ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ବେଆଇନ ଦେଶୀ ବନ୍ଧୁକ ଜବତ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ବେଳେ ଜିଲ୍ଲା ପୋଲିସକୁ ମିଳିଛି ଏହି ସଫଳତା। ଏନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବାତୁଲ ଅଙ୍ଗାଧର।

ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ବାରିପଦା ସଦର, କୁଳିଅଣା, ବାଙ୍ଗିରିପୋଷି, ବଡ଼ସାହି, ଉଦଳା, ଖୁଣ୍ଟା, ଶରତ, କପ୍ତିପଦା, ବିଶୋଇ, କରଞ୍ଜିଆ, ଯଶୀପୁର, ଠାକୁରମୁଣ୍ଡା ଓ ମହୁଲଡ଼ିହା ଆଦି ମୋଟ ୧୩ଟି ଥାନା ଅଧୀନରେ ଥିବା ଗାଁଗୁଡ଼ିକରେ ତଲାସୀ କରି ୭୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛି।

ବନ୍ୟପ୍ରାଣୀ ଶିକାରୀଙ୍କ ଆକ୍ରମଣରେ ଦୁଇଜଣ ବନ କର୍ମଚାରୀ ସହିଦ ହେବା ପରେ ଗତ ଜୁନ ୧୮ ତାରିଖଠାରୁ ପୋଲିସ ପକ୍ଷରୁ ଶିମିଳିପାଳକୁ ଶିକାର ଓ ଶିକାରୀମୁକ୍ତ କରିବା ଲାଗି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ଶିମିଳିପାଳ ପାଦଦେଶ ଥାନା ଅଧୀନ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଏହି ତଲାସୀ ଅଭିଯାନରେ ୪ ପ୍ଲାଟୁନ ପୋଲିସ ଫୋର୍ସ ସାମିଲ ହୋଇଥିଲେ।

ଏହାସହ ଶିମିଳିପାଳ ସଂଲଗ୍ନ ୧୨ଟି ଥାନାରେ ଦେଶୀବନ୍ଧୁକ ଆତ୍ମ ସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।

ପୂର୍ବରୁ ୧୬୫ଟି ଦେଶୀ ବନ୍ଧୁକ, ଗୁଳି, ଗୋଟିଏ ଦେଶୀ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀଙ୍କ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏ ନେଇ ମୋଟ ୪୦ଟି ମାମଲା ରୁଜୁ ହୋଇଛି।

ଆଗାମୀ ଦିନରେ ସର୍ଚ୍ଚ ଅପରେସନକୁ ଜୋରଦାର କରିବା ଲାଗି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରତିଦିନ ଅନ୍ୟୁନ ୧୦ଟି ସ୍ଥାନରେ ସର୍ଚ୍ଚ ଅପରେସନ ପାଇଁ ନିର୍ଦେଶ ଦିଆଯାଇଥିବା ମୟୂରଭଞ୍ଜ ଏସପି କହିଛନ୍ତି।

Tags: #Mayurbhanj #Shimilipal #SearchOperation #71localmadegunseized #MayurbhanjPolice

Comment