ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିଥିବା ଓଡ଼ିଶାର ୨୦ ଜଣ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର। ଶନିବାର ଭୁବନେଶ୍ୱରସ୍ଥିତ କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ଖେଳାଳିମାନଙ୍କୁ ମୋଟ ୩ ଲକ୍ଷ ୨୬ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଥିଲା। ଏଠାରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଶନିବାର ପୁରସ୍କୃତ ହୋଇଥିବା ଖେଳାଳିମାନେ କରାଟେ, ବ୍ୟାଡମିଣ୍ଟନ ଏବଂ ୟାଚିଂ (ନୌଚାଳନା)ରେ ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ସେମାନେ ରାଜ୍ୟ ପାଇଁ ମୋଟ ୨୨ଟି ପଦକ ଜିତିବାରେ ସଫଳ ହୋଇଥିଲେ।

“ଓଡ଼ିଶାର ଯୁବ କ୍ରୀଡ଼ାବିତମାନେ ଯେଉଁ ଉତ୍ସାହି ମନୋଭାବ ସହ ସୁନ୍ଦର ପ୍ରଦର୍ଶନ କରିଛନ୍ତି ସେଥିପାଇଁ ଆମେ ଗର୍ବିତ। କରାଟେ, ବ୍ୟାଡମିଣ୍ଟନ ଏବଂ ୟାଚିଂରେ ସେମାନଙ୍କର ଉଲ୍ଲେଖନୀୟ ସଫଳତା କେବଳ ଆମ ରାଜ୍ୟ ପାଇଁ ଗୌରବ ଆଣିନାହିଁ ବରଂ ଆହୁରି ଅନେକଙ୍କୁ ପ୍ରେରଣା ଯୋଗାଇଛି। ସେମାନଙ୍କ ନିଷ୍ଠାକୁ ମୁଁ ପ୍ରଶଂସା କରିବା ସହ ସେମାନେ ଆଗାମୀ ଦିନରେ ଆହୁରି ସଫଳ ହେବେ ବୋଲି ମୁଁ ଆଶା କରୁଛି”, କହିଛନ୍ତି ତୁଷାରକାନ୍ତି ବେହେରା।

ଏହି କାର୍ଯ୍ୟକ୍ରମରେ ଜାତୀୟ କରାଟେ ଚାମ୍ପିୟନସିପ୍ ୨୦୨୩ରେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ୧୭ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ପୁରସ୍କାର ଦିଆଯାଇଥିଲା।

ସେହିପରି ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ୱାଇଏଆଇ ସିନିୟର ନାସନାଲ ସେଲିଂ ଚାମ୍ପିୟନସିପ୍ ୨୦୨୩ରେ ସ୍ୱର୍ଣ୍ଣ ପଦକ ପାଇଁ ମନସ୍ୱିନୀ ମହାରଣାଙ୍କୁ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

ଅନ୍ୟପଟେ ସର୍ବଭାରତୀୟ ୩୫ତମ ସବ୍ ଜୁନିୟର ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ୨୦୨୩ରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ପାଇଁ ପ୍ରଗତି ପରିଡ଼ାଙ୍କୁ ଯଥାକ୍ରମେ ୧୫ ହଜାର ଟଙ୍କା ଓ ୬,୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାସହ ଉକ୍ତ ପ୍ରତିଯୋଗିତାରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ବିଶାଖା ଟପ୍ପୋଙ୍କୁ ୧୩ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା।

Tags: #OdiaPalyers #MedalWinners #NationalTournaments #Sports #Odisha

LEAVE A REPLY

Please enter your comment!
Please enter your name here