ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ସ୍ଥିତିକୁ ଅନୁଶୀଳନ କଲେ ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ବିଶ୍ଵ ତମାମ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଚିନ୍ତା ପ୍ରକଟ କରାଯାଉଛି। ଦୀର୍ଘ ୧୫ ବର୍ଷରେ ପରେ ବାୟୁର ଗୁଣବତ୍ତାକୁ ନେଇ ପ୍ରଥମଥର ପାଇଁ ନିକଟରେ ଏକ ଗାଇଡାଲଇନ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ଡବ୍ଲ୍ୟୁଏଚ୍ଓ’। ୨୦୦୫ ମସିହାରେ ‘ଡବ୍ଲ୍ୟୁଏଚ୍ଓ’ ପକ୍ଷରୁ ବାୟୁର ଗୁଣବତ୍ତାକୁ ନେଇ ଗାଇଡଲାଇନ ଜାରି କରାଯାଇଥିଲା। ବାୟୁ ପ୍ରଦୂଷଣ କାରଣରୁ ବର୍ଷକୁ ପ୍ରାୟ ୭୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।
ବାୟୁ ପ୍ରଦୂଷଣ ପାଇଁ ସୃଷ୍ଟି ହେଉଥିବା ଫୁସଫୁସ ରୋଗ ଉପରେ କଟକଣା ଲଗାଇବା ଓ ମୃତ୍ୟୃହାରକୁ ହ୍ରାସ କରିବା ଲକ୍ଷ୍ୟ ନେଇ ‘ଡବ୍ଲ୍ୟୁଏଚ୍ଓ’ ଏହି ଗାଇଡଲାଇନ ଜାରି କରିଛି।
ମିଳିତ ଜାତିସଂଘର ୧୯୪ ସଦସ୍ୟ ଦେଶକୁ ‘ଡବ୍ଲ୍ୟୁଏଚ୍ଓ’ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ପ୍ରଦୂଷଣର ସୃଷ୍ଟି ହେଉଥିବା ସର୍ବାଧିକ ସ୍ତରକୁ ହ୍ରାସ କରିବା ପାଇଁ କୁହାଯାଇଛି। ନୂଆ ମାର୍ଗଦର୍ଶୀକାରେ ଜୀବାଶ୍ମ ଇନ୍ଧନରୁ ମିଳୁଥିବା କଣିକା ମ୍ୟାଟର ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡର ସ୍ତରକୁ ହ୍ରାସ କରିବା ପାଇଁ ସୁପାରିସ କରାଯାଇଛି।
ବାୟୁ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହୋଇଥିବାରୁ ଏହାକୁ ହ୍ରାସ କରିବା ଲାଗି ‘ଡବ୍ଲ୍ୟୁଏଚ୍ଓ’ କହିଛି। ବିଶ୍ୱ ତମାମ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ବାୟୁ ପ୍ରଦୂଷଣ ସବୁଠାରୁ ବଡ଼ ବିପଦ ବୋଲି ସଂଗଠନ ଉଦ୍ବେଗ ପ୍ରକାଶ କରିଛି।
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପାର୍ଟିକୁଲେଟ ମ୍ୟାଟର (ପିଏମ)ର ବାର୍ଷିକ ହାରାହାରି ପିଏମ ୨.୫ସ୍ତରକୁ ୧୦ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟରରୁ ୫କୁ ହ୍ରାସ କରିଛି। ସେହିପରି ପିଏମ ୧୦ର ସ୍ତରକୁ ୨୦ ମାଇକ୍ରୋଗ୍ରାମସ୍କୁ ୧୫କୁ ହ୍ରାସ କରାଯାଇଛି। ଯଦି ବର୍ତ୍ତମାନ ବିଶ୍ୱରେ ଜାରି ରହିଥିବା ପ୍ରଦୂଷଣକୁ ହ୍ରାସ କରାଯାଇପାରିବ, ତା’ ହେଲେ ପିଏମ ୨.୫ ସହ ଜଡ଼ିତ ମୃତ୍ୟୁକୁ ପ୍ରାୟ ୮୦ ପ୍ରତିଶତ ହ୍ରାସ କରାଯାଇପାରିବ। ପାର୍ଟିକୁଲେଟ ମ୍ୟାଟର ନିଶ୍ୱାସପ୍ରଶ୍ୱାସ ଦ୍ୱାରା ସିଧା ଫୁସଫୁସରେ ପହଞ୍ଚିଥାଏ।
ସେଠାରୁ ଏହା ରକ୍ତରେ ମିଶି ଯାଏ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ। ପରିବହନ ଠାରୁ ଆରମ୍ଭ କରି କୃଷି କ୍ଷେତ୍ର ଓ ଶିଳ୍ପ କାରଖାନାରୁ ଏହି ପିଏମ ନିର୍ଗତ ହୋଇଥାଏ। ବିଷାକ୍ତ ବାୟୁ ଯୋଗୁଁ ରୋଗ ବଢ଼ିବା ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ବାୟୁର ଗୁଣବତ୍ତା କମୁଥିବାରୁ ଫୁସଫୁସ ଜନିତ ରୋଗ ହୁ ହୁ ହୋଇ ବଢୁଛି।
ବର୍ଷକୁ ବିଶ୍ୱରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ଜୀବନ ନେଉଛି ପ୍ରଦୂଷିତ ବାୟୁ। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ। ୨୦୦୫ ମସିହାରେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ବାୟୁ ପ୍ରଦୂଷଣର ଛଅଟି ମୁଖ୍ୟ ପ୍ରଦୂଷକର ସ୍ତର ହେଉଛି ପିଏମ ୨.୫, ପିଏମ ୧୦, ଓଜୋନ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, ସଲଫର୍ ଡାଇଅକ୍ସାଇଡ୍ ଏବଂ କାର୍ବନ ମନୋକ୍ସାଇଡ୍। ବାୟୁରେ ପିଏମ ୧୦ର ସ୍ତର ୧୫ ରହିଲେ ବିପଦଜନକ ବୋଲି କୁହାଯାଏ। ପୂର୍ବରୁ ଏହି ସ୍ତର ୨୦ ଥିଲା।
ସେହିପରି ବାୟୁରେ ନାଇଟ୍ରୋଜେନ ସ୍ତର ୧୦ ହେଲେ ବିପଦଜନକ ବୋଲି ଧରାଯିବ। ପୂର୍ବରୁ ଏହା ୪୦ ରହିଥିଲା। ‘ଡବ୍ଲ୍ୟୁଏଚ୍ଓ’ ର ତଥ୍ୟ ଅନୁସାରେ ସବୁଠୁ ଚିନ୍ତାଜନକ କଥା ହେଲା, ସମଗ୍ର ଭାରତ ବର୍ଷ ପ୍ରଦୂଷିତ ଅଞ୍ଚଳରେ ରହୁଛି। କେବଳ ଭାରତ ନୁହେଁ ବିଶ୍ୱର ୯୦ ପ୍ରତିଶତ ଲୋକ ରହୁଥିବା ଅଞ୍ଚଳର ବାୟୁ ପ୍ରଦୂଷିତ। ମାର୍ଗଦର୍ଶୀକାରେ ଯାହା କୁହାଯାଇଛି ସେଥିପ୍ରତି ବିଭିନ୍ନ ଦେଶ ପକ୍ଷରୁ ଆବଶ୍ୟକୀୟ ଦୃଷ୍ଟି ଦିଆଯିବା ଦରକାର। ବାୟୁ ପ୍ରଦୂଷଣ ଓ ତାହାର ବିଷଜ୍ୱାଳାରେ ଭାରତର ଲୋକେ ଯେଉଁଭଳି ଜୀବନ ଅତିବାହିତ କରୁଛନ୍ତି ତାହା ଅତ୍ୟନ୍ତ ଚିନ୍ତାର ବିଷୟ।
Tags: #AirpollutionTension #NewDelhi #India #WHO #PolutionInIndia