଆଲ ଚ୍ୟାନେଲରେ ପ୍ରସାରଣ କରାଯିବ। ବିଶିଷ୍ଟ ଡାକ୍ତରମାନଙ୍କର ସାକ୍ଷାତକାରକୁ ଆଧାର କରି ଏହି ଭିଡିଓ ପ୍ରସ୍ତୁତ କରାଯିବ। ଏଥିରେ ଷ୍ଟ୍ରୋକର କାରଣ, ଲକ୍ଷଣ ଏବଂ ନିରାକରଣ ଆଦି ବିଷୟ ଉପଲବ୍ଧ ରହିବ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵରସ୍ଥିତ ‘ଆଇସିଏମଆର-ଆରଏମଆରସି’, ‘ଇଣ୍ଡିଆନ୍ ପବ୍ଲିକ ହେଲ୍‌ଥ ଆସୋସିଏସନ୍’ ଏବଂ ‘ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ’ ନଲେଜ ପାର୍ଟନର ରହିଛନ୍ତି। ଏହାସହ ‘କେୟାର ହସ୍ପିଟାଲ’ କାର୍ଯ୍ୟକ୍ରମର ହେଲଥ କେୟାର ପାର୍ଟନର ରହିଛି।

Tags:  #physiotherapy #Brainstroke #worldstrokeday#Doctorsadvice #treatment #odiahealthtips #Doctorsadvice #treatment

Comment