ବଲାଙ୍ଗିରରୁ ବିଶ୍ୱଜିତ ସାହୁ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ

ବଲାଙ୍ଗିରର ମିଶ୍ର ବ୍ରଦର୍ସ ସୌମେନ୍ଦ୍ର ଓ ସମରେନ୍ଦ୍ରଙ୍କ ସ୍ୱପ୍ନ, ଉଦ୍ୟମ ଓ ସଫଳତାର କାହାଣୀ…

ଅଣ୍ଡା – ପୋଷଣର ପାଓ୍ୱାର ହାଉସ୍‌। ଏଥିରେ ରହିଛି ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍‌ସ ପିଲାଙ୍କଠାରୁ ବୟସ୍କ –  ସମସ୍ତଙ୍କ ପାଇଁ ଅଣ୍ଡା ଏକ ପୋଷଣ-ଯୁକ୍ତ ଆହାର । କିନ୍ତୁ ଆପଣ ଖାଉଥିବା ଅଣ୍ଡା ଫାର୍ମରୁ ବାହାରି ଆପଣଙ୍କ ପ୍ଲେଟ ଯାଏଁ କେମିତି ପହଞ୍ଚେ,  ସେ ବିଷୟରେ କେବେ ଭାବିଛନ୍ତି ?

ଆପଣ ବଜାରରୁଅଣ୍ଡାର ଗୋଟିଏ ପ୍ୟାକ ବା କ୍ରେଟ କିଣିଲା ବେଳେଏବେ ଏଥିରେ ଥିବା କ୍ୟୁଆର କୋଡ୍‌କୁ ସ୍କାନ କରି ଅଣ୍ଡା ଉତ୍ପାଦନର ତାରିଖ ଜାଣିପାରିବେ। ତା’ ସହିତ, ଏହାର ଗୁଣବତ୍ତା ବା କ୍ୱାଲିଟି ବାବଦରେ ମଧ୍ୟ ବିଭିନ୍ନ ସୂଚନା ପାଇପାରିବେ। ଅଣ୍ଡା ଉଦ୍ୟୋଗ କ୍ଷେତ୍ରରେ ‘ବ୍ଲକଚେନ୍‌’ ପରି ଆଧୁନିକ ଟେକନୋଲୋଜି ବ୍ୟବହାର ଫଳରେ ଆଜି ଏହା ସମ୍ଭବ ହୋଇପାରିଛି। ଏଭଳି ଟେକନୋଲୋଜି ବ୍ୟବହାର କରିବାରେ ଆମ ବଲାଙ୍ଗିରର ‘ଓଭୋ ଫାର୍ମ’ ଭାରତରେ ପ୍ରଥମ।

ଓଭୋ ଫାର୍ମ। ପୂର୍ବ ଭାରତର ଏକ ଅଗ୍ରଣୀ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା। ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗିରରେ ଗଢ଼ି ଉଠିଥିବା ଏହି କୃଷିଭିତ୍ତିକ ଉଦ୍ୟୋଗ ଦିନକୁ ପ୍ରାୟ ୧୦ ଲକ୍ଷ ଅଣ୍ଡା ଉତ୍ପାଦନର କ୍ଷମତା ରଖିଛିା ପୋଷଣଯୁକ୍ତ ଅଣ୍ଡା ଉତ୍ପାଦନ କରି ଦେଶ ବିଦେଶକୁ ରପ୍ତାନି କରୁଛି। ଏହି ସଫଳତା ଭାରତର ପୋଷଣ ମାନଚିତ୍ରରେ ଆଜି ବଲାଙ୍ଗିରକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ଏହି ଅତ୍ୟାଧୁନିକ ଫାର୍ମକୁ ବଡ଼ କରି ଗଢ଼ି ତୋଳିବାରେ ଯାହାଙ୍କର କଠିନ ପରିଶ୍ରମ ଓ ଲଗାତାର ପ୍ରଚେଷ୍ଟା ରହିଛି ସେମାନେ ହେଲେ ବଲାଙ୍ଗିରର ଦୁଇ ଉଦ୍ୟୋଗୀ ‘ମିଶ୍ର ବ୍ରଦର୍ସ’ – ସୌମେନ୍ଦ୍ର ଓ ସମରେନ୍ଦ୍ର।

‘‘ ଆମେ ଯେତେବେଳେ ବ୍ୟବସାୟ ଆରମ୍ଭ କରିଥିଲୁ, ସେତେବେଳେ ପଶ୍ଚିମ ଓଡ଼ିଶାରେ କିଛି ଶିଳ୍ପ ନଥିଲା। ରୋଜଗାରର କିଛି ମାଧ୍ୟମ ନଥିଲା। ତେଣୁ ଜୀବିକା ପାଇଁ ବହୁତ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଥିଲେ। ଏଭଳି ସମୟରେ ଗୋଟିଏ ବ୍ୟବସାୟ ଆରମ୍ଭ କରିବା ଆମ ପାଇଁ ଖୁବ୍‌ ଚାଲେଞ୍ଜିଂ ଥିଲା।’’, କହନ୍ତି ଓଭୋ ଫାର୍ମର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର।

ସେହିପରି ସମରେନ୍ଦ୍ର ମିଶ୍ର କହନ୍ତି, ‘‘ବ୍ୟବସାୟ ଆରମ୍ଭ କରିବା ବେଳେ ଆଖିରେ ଗୋଟିଏ ବଡ଼ ସ୍ୱପ୍ନ ଥିଲା ଯେ, ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଭଳି ଏକ ପଛୁଆ ଅଞ୍ଚଳରେ ଏକ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିବୁ। ଫଳରେ ନିଜେ ରୋଜଗାରକ୍ଷମ ହେବା ସହ କିଛି ଲୋକଙ୍କୁ ମଧ୍ୟ ଜୀବିକାର ବାଟ ଦେଖାଇପାରିବୁ।’’

ସୌମେନ୍ଦ୍ର ମିଶ୍ର ଓ ତାଙ୍କ ସାନ ଭାଇ ସମରେନ୍ଦ୍ର ମିଶ୍ର ମିଶି ଗୋଟିଏ ଛୋଟ କୁକୁଡ଼ା ଫାର୍ମରୁ ବ୍ୟବସାୟ ଆରମ୍ଭ କରିଥିଲେ। ମାତ୍ର ୩୦୦ କୁକୁଡ଼ାଙ୍କୁ ନେଇ ଆରମ୍ଭ ହୋଇଥିବା ସେଇ ଉଦ୍ୟମ ଆଜି  ବିଶାଳ ଓଭୋ ଫାର୍ମର ରୂପ ନେଇଛି। ତା’ ସହିତ ବଲାଙ୍ଗିରର ୩୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇ, ସେମାନଙ୍କୁ ରୋଜଗାରର ନୂଆ ବାଟ ଦେଖାଇଛି ଓଭୋ ଫାର୍ମ।

‘‘ବଲାଙ୍ଗିରରେ ଆଗରୁ କିଛି କାମ ମିଳୁନଥିଲା, ଯେଉଁଥିପାଇଁ ଆମେ ପରିବାର ପୋଷିବାକୁ ବାହାରକୁ ଚାଲି ଯାଉଥିଲୁ। କିନ୍ତୁ ସେଠି ପରିଶ୍ରମ ଅନୁସାରେ ଟଙ୍କା ମିଳୁନଥିଲା। ଗାଁ ପାଖରେ ଓଭୋ ଫାର୍ମ ହେବା ଫଳରେ ଆମେ ସେଠି କାମ ଆରମ୍ଭ କଲୁ। ଏଠି ଟଙ୍କା ବି ଭଲ ମିଳୁଛି, ଘର ପାଖରେ ହୋଇଥିବାରୁ ପରିବାରକୁ ମଧ୍ୟ ସମୟ ଦେଇପାରୁଛି’’, କହନ୍ତି ଓଭୋ ଫାର୍ମରେ କାର୍ଯ୍ୟରତ ଜଣେ କର୍ମଚାରୀ ମଗନ ନିଆଲ।

ପ୍ରାୟ ଦୁଇ ଦଶନ୍ଧି ତଳେ ବଲାଙ୍ଗିର ସହର ନିକଟରେ ଥିବା ଏକ ଛୋଟ ଗାଁ ଛତାମଖନାଠାରେ ଆରମ୍ଭ ହୋଇଥିଲା ଓଭୋ ଫାର୍ମ। ଏହି ବ୍ୟବସାୟ ଉପରେ ବିଶେଷ ଧାରଣା ନଥିବାରୁ ପ୍ରଥମେ ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଥିଲେ ସୌମେନ୍ଦ୍ର ଓ ସମରେନ୍ଦ୍ର। ପରେ ସେମାନେ ରାଜ୍ୟ ବାହାରେ ଥିବା ବଡ଼ ବଡ଼ ପୋଲ୍‌ଟ୍ରି ଫାର୍ମକୁ ଯାଇ ବୁଲି ଦେଖିଥିଲେ। ସେଇ ଅଭିଜ୍ଞତା ଓଭୋ ଫାର୍ମକୁ ଆଗେଇ ନେବାରେ ବେଶ୍‌ ସହାୟକ ହୋଇଥିଲା।

‘‘ଓଭୋ ଫାର୍ମରେ ସବୁବେଳେ ଅତ୍ୟାଧୁନିକ ଟେକନୋଲୋଜିର ପ୍ରୟୋଗ ଉପରେ ଆମେ ଗୁରୁତ୍ୱ ଦେଇ ଆସିଛୁ। ଯାହାଦ୍ୱାରା ଆମେ ଅଣ୍ଡା ଉତ୍ପାଦନ କ୍ଷମତା ବଢ଼ାଇବା ସହିତ ଉନ୍ନତମାନର ଓ ପୋଷଣ ଯୁକ୍ତ ଅଣ୍ଡାର ଲୋକଙ୍କୁ ଯୋଗାଇପାରିବୁ।’’, କହିଛନ୍ତି ଓଭୋ ଫାର୍ମର ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସମରେନ୍ଦ୍ର ମିଶ୍ର।

କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନରେ ବିଶ୍ୱସ୍ତରୀୟ ମାନକକୁ ଅନୁସରଣ କରୁଛି ‘ଓଭୋ’। କୁକୁଡ଼ାଙ୍କ ପାଇଁ ଉପଯୁକ୍ତ ପରିବେଶ ତଥା ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହ ଫାର୍ମ ପରିସରରେ ପରିଚ୍ଛନତାକୁ ସୁନିଶ୍ଚିତ କରିବା ପାଇଁ ‘ବାୟୋ ସିକ୍ୟୁରିଟି’ ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏଠାରେ କୁକୁଡ଼ାଙ୍କୁ ଆଂଟିବାୟୋଟିକ୍-ମୁକ୍ତ ରଖାଯିବା ସହ ସେମାନଙ୍କୁ ‘ଭେଜ୍-ଫିଡ୍’ ଦିଆଯାଉଛି। ଏଥିପାଇଁ ଓଭୋର ସ୍ଲୋଗାନ ରହିଛି – ‘ହାପି ବାର୍ଡସ, ହେଲ୍‌ଦି ଏଗ୍‌ସ’।

ଓଭୋ ଫାର୍ମରେ ୟୁଭି ଟ୍ରିଟ୍‌ମେଂଟ୍‌, ଡ୍ରାଏ କ୍ଲିନ୍‌, କ୍ୟାଣ୍ଡେଲିଂ, ଗ୍ରେଡିଂ ଓ ପରିବେଶ ଅନୁକୂଳ ପ୍ୟାକେଜିଂ ପଦ୍ଧତି ଅନୁସରଣ କରାଯାଉଥିବାରୁ ଏଠାରୁ ପ୍ରାୟ ଗୋଟିଏ ଆକାରର ତଥା ଉନ୍ନତମାନର ଅଣ୍ଡା ବାହାରୁଛି। ସବୁଠୁ ବଡ଼ କଥା ଓଭୋ ଫାର୍ମରେ ଅଣ୍ଡା ଉତ୍ପାଦନଠାରୁ ପ୍ୟାକେଜିଂ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଟଚଲେସ୍‌ ଓ ଅଟୋମେଟେଡ।

ଓଭୋ ଫାର୍ମରୁ ଉତ୍ପାଦିତ ପୋଷଣଯୁକ୍ତ ଅଣ୍ଡା ବଜାରରେ ‘କେନକୋ’ ନାଁରେ ବିକ୍ରି ହେଉଛି। ଏହାର ବିଭିନ୍ନ ଭେରାଇଟି ମଧ୍ୟରେ ରହିଛି, ହାଇ ପ୍ରୋଟିନ, ବ୍ରାଉନ୍‌, ଇମ୍ୟୁନୋ। ସେହିପରି ଓଭୋର ଆଉ ଦୁଇଟି ଭେରାଇଟି ହେଉଛି ମୋର’ଓଭୋ’ର ଏବଂ ଅନ୍‌-ଡେ। ଅଣ୍ଡାର ପୋଷଣ ଗୁଣରେ ଭିନ୍ନତା ତଥା ଏହାର ଉପାଦେୟତାକୁ ନେଇ ଏହିସବୁ ପ୍ରକାର ନାଁ ଦିଆଯାଇଛି। ବଲାଙ୍ଗିରର ଓଭୋ ଫାର୍ମରୁ ଉତ୍ପାଦିତ ଅଣ୍ଡା ଆଜି ଦେଶ ଦୁନିଆର ଗ୍ରାହକଙ୍କ ପାଇଁ ଏକ ପସନ୍ଦର ବ୍ରାଣ୍ଡ ଭାବେ ପରିଚିତ ହେବାକୁଯାଉଛି। ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ କେନକୋର ସ୍ୱତନ୍ତ୍ର ଆଉଟଲେଟ୍‌ ଛଡ଼ା ବିଭିନ୍ନ ଆଧୁନିକ ଗ୍ରୋସରୀ ଚେନ୍‌ରେ ଏହା ବିକ୍ରି ହେଉଛି।

‘‘କେନକୋ ଏକ ଜାପାନୀ ଶବ୍ଦ – ଯାହାର ଅର୍ଥ ଉତ୍ତମ ସ୍ୱାସ୍ଥ୍ୟ। ତେଣୁ ଏହି ବ୍ରାଣ୍ଡ ନାଁରେ ଆମେ ଲୋକଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କୁ ପୋଷଣୟଯୁକ୍ତ ଅଣ୍ଡା ଯୋଗାଇ ଦେବା ହେଉଛି ଆମର ଉଦ୍ଦେଶ୍ୟ।’’. କହନ୍ତି ସମରେନ୍ଦ୍ର ମିଶ୍ର।

ଦେଶ ବିଦେଶରେ ଓଭୋ ଫାର୍ମରୁ ଉତ୍ପାଦିତ ଅଣ୍ଡାର ପ୍ରସାର ପାଇଁ କମ୍ପାନି ପକ୍ଷରୁ ବ୍ୟବସାୟିକ ପଦକ୍ଷେପ ନିଆଯାଉଛି। ଆଜି କତାର ଓ ଆଫ୍ରିକାକୁ ଅଣ୍ଡା ରପ୍ତାନି କରୁଛି ଓଭୋ ଫାର୍ମ। ଆଗାମୀ ଦିନରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଭଳି ବିଭିନ୍ନ ଦେଶକୁ ଅଣ୍ଡା ପଠାଇବାକୁ ଯୋଜନା ରହିଛି। ଅଣ୍ଡାର ମାନକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରୟାସ ଜାରି ରଖିଛି କମ୍ପାନି। ‘ଇଣ୍ଟରନ୍ୟାସନାଲ ଏଗ୍‌ କମିଶନ’ର ପ୍ରମାଣପତ୍ର ସହ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସାର୍ଟିଫିକେଟ ହାସଲ କରି ଓଭୋ ଫାର୍ମ ଆଜି ନିଜର ବ୍ରାଣ୍ଡକୁ ଅନ୍ତର୍ଜାତୀୟ ବଜାରରେ ଲୋକପ୍ରିୟ କରିବା ପାଇଁ ଉଦ୍ୟମ କରୁଛି।

ଓଭୋ ଫାର୍ମ ବଲାଙ୍ଗିର ଜିଲ୍ଲାରେ ନିଯୁକ୍ତି ସୁଯୋଗ ଦେବା ସହିତ ସାମାଜିକ ପ୍ରତିବଦ୍ଧତା ଉପରେ ମଧ୍ୟ ବେଶ ଗୁରୁତ୍ୱ ଦେଉଛି। ଫାର୍ମ ପକ୍ଷରୁ ପ୍ରତିଦିନ ସ୍ଥାନୀୟ ଅଞ୍ଚଳର ୫୦ରୁ ଅଧିକ ଅସହାୟ ଓ ଗରିବ ଲୋକଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଛି। ସିଏସଆର ଜରିଆରେ ବର୍ଷକ ବାରମାସ ଏହି କାର୍ଯ୍ୟ ଜାରି ରଖିଛି ଫାର୍ମ।

‘‘ଆଗରୁ ଆମେ ବେଳେ ଖାଉଥିଲେ, ବେଳେ ଉପାସ ରହୁଥିଲୁ। ଗତ ୩ ବର୍ଷ ହେଲା ଓଭୋ ଫାର୍ମରୁ ଆମକୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଫଳରେ ଆମକୁ ଆଉ ଅସୁବିଧା ହେଉନି। ଆମେ ଭଲରେ ଅଛୁ।’’ କହିଛନ୍ତି ଜଣେ ସ୍ଥାନୀୟ ବାସୀନ୍ଦା ଦୁର୍ଲ୍ଲଭ ତାଣ୍ଡି।

କୃଷି ଉଦ୍ୟୋଗର ବିକାଶ କ୍ଷେତ୍ରରେ ଓଡ଼ିଶା ଆଜି ନୂଆ ନୂଆ ଅନୁଭୂତି ହାସଲ କରୁଛି। ତା’ ଭିତରେ ବଲାଙ୍ଗିରର ଓଭୋ ଫାର୍ମ ହୋଇପାରିଛି ଏକ ‘ସଫଳ କାହାଣୀ’। ଏହି କାହାଣୀର ଦୁଇ ବ୍ୟକ୍ତିତ୍ୱ ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ର ପ୍ରଥମ ପିଢ଼ିର ସଫଳ ଓଡ଼ିଆ ଉଦ୍ୟୋଗୀ ଭାବେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

Comment