ଓଡ଼ିଶାଲାଇଭ୍ ବ୍ୟୁରୋ

  • ନିଜ ଜନ୍ମଦିନରେ ୪୯ତମ ଦିନିକିଆ ଶତକ ମାରିଲେ ବିରାଟ କୋହଲୀ
  • ସଚିନଙ୍କ ଦିନିକିଆ ଶତକର ରେକର୍ଡର ସମକକ୍ଷ ହେଲେ କୋହଲୀ
  • ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ହରାଇଲା ଟିମ୍ ଇଣ୍ଡିଆ

ଚଳିତ ଆଇସିସି କ୍ରିକେଟ ବିଶ୍ଵକପରେ ଭାରତ ହାସଲ କରିଛି ନିଜର ଲଗାତର ଅଷ୍ଟମ ବିଜୟ। ରବିବାର କୋଲକାତାର ଇଡେନ ଗାର୍ଡେନ୍ସରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୨୪୩ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆର ଏହି ବିଜୟ ମଧ୍ୟରେ ନିଜ ୩୫ତମ ଜନ୍ମଦିନରେ ଖେଳୁଥିବା ବିରାଟ କୋହଲୀଙ୍କ ଶତକୀୟ ଇନିଂସ୍ ସବୁ କ୍ରିକେଟପ୍ରେମୀଙ୍କ ହୃଦୟକୁ ଜିତିଛି।

ଭାରତୀୟ କ୍ରିକେଟର ପେଣ୍ଠସ୍ଥଳ ଭାବେ ପରିଚିତ ଯେଉଁ ଇଡେନ ଗାର୍ଡେନ୍ସରେ କୋହଲୀ ନିଜ କ୍ୟାରିୟରର ଶତକ ଯାତ୍ରା ଆରମ୍ଭ କରିଥିଲେ ସେହିଠାରେ ହିଁ ସେ ରବିବାର ୪୯ତମ ଶତକ ହାସଲ କରିଛନ୍ତି। ଏହାସହ ବିଶ୍ଵରେ ସବୁଠାରୁ ଅଧିକ ଶତକ ମାମଲାରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଠିକ୍ ୧୪ ବର୍ଷ ତଳେ ଏହି ମଇଦାନରେ ୨୧ ବର୍ଷୀୟ କୋହଲି ଶ୍ରୀଲଙ୍କା ବିପକ୍ଷରେ ୧୧୪ ବଲରୁ ୧୦୭ ରନ୍‌ କରି ଜୀବନର ପ୍ରଥମ ଦିନିକିଆ ଶତକ କରିଥିଲେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ଆରମ୍ଭରେ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ୱିକେଟ ପଡ଼ିବା ପରେ ଦଳ ଉପରେ ଚାପ ପଡ଼ିଥିଲା। କେଶବ ମହାରାଜ ଓ ଆଡମ ସମସିଙ୍କ ବଲ ଯେଉଁ ଭଳି ଟର୍ଣ୍ଣ ହେଉଥିଲା ସେତେବେଳେ ଏହାର ସାମ୍ନା କରିବାକୁ ଆଗକୁ ଆସିଥିଲେ ବିରାଟ କୋହଲୀ।

ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ଭାରତ ଇନିଂସକୁ ଆଗକୁ ବଢ଼ାଇଥିଲେ ବିରାଟ। ସେ ୧୨୧ ବଲର ‌ଧୈର୍ଯ୍ୟ ଓ ଦାୟିତ୍ଵପୂର୍ଣ୍ଣ ପାଳି ଖେଳି ୧୦୧ ରନରେ ଅପରାଜିତ ରହିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୨୭ ରନର ବିଜୟଲକ୍ଷ୍ୟ ରଖିବାରେ ସଫଳ ହେଲା।

ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରମାନଙ୍କ ଘାତକ ବୋଲିଂର ଶିକାର ହୋଇଥିଲା। ଦଳ ମାତ୍ର ୮୩ ରନରେ ଅଲଆଉଟ ହୋଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ ନେଇଥିଲେ।

ଜନ୍ମଦିନରେ ଶତକ ମାରିବାରେ ସପ୍ତମ ଖେଳାଳି ବନିଲେ ବିରାଟ   

ଜନ୍ମଦିନରେ ଦିନିକିଆ ଶତକ ଅର୍ଜନ କରିବାରେ କୋହଲୀ ରବିବାର ବିଶ୍ଵର ସପ୍ତମ ଖେଳାଳି ହୋଇଥିଲେ। ଏହିକ୍ରମରେ ପୂର୍ବରୁ ଭାରତୀୟ କ୍ରିକେଟର୍‌ ବିନୋଦ କାମ୍ବଲି ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ସଚିନ ତେନ୍ଦୁଲକର, ଶ୍ରୀଲଙ୍କାର ସନଥ ଜୟସୂରିୟା, ନ୍ୟୁଜିଲାଣ୍ଡର ରସ୍ ଟେଲର ଓ ଟମ ଲେଥାମ ନିଜ ଜନ୍ମଦିନରେ ଶତକ ହାସଲ କରିଥିଲେ। ଚଳିତ ବିଶ୍ଵକପରେ କୋହଲୀଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମିଚଲ୍ ମାର୍ଶ ମଧ୍ୟ ନିଜ ଜନ୍ମଦିନରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ।     

କୋହଲୀଙ୍କୁ ସଚିନ ତେନ୍ଦୁଲକରଙ୍କ ପ୍ରଶଂସା

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଏକ ଆକର୍ଷଣୀୟ ଇନିଂସ୍ ପାଇଁ ବିରାଟ କୋହଲୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା। ଜନ୍ମଦିନରେ ଏହା କୋହଲୀଙ୍କ ପାଇଁ ଏକ ବଡ଼ ଉପହାର ଥିଲା। ୪୯ତମ ଶତକ ପରେ ନିଜେ ସଚିନ ତେନ୍ଦୁଲକର କୋହଲୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ କୋହଲୀ ଖୁବ ଶୀଘ୍ର ୫୦ତମ ଦିନିକିଆ ଶତକ କରି ତାଙ୍କ ରେକର୍ଡକୁ ଭାଙ୍ଗନ୍ତୁ ବୋଲି ସେ କାମନା କରିଛନ୍ତି।

ସେହିପରି ଏବେ ବିଶ୍ଵର ଅନ୍ୟ ମହାନତମ କ୍ରିକେଟରମାନଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ବିରାଟ କୋହଲୀ। ଅନ୍ୟପଟେ ତାଙ୍କ ନିକଟକୁ ଏବେ ପ୍ରଶଂସକମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ସାରା କ୍ରିକେଟ ଜଗତ ଏବେ ବିରାଟମୟ ହୋଇଯାଇଛି। ବିଶ୍ଵକପରେ ଆଗକୁ ମଧ୍ୟ ବିରାଟ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖିବେ ବୋଲି ସବୁ କ୍ରିକେଟପ୍ରେମୀ ଆଶାବାଦୀ ଅଛନ୍ତି।        

Tags: #ViratKohli #49thODICentury #Cricket #ICCWorldCup #IndiavsSouthAfrica #EdenGardens 

Comment