ଓଡ଼ିଶାଲାଇଭ୍ ବ୍ୟୁରୋ

ଓଭୋ ଫାର୍ମ ପକ୍ଷରୁ ଭୁବନେଶ୍ୱରରେ ଖୋଲିଲା ଦ୍ଵିତୀୟ ଅଣ୍ଡା ରିଟେଲ୍ ଷ୍ଟୋର୍ କେନକୋ ‘ଏଗ୍‌-ଷ୍ଟ୍ରା’। ଭୁବନେଶ୍ୱରସ୍ଥିତ ସୂର୍ଯ୍ୟନଗରରେ ଏହି ରିଟେଲ୍ ଆଉଟଲେଟର ଶୁଭାରମ୍ଭ ହୋଇଛି। ଶନିବାର ଓଭୋ ଫାର୍ମର ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏହାର ଉଦଘାଟନ କରିଥିଲେ।

୭୦୦ ବର୍ଗଫୁଟର ଏହି କେନକୋ ଏଗ୍‌-ଷ୍ଟ୍ରା ଷ୍ଟୋରରେ ବିଭିନ୍ନ ପ୍ରକାରର ହାଇ ପ୍ରୋଟିନ୍ ଯୁକ୍ତ ଅଣ୍ଡା, ବ୍ରାଉନ୍ ଅଣ୍ଡା, କମ୍ କୋଲେଷ୍ଟ୍ରଲ୍ ଯୁକ୍ତ ଅଣ୍ଡା ଏବଂ ସେଲେନିୟମ୍ ଯୁକ୍ତ ଅଣ୍ଡା ଉପଲବ୍ଧ ହେବ। ଏ ସବୁ ଅଣ୍ଡା ସିଧାସଳଖ ବଲାଙ୍ଗିରର ଓଭୋ ଫାର୍ମରୁ ଅଣାଯାଇ ଏଠାରେ ବିକ୍ରି କରାଯିବ।   

“କେନକୋ ଏଗ୍‌-ଷ୍ଟ୍ରା ହେଉଛି ଓଭୋ ଫାର୍ମ ସ୍ଵତନ୍ତ୍ର ରିଟେଲ୍ ଷ୍ଟୋର୍। ଏହା ଭୁବନେଶ୍ୱରର ଲୋକଙ୍କୁ ଉଚ୍ଚ ଗୁଣବତ୍ତା ଯୁକ୍ତ ଅଣ୍ଡା ଯୋଗାଇବ। ଭବିଷ୍ୟତରେ ଭୁବନେଶ୍ୱରର ଅଧିକ ସ୍ଥାନରେ କେନକୋ ଷ୍ଟୋର ଖୋଲିବା ସହ ଦେଶର ଅନ୍ୟ ସହରରେ ମଧ୍ୟ ଏହାର ସମ୍ପ୍ରସାରଣ କରିବାକୁ ଆମେ ଯୋଜନା ରଖିଛୁ”, କହିଛନ୍ତି ସୌମେନ୍ଦ୍ର ମିଶ୍ର।

ସୂର୍ଯ୍ୟନଗର ‘କେନକୋ ଏଗ୍‌-ଷ୍ଟ୍ରା’ ଷ୍ଟୋରରେ ହାଇ ପ୍ରୋ, ବ୍ରାଉନ୍, ଇମ୍ୟୁନୋ, ମୋର୍ଓଭୋ ଏବଂ ଅନ୍-ଡେ ଭଳି ୬ଟି ବର୍ଗର ଅଣ୍ଡା ମିଳିବ। ଏହା ୬,୧୦, ୨୦ ଏବଂ ୩୦ଟି ଅଣ୍ଡାର ପ୍ୟାକେଟ୍ ଆକାରରେ ଉପଲବ୍ଧ ହେବ। ଏହାପୂର୍ବରୁ ଭୁବନେଶ୍ୱରର ନୟାପଲ୍ଲୀରେ ‘କେନକୋ ଏଗ୍‌-ଷ୍ଟ୍ରା’ର ପ୍ରଥମ ଷ୍ଟୋର ଖୋଲିଥିଲା।

ଓଭୋ ଫାର୍ମ ପକ୍ଷରୁ ପ୍ରଥମ କରି ଅଣ୍ଡା ଉଦ୍ୟୋଗରେ ‘ବ୍ଲକଚେନ୍‌’ ପରି ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି। ଯାହାଦ୍ଵାରା ଗ୍ରାହକମାନେ ‘କେନକୋ’ ବ୍ରାଣ୍ଡର ଅଣ୍ଡା ପ୍ୟାକେଟରେ ଥିବା କ୍ୟୁଆର୍‌ କୋଡକୁ ମୋବାଇଲରେ ସ୍କାନ କରି ଅଣ୍ଡାର ‘ଉତ୍ପାଦନ ତାରିଖ’, ‘ବ୍ୟବହାରଯୋଗ୍ୟ ତାରିଖ’ (ବେଷ୍ଟ ବିଫୋର) ଏବଂ ଗୁଣବତ୍ତା ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ପାଇପାରୁଛନ୍ତି।

ଏହାସହ ଓଭୋ ଫାର୍ମରେ ସୁସ୍ଥ ପରିବେଶକୁ ସୁନିଶ୍ଚିତ କରିବା ପାଇଁ ‘ବାୟୋ ସିକ୍ୟୁରିଟି’ ବ୍ୟବସ୍ଥା ପାଳନ କରାଯାଉଛି। ନିୟମିତ ବ୍ୟବଧାନରେ କୁକୁଡ଼ାମାନଙ୍କର ରକ୍ତ ଓ ମଳ ପରୀକ୍ଷା କରାଯାଉଛି। ସେହିପରି ଏଠାରେ ସ୍ଵଚ୍ଛତା ଉପରେ ଧ୍ୟାନ ଦିଆଯିବା ସହ ଉତ୍ପାଦିତ ଅଣ୍ଡାର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଛି।

ଓଭୋ ଫାର୍ମ  

ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗିରରେ ଥିବା ଏହି କୃଷିଭିତ୍ତିକ ଉଦ୍ୟୋଗ ‘ଓଭୋ ଫାର୍ମ’ ଆଜି ପୂର୍ବ ଭାରତର ଏକ ଅଗ୍ରଣୀ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚୟ ପାଇଛି। ଦିନକୁ ପ୍ରାୟ ୧୦ ଲକ୍ଷ ଅଣ୍ଡା ଉତ୍ପାଦନର କ୍ଷମତା ରଖିଛି ଏହି ଫାର୍ମ। ବଲାଙ୍ଗିରର ଦୁଇ ଉଦ୍ୟୋଗୀ ଭାଇ ସୌମେନ୍ଦ୍ର ମିଶ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ପ୍ରଚେଷ୍ଟାରେ ଏହି ଉଦ୍ୟୋଗ ରାଜ୍ୟର ଏକ ସଫଳ ଶିଳ୍ପ ହୋଇପାରିଛି। ଏହି ଅନୁଷ୍ଠାନରେ ବଲାଙ୍ଗିର ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ଲୋକଙ୍କୁ ମଧ୍ୟ ଜୀବିକା ମିଳିପାରିଛି।

ଏହାସହ ଓଭୋ ଫାର୍ମରୁ ବିଶ୍ୱସ୍ତରରେ ମଧ୍ୟପ୍ରାଚ୍ୟ ଏସିଆ ଏବଂ ଆଫ୍ରିକାର ବିଭିନ୍ନ ଦେଶଗୁଡ଼ିକୁ ଅଣ୍ଡା ରପ୍ତାନି ହୋଇଆସୁଛି। ୨୦୨୨ରେ କତାରରେ ହୋଇଥିବା ଫିଫା ବିଶ୍ୱକପରେ ଅଣ୍ଡାର ଜରୁରୀ ଚାହିଦା ପୂରଣ କରିବା ପାଇଁ ଓଭୋ ଫାର୍ମରୁ ଅଣ୍ଡା ରପ୍ତାନୀ କରାଯାଇଥିଲା।

Tags: #OVOFarm #KenkoAgstra #EggOutlet #EggIndustry #Odisha

LEAVE A REPLY

Please enter your comment!
Please enter your name here